‘ଦାଦାବଟିକୁ ନା’ ମିସନ୍‌ : ଗିରଫ ହେଲେ ୬