ବାରଙ୍ଗ: ଦାଢ଼ାପାଟଣା ଗ୍ରାମର ଆରାଧ୍ୟ ଦେବତା ଜଳେଶ୍ବର ମହାଦେବଙ୍କ ବିବାହ ଉତ୍ସବ ପାଇଁ ଗ୍ରାମ ଉତ୍ସବମୁଖର ହୋଇ ଉଠିଥିଲା। ପରମ୍ପରା ଅନୁସାରେ ସନ୍ଧ୍ୟାରେ ପାରମ୍ପରିକ ବାଦ୍ୟ ରୋଷଣିରେ ଶିବ ଓ ପାର୍ବତୀଙ୍କ ଚଳନ୍ତି ପ୍ରତିମାଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା। ପରେ ଜଳେଶ୍ବର ମହାଦେବଙ୍କ ପୀଠରେ ନିର୍ମିତ ବିବାହ ମଣ୍ଡପରେ ପ୍ରତିମା ବିଜେ କରାଯାଇ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ କରାଯାଇଛି। ଗ୍ରମାବାସୀମାନେ ଉଭୟ ବର ଓ କନ୍ୟା ପକ୍ଷର ଅତିଥି ଭାବେ ସାମିଲ ହୋଇଥିଲେ। ଉପହାର ଦେବା ସହିତ ବିବାହ ଭୋଜିର ପ୍ରସାଦ ସେବନ କରିବା ପରେ ବିବାହ ଉତ୍ସବ ଶେଷ ହୋଇଛି। ସେହିଭଳି ମଧୁବନର କନକେଶ୍ବର ମହାଦେବ ଓ ନରଣପୁରସ୍ଥିତ ରାମେଶ୍ବର ମହାଦେବଙ୍କ ପୀଠରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି।

Advertisment

ଦୁଲୁକିଲା ଢାୱା

ବାରଙ୍ଗ: ଶିବ ବିବାହ ଉତ୍ସବ ପାଳନରେ ପାରମ୍ପରିକ ବାଦ୍ୟ, ବାଣ ଓ ରୋଷଣିରେ ଦୁଲିକି ଉଠିଥିଲା ଢାୱା ଗ୍ରାମ। ପରମ୍ପରା ଅନୁସାରେ ଢାୱା ଗ୍ରାମର ସୋମନାଥ ଦେବ ଓ ଖୈରାପଡ଼ା ଗ୍ରାମର ଲୋକନାଥ ଦେବଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାରେ ଖୈରାପଡ଼ା ଗ୍ରାମରୁ ଲୋକନାଥ ଦେବଙ୍କ ଚଳନ୍ତି ପ୍ରତିମା ବିମାନରେ ବିଜେ ହୋଇ ଢାୱା ଗ୍ରାମକୁ ଆସିଥିଲେ। ସେମନାଥ ଦେବ ଗ୍ରାମମୁଣ୍ଡରୁ ବଡ଼ଭାଇଙ୍କୁ ପାଛୋଟି ଆଣିବା ଲାଗି ବିମାନରେ ବିଜେ ହୋଇ ରୋଷଣି କରି ଭକ୍ତଙ୍କ ଗହଣରେ ଯାଇଥିଲେ।

ସେଠାରୁ ଉଭୟ ଭାଇଙ୍କ ବରଯାତ୍ରୀ ସାଜି ଭକ୍ତମାନେ ରୋଷଣି କରି ଢାୱା ମନ୍ଦିର ପରିସରକୁ ଆସିଥିଲେ। ସେଠାରେ ଉଭୟ ବରଭ୍ରାତାଙ୍କୁ ବାଟ ବରଣୀ କରି ବିବାହ ବେଦୀରେ ବିଜେ କରାଯାଇଥିଲା। ସୋମନାଥଙ୍କ ବିବାହରେ ବରପିତା ଅଶୋକ କୁମାର ସାସମଲ ଓ କନ୍ୟାପିତା ପ୍ରଶାନ୍ତ କୁମାର ରାଉତ କର୍ତ୍ତା ହୋଇଥିଲେ। ସେହିଭଳି ଲୋକନାଥଙ୍କ ବିବାହର ବରପିତା ଜାନକୀ ବଲ୍ଲଭ ଯାଦବ ଓ କନ୍ୟାପିତା ପ୍ରୀତମ କୁମାର ଦାସ କର୍ତ୍ତା ହୋଇ ବିବାହ କରାଇଥିଲେ। ପଣ୍ଡିତ ପ୍ରତାପ ଚନ୍ଦ୍ର ପଣ୍ଡା, ସବ୍ୟସାଚୀ ପଣ୍ଡା, ପ୍ରତାପ ଦାଶ, ଗୌରୀଶଙ୍କର ମିଶ୍ର, ପ୍ରଭାସ ରଞ୍ଜନ ପଣ୍ଡା ମନ୍ତ୍ର ଉଚ୍ଚାରଣ କରି ହସ୍ତଗଣ୍ଠି ପକାଇ ବିବାହ ସମ୍ପନ୍ନ କରାଇଥିଲେ। ଉପସ୍ଥିତ ଶ୍ରଦ୍ଧାଳୁ ଉଭୟ ପକ୍ଷର ଅତିଥି ହୋଇ ଉପହାର ବନ୍ଦାଣ କରିଥିଲେ।