ଖଣ୍ଡଗିରି: ସମସ୍ତେ କଇଁ କଇଁ ହୋଇ କାନ୍ଦୁଥିଲେ। କିଏ କୋହଭରା କଣ୍ଠରେ କାଳରାତିର କାହାଣୀ କହୁଥିଲା ତ ଆଉ କିଏ ଶାରିରୀକ ନିର୍ଯ୍ୟାତନାର ପରବର୍ତ୍ତୀ ଅବସ୍ଥା ସମ୍ପର୍କରେ ବଖାଣୁଥିଲେ। ସମସ୍ତଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ମନ ଭିତରେ ଥିବା ଭୟ। କିଛି ଛାତ୍ର କହିବାକୁ ଚାହୁଥିଲେ ମଧ୍ୟ ପାଟି ଲାଗିଯାଉଥିଲା। କାଳେ ପୁଣିଥରେ ମାଡ଼ହେବ! ମାନସିକ ନିର୍ଯ୍ୟାତନା ଦିଆଯିବ! ସେଭଳି ଭୟ ପିଲାଙ୍କ ମନରେ ଆନ୍ଦୋଳିତ ହେଉଥିଲେ। ତା’ସତ୍ତ୍ବେ ମଧ୍ୟ ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟର ୨୫ରୁ ଅଧିକ ଛାତ୍ର ଆଜି ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ପ୍ରଜ୍ଞା ପାରମିତା ଜେନାଙ୍କ ସମ୍ମୁଖରେ ସେମାନଙ୍କ ଉପରେ ହୋଇଥିବା ଅତ୍ୟାଚାରର କାହାଣୀ କହିଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବିଦ୍ୟାଳୟ ବିରୋଧରେ ଛାତ୍ରମାନେ ଯେଉଁ ସମସ୍ତ ସାଂଘାତିକ ଅଭିଯୋଗ ଆଣିଥିଲେ, ସେଥିରେ ସତ୍ୟତା ରହିଥିବା ପ୍ରମାଣିତ ହୋଇଛି। ନିମ୍ନମାନର ଖାଦ୍ୟ ଦିଆଯିବା, ଶୌଚାଳୟ ଠିକ୍ ନ ଥିବା ସମ୍ପର୍କରେ ଗତକାଲି ଷ୍ଟୁଡେଣ୍ଟ ହେଲ୍ପ ଲାଇନ୍ରେ ଅଭିଯୋଗ ଆସିବା ପରେ ଆଜି ଅପରାହ୍ଣ ୩ଟାରେ ବିଇଓ ଶ୍ରୀମତୀ ଜେନା ନିଜେ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପହଞ୍ଚିବା କ୍ଷଣି ଖାଦ୍ୟ ମେନୁ ଯାଞ୍ଚ କରିଥିଲେ। ପିଲାମାନଙ୍କୁ କ’ଣ ସବୁ ଖାଇବାକୁ ଦିଆଯାଉଛି, ତାହା ଦେଖିଥିଲେ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ପୂର୍ଣ୍ଣିମା ଦିନ ପିଲାମାନଙ୍କୁ ଅଟାଓ ଗୁଡ଼ ଖାଇବାକୁ ଦିଆଯାଇଥିଲା, ଯେତେବେଳେ କି ହଷ୍ଟେଲ ସୁପରିଟେଣ୍ଡେଣ୍ଟ କିଶୋର ଦାସ ରୁଟି ଓ ଭଜା କରି ଖାଇଥିଲେ। ଖାଦ୍ୟ ମେନୁରେ ସକାଳ ଜଳଖିଆ ଭାବେ ମୁଢ଼ି ଓ ଘୁଘୁନି ରହିଛି। ଛାତ୍ରମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେବାକୁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ କରିଥିବା ବେଳେ ଜଳଖିଆରେ ମୁଢ଼ି ଓ ଘୁଘୁନି କିଭଳି ପୁଷ୍ଟିକର ତାହାକୁ ନେଇ ପ୍ରଶ୍ନ ଉଠିଛି। ବିଦ୍ୟାଳୟ ହଷ୍ଟେଲରେ ଥିବା ଶୌଚାଳୟଗୁଡ଼ିକ ଅବସ୍ଥା ତଦ୍ରୁପ। କେଉଁଠି କବାଟ ନାହିଁ ତ ଆଉ କେଉଁଠି ଆବର୍ଜନା ଗଦା ହୋଇ ରହିଛି।
କମ୍ ମାର୍କ ରଖିଲେ ମାଡ଼, ଦ୍ବିତୀୟ ଥର ଖାଇବାକୁ ମାଗିଲେ ମାଡ଼
ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚବିଦ୍ୟାଳୟ
ଛାତ୍ର ବଖାଣିଲେ ନିର୍ଯାତନାର କାହାଣୀ
