ନୂଆପଲ୍ଲୀ ଛୁରାମାଡ଼, ବାର୍‌ କର୍ମଚାରୀଙ୍କୁ ହତ୍ୟା ମାମଲା : ବନ୍ଧୁକ ସହ ଧରାପଡ଼ିଲେ ୬ ଅଭିଯୁକ୍ତ

‘ମୁଁ ଡନ୍‌ ହେବି’

ଭୁବନେଶ୍ବର/ଖୋର୍ଦ୍ଧା : ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଉପକଣ୍ଠ ଗଡ଼ଖୋର୍ଦ୍ଧା ନିକଟସ୍ଥ ପାଢ଼ୀ ବାର୍ ନିକଟରେ ଗତକାଲି ଘଟିଥିବା ନୃଶଂସ ହତ୍ୟାକାଣ୍ତ ଘଟଣାରେ ସମସ୍ତ ୬ ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ିଛନ୍ତି। ପୁଲିସ ସମସ୍ତଙ୍କୁ ଜେରା କରୁଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ବରର ପେସାଦାର ଅପରାଧୀ। ସେମାନଙ୍କ ନାମରେ ହତ୍ୟା, ସଂଘବଦ୍ଧ ଆକ୍ରମଣ, ହତ୍ୟା ଉଦ୍ୟମ, ଗୁଳିକାଣ୍ଡ, ଦାଦାବଟି ଭଳି ଅନେକ ସଙ୍ଗିନ ମାମଲା ରହିଛି। ଗତକାଲି ନୂଆପଲ୍ଲୀ ଅଞ୍ଚଳରେ ଜଣଙ୍କୁ ଛୁରାମାଡ଼ କରିବା ପରେ ସେମାନେ ଖୋର୍ଦ୍ଧା ଯାଇଥିଲେ। ପାଢ଼ୀ ବାର୍ କର୍ମଚାରୀ ଅମୀୟ ବେହେରାଙ୍କୁ ହତ୍ୟା କରି ଫେରାର ହୋଇଯାଉଥିବା ବେଳେ ରଣପୁର ଜଗନ୍ନାଥ ବଜାର ନିକଟରେ ପୁଲିସ ସେମାନଙ୍କୁ ଧରିଥିଲା।

ଅଭିଯୁକ୍ତଙ୍କ ଠାରୁ ଦୁଇଟି କାର୍‌ ବିଏମ୍‌ଡ‌ବ୍ଲ୍ୟୁ (ଏଚ୍ଆର୍୨୬ ବିଜି-୧୧୪୫) ଓ ଏକ ହୋଣ୍ତା ସିଟି ଜବତ ହୋଇଛି। ସେମାନେ ପୁଲିସକୁ ଛୁରି ଓ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଆକ୍ରମଣ ଉଦ୍ୟମ କରି ଅଭିଯୁକ୍ତମାନେ ଖସିଯିବାକୁ ବସିଥିବା ବେଳେ ଖୋର୍ଦ୍ଧା ପୁଲିସର ଅନ୍ୟ ଏକ ଟିମ୍ ସମସ୍ତଙ୍କୁ ମାଡ଼ି ବସିଥିଲା।

ବିଏମ୍‌ଡବ୍ଲ୍ୟୁ କାର୍‌ଟି ହରିଆନାର ଏକ ଘରୋଇ କମ୍ପାନି ନାମରେ ପଞ୍ଜୀକୃତ ହୋଇଛି। ଠିକାଦାରଙ୍କ ଗାଡ଼ି ଅପରାଧୀଙ୍କ ପାଖକୁ କେମିତି ଆସିଲା? ଅପରାଧୀଙ୍କ ସହ ଠିକାଦାରର କ’ଣ ସମ୍ପର୍କ? ବାର୍‌ କର୍ମଚାରୀଙ୍କୁ ହତ୍ୟା ପଛର ରହସ୍ୟ କେବଳ ପାର୍କିଂ ବିବାଦ ନା ଆଉ କିଛି ଅଛି? ନୂଆପଲ୍ଲୀରେ ଛୁରାମାଡ଼ ଘଟଣା ପଛରେ ଗାଡ଼ି ସାଇଡ୍‌ ମାରିବା କାରଣ ନା ଆଉ କିଛି? ଏ ତମାମ୍‌ ପ୍ରଶ୍ନକୁ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି।

