ଭୁବନେଶ୍ବର: ତିନିଦିନ ଧରି ଲାଗି ରହିଥିବା ଓପୋଲ୍ଫେଡ୍ର ଅଚଳାବସ୍ଥା ଦୂର ହୋଇଛି। ଆଜିଠାରୁ ଓପୋଲ୍ଫେଡ୍ ଚିକେନ୍ ଫ୍ରେସ୍ ଓ ଫାଷ୍ଟଫୁଡ୍ ବୁଥ୍ ଖୋଲିଛି। ଚାଷୀ ଓ କର୍ମଚାରୀଙ୍କ ସହ ଆଲୋଚନା ଓ ନିର୍ଭରରଯୋଗ୍ୟ ପ୍ରତିଶ୍ରୁତି ପରେ କୁକୁଡ଼ା ଓ ଅଣ୍ଡା ଯୋଗାଣ ସହ କର୍ମଚାରୀମାନେ କାମ କରିବାକୁ ରାଜି ହୋଇଛନ୍ତି। ଗ୍ରାହକମାନେ ଆଜିଠାରୁ ପୁଣି ଚିକେନ୍ ଫ୍ରେସ୍ କୁକୁଡ଼ା ମାଂସ ପାଇବାର ସୁଯୋଗ ପାଇଛନ୍ତି। ଫାଷ୍ଟଫୁଡ୍ ବୁଥ୍ରେ ବି ଚିକେନ୍ ଓ ଅଣ୍ଡାରେ ପ୍ରସ୍ତୁତ ଫାଷ୍ଟଫୁଡ୍ ଖାଦ୍ୟ ଖାଇଛନ୍ତି।
ଓପୋଲ୍ଫେଡ୍ ପୋଲ୍ଟ୍ରି ସମବାୟ ସମିତି ଜରିଆରେ ଚାଷୀଙ୍କଠାରୁ କୁକୁଡ଼ା ଓ ଅଣ୍ଡା ସିଧାସଳଖ କ୍ରୟ କରୁଛି। ଯଦ୍ବାରା କୁକୁଡ଼ା ଓ ଅଣ୍ଡାର ଲାଭାଂଶ ଟ୍ରେଡର୍ସଙ୍କ ପକେଟ୍କୁ ଯିବା ବଦଳରେ ଚାଷୀଙ୍କ ପକେଟ୍କୁ ଯାଉଛି। କୁକୁଡ଼ା ଓ ଅଣ୍ଡା ଟଙ୍କା ଚାଷୀଙ୍କ ଆକାଉଣ୍ଟ୍ରେ ଜମା କରାଯାଉଛି। କିନ୍ତୁ ସମୟରେ ଚାଷୀଙ୍କୁ ଟଙ୍କା ନ ମିଳିବାରୁ ସେମାନେ କୁକୁଡ଼ା ଓ ଅଣ୍ଡା ଯୋଗାଣ ବନ୍ଦ କରି ଦେଇଥିଲେ। ସେପଟେ ଓପୋଲ୍ଫେଡ୍ କର୍ମଚାରୀମାନେ ବି ୬ ମାସର ବକେୟା ଦରମା ଦାବିରେ ଧାରଣାରେ ବସିଥିଲେ। ଓପୋଲ୍ଫେଡ୍ର ଭୁବନେଶ୍ବରର ଓ କଟକରେ ଥିବା ୫ଟି ଚିକେନ୍ ଫ୍ରେସ୍ରେ ତାଲା ଝୁଲିଥିଲା। ଫାଷ୍ଟଫୁଡ୍ ବୁଥ୍ ବି ବନ୍ଦ ହୋଇଯାଇଥିଲା। ଓପୋଲ୍ଫେଡ୍ ନିର୍ଦ୍ଦେଶକ ଭକ୍ତହରି ମଲ୍ଲିକ କହିଛନ୍ତି, ଚାଷୀଙ୍କୁ ୭ ଦିନ ଭିତରେ ସେମାନଙ୍କ କୁକୁଡ଼ା ଓ ଅଣ୍ଡା ଟଙ୍କା ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ବାରମ୍ବାର ଓପୋଲ୍ଫେଡ୍ ଏମ୍ଡିଙ୍କ ବଦଳି କାରଣରୁ ଚାଷୀଙ୍କୁ ଟଙ୍କା ଦେବାରେ କିଛିଦିନ ବିଳମ୍ବ ହୋଇଯାଇଥିଲା। ୭ ଦିନ ବଦଳରେ ୨୫ ଦିନରେ ଚାଷୀଙ୍କୁ ଟଙ୍କା ଦିଆଯାଇଥିଲା।
ଏ ସଂପର୍କରେ ଚାଷୀଙ୍କ ସହ ଆଲୋଚନା ସରିଛି। ସମସ୍ତେ ପୂର୍ବଭଳି କୁକୁଡ଼ା ଓ ଅଣ୍ଡା ଯୋଗାଣ ଜାରି ରଖିବେ ବୋଲି କହିଛନ୍ତି। ଅପରପକ୍ଷେ କର୍ମଚାରୀମାନେ ଧାରଣାରୁ ଓହରି ସାରିଛନ୍ତି। କୋଭିଡ୍ ସମୟରେ ବ୍ୟବସାୟରେ କ୍ଷତି କାରଣରୁ କର୍ମଚାରୀଙ୍କ ୧୦ ମାସର ଦରମା ବାକି ରହି ଯାଇଥିଲା। ମୁଁ ଦାୟିତ୍ବ ଗ୍ରହଣ କରିବା ପରେ ବ୍ୟବସାୟର ଲାଭାଂଶରୁ ବକେୟା ୪ ମାସର ଦରମା କର୍ମଚାରୀଙ୍କୁ ଦିଆ ସରିଲାଣି। ବାକି ୬ ମାସର ଦରମା ଦେବା ସମ୍ଭବପର ହେଉନି। ତଥାପି ଲାଭରୁ ଏହି ବକେୟା ଦରମା ଦେବାକୁ ଚେଷ୍ଟା କରୁଛୁ। ସରକାର ବି ଏ ଦିଗରେ ସହାୟତାର ହାତ ବଢ଼ାଇବା ଜରୁରୀ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।