ଖାଦ୍ୟ ଓ ଶୌଚାଳୟ ନେଇ ଆସିଥିବା ଅଭିଯୋଗ ଉପରେ ତଦନ୍ତ କରୁ କରୁ ବିଇଓଙ୍କ ଆଗରେ ଛାତ୍ରମାନେ ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସମ୍ପର୍କରେ ବଖାଣିଥିଲେ। ହଷ୍ଟେଲରେ କେଉଁଭଳି ଭାବେ ନିର୍ଯ୍ୟାତନା ଦିଆଯାଇଥିଲା, ତାହାକୁ ଦେଖାଇଥିଲେ। କିଏ ହାତରେ ବସିଥିବା ନୋଳାକୁ ଦେଖାଇ ତା’ ପ୍ରତି ହୋଇଥିବା ଅତ୍ୟାଚାର ବିଷୟରେ କହିଥିଲା ତ ଆଉ କିଏ ପିଠି ଦେଖାଇ ଖଣ୍ଡିଆ ହୋଇଥିବା ଘା’କୁ ଦେଖାଇଥିଲା। ଜଣେ କି ଦୁଇ ଜଣ ନୁହନ୍ତି, ୨୫ରୁ ଅଧିକ ଛାତ୍ର ନିଜ ପ୍ରତି ଘଟିଥିବା ଏ ଅମାନବୀୟ ଅତ୍ୟାଚାର ବିଷୟରେ ବଖାଣିଥିଲେ। ଜଣେ ଛାତ୍ର କାନ୍ଦିକାନ୍ଦି କହିଲେ, ‘‘ମୁଁ ପରୀକ୍ଷାରେ ମାର୍କ କମ୍ ରଖିଥିଲି ବୋଲି ମୋତେ ଲୁହାରଡ୍ରେ ପିଟିଥିଲେ। ଏମିତି ପିଟିଲେ ଯେ ମୋ’ ହାତରୁ ଚମ ଉଠି ରକ୍ତ ବୋହିଲା। ଯେତେ କାକୁତି ମିନତି ହେଲେ ମଧ୍ୟ ଗୁରୁଜୀ ମାରି ଚାଲିଥିଲେ...।’’ ଆଉ ଜଣେ ଛାତ୍ର କହିଥିଲେ, ‘‘ଖେଳିବାକୁ ଯିବାକୁ କହିବାରୁ ହାତ ପାଖରେ ଥିବା ପିଭିସି ପାଇପ୍ରେ ପ୍ରବଳ ପିଟିଲେ। ମୁଁ ବେହୋସ ହୋଇଗଲି। ଏନେଇ ମୋ’ ପରିବାରକୁ ଖବର ମଧ୍ୟ ଦେଲେନାହିଁ।’’ ଏଠାରେ ଭଲ ଖାଇବାକୁ ମଧ୍ୟ ଦିଆଯାଉ ନାହିଁ। ଦ୍ବିତୀୟ ଥର ଖାଇବାକୁ ମାଗିଲେ ମଧ୍ୟ ପିଟୁଛନ୍ତି। ଶୌଚାଳୟ ସଫା, ହଷ୍ଟେଲ୍ ସଫା କରିବାକୁ କହିଲେ ପ୍ରବଳ ଗାଳି ଦିଅନ୍ତି। ଅପମାନିତ କରନ୍ତି ବୋଲି ଛାତ୍ର ଜଣକ ଅଭିଯୋଗ କରିଥିଲେ।
ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପାଖାପାଖି ୪ ଘଣ୍ଟା ଧରି ଛାତ୍ରମାନଙ୍କଠାରୁ ଏଭଳି ଶାରୀରିକ ଓ ମାନସିକ ନିର୍ଯ୍ୟାତନାର କାହାଣୀ ଶୁଣିବା ସହ ପ୍ରମାଣ ଦେଖିବା ପରେ ବିଇଓ ଶ୍ରୀମତୀ ଜେନା କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୪୮ ଘଣ୍ଟା ଭିତରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ୍ ଶ୍ରୀ ଦାସ ଓ ସହକାରୀ ସୁପରିଟେଣ୍ଡେଣ୍ଟ ସବ୍ୟସାଚୀ ଦାସଙ୍କୁ ଚାକିରିରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ସୁରକ୍ଷା ଦେବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ବିଇଓ କିଛି ଶୁଣି ନ ଥିଲେ। ବରଂ ସିଧାସିଧା କହିଥିଲେ, ୪୮ ଘଣ୍ଟା ମଧ୍ୟରେ ଉଭୟଙ୍କୁ ବହିସ୍କାର କରିବା ସହ ୫ ଦିନ ଭିତରେ ଶୌଚାଳୟ ଓ ଖାଦ୍ୟ ସାମଗ୍ରୀର ମାନ ଉନ୍ନତ କର। ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଛାତ୍ରମାନଙ୍କ ଆନ୍ଦୋଳନକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ସମ୍ପୃକ୍ତ ସୁପରିଟେଣ୍ଡେଣ୍ଟ ଓ ସହକାରୀ ସୁପରିଟେଣ୍ଡେଣ୍ଟଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସୁରକ୍ଷା ଦେଇ ଚାଲିଛନ୍ତି। ଆଜି ସକାଳ ପର୍ଯ୍ୟନ୍ତ ସେମାନେ କ୍ୟାମ୍ପସରେ ରହିଥିଲେ। ବିଇଓ ଆସୁଥିବାର ଖବର ଶୁଣି ସେମାନେ ପଳାଇ ଯାଇଥିବା ଜଣାପଡ଼ିଛି। ତେବେ ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଆଜି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ସେପଟେ ଛାତ୍ରଙ୍କୁ ନିର୍ଯ୍ୟାତନା ଖବର ସାମ୍ନାକୁ ଆସିବା ପରେ ବିଭିନ୍ନ ସାମାଜିକ ସଙ୍ଗଠନର ପ୍ରତିନିଧିମାନେ ବିଦ୍ୟାଳୟ ଗସ୍ତ କରି ପିଲାଙ୍କ ଭଲ ମନ୍ଦ ବୁଝିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦେବାକୁ ମଧ୍ୟ ଦାବି କରିଛନ୍ତି।