ସେମାନଙ୍କ ଘର ନୂଆପଲ୍ଲୀ ଅଞ୍ଚଳରେ ହୋଇଥିବାରୁ ନୂଆପଲ୍ଲୀ ଥାନା ପୁଲିସ ସହ ଖୋର୍ଦ୍ଧା ପୁଲିସ ଯୋଗାଯୋଗ କରି ଅଭିଯୁକ୍ତଙ୍କ ସମ୍ବନ୍ଧରେ ଅନେକ ତଥ୍ୟ ହାସଲ କରିଛି। ବିଳମ୍ବିତ ରାତିରେ ପୁଲିସ ମୁଖ୍ୟାଳୟରୁ ଜଣେ ବରିଷ୍ଠ ଅଧିକାରୀ ଏମାନଙ୍କୁ ଜେରା କରିଛନ୍ତି। ଏ ନେଇ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି, ନୂଆପଲ୍ଲୀ ଛୁରାମାଡ଼ ଘଟଣା ଓ ହତ୍ୟା ଘଟଣାରେ ଏହି ଅଭିଯୁକ୍ତ ସମ୍ପୃକ୍ତ। ଛୁରି, ବନ୍ଧୁକ ସମେତ ଅନ୍ୟ ମାରଣାସ୍ତ୍ର ସେମାନଙ୍କ ଠାରୁ ଜବତ ହୋଇଛି।

‘ମୁଁ ଡନ୍‌ ହେବି’
ପାତ୍ରପଡ଼ାର ଅବିନାଶ ପ୍ରଧାନଙ୍କୁ ଛୁରାମାଡ଼ ଓ ତାଙ୍କ ବନ୍ଧୁ ମୋହିତ୍ ପଣ୍ଡାଙ୍କୁ ମାଡ଼ ମାରିବା ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଖୋର୍ଦ୍ଧା ହତ୍ୟାକାଣ୍ଡରେ ସମ୍ପୃକ୍ତ ରହିଛି। ପୁଲିସ ଅଭିଯୁକ୍ତଙ୍କ ସମ୍ବନ୍ଧରେ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବାକୁ କହିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମ୍ବନ୍ଧରେ ଅନେକ ତଥ୍ୟ ଏକ ବିଶ୍ବସ୍ତ ସୂତ୍ରରୁ ହସ୍ତଗତ ହୋଇଛି। ମୁଖ୍ୟ ଅଭିଯୁକ୍ତ ହେଉଛି ଆଇଆର୍‌ସି ଭିଲେଜ୍‌ର ମୃତ୍ୟୁଞ୍ଜୟ ନାୟକ ଓରଫ୍ ମିକୁ। ୨୦୧୪ରେ ବହୁ ଚର୍ଚ୍ଚିତ ମଣ୍ଟୁ ହତ୍ୟାକାଣ୍ଡରେ ମିକୁ ଓ ତା’ ଭାଇ ଚିକୁର ସଂପୃକ୍ତି ଥିଲା। ଚିକୁ ଏବେ ମଧ୍ୟ ଏହି ହତ୍ୟାକାଣ୍ଡ ପାଇଁ ଜେଲ୍‌ରେ ରହିଛି। ମିକୁର ବାପାକୁ ମଧ୍ୟ ୬ ବର୍ଷ ପୂର୍ବେ ହତ୍ୟା କରାଯାଇଥିଲା। ଯେଉଁ ଗୋଷ୍ଠୀ ତାଙ୍କୁ ହତ୍ୟା କରିଥିଲା ସେହି ଗୋଷ୍ଠୀ ସହ ଦୁଇଭାଇଙ୍କର ଅହିନକୁଳ ସମ୍ପର୍କ ହୋଇଥିଲା। ସେବେ ଠାରୁ ମିକୁ ଶପଥ କରିଥିଲା ଯେ ‘ମୁ ବି ଦିନେ ଡନ୍ ହେବି’। ସେବେ ଠାରୁ ସେ ବିଭିନ୍ନ ଅପରାଧରେ ସାମିଲ ହୋଇ ଯାଇଥିଲା। ତେବେ ମିକୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଗତ କିଛିମାସ ତଳେ ମିକୁ ମଧ୍ୟ ଜଣେ ନାବାଳକ ଛୁରାମାଡ଼ କରି ଜେଲ୍ ଯାଇଥିବା ରେକର୍ଡ ରହିଛି। ନିକଟ ଅତୀତରେ ଜାମିନ୍‌ରେ ଆସି ପ୍ରଥମେ ନୂଆପଲ୍ଲୀ ଓ ପରେ ଖୋର୍ଦ୍ଧାରେ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ଏଠାରୁ ଛୁରାମାଡ଼ କରି ଖୋର୍ଦ୍ଧା ଯାଇଥିଲେ। ସନ୍ଧ୍ୟା ୭ଟାରେ ପାର୍କିଂକୁ କେନ୍ଦ୍ର କରି ପାଢ଼ୀ ବାର୍‌ କର୍ମଚାରୀଙ୍କୁ ଛୁରି ଭୁଷି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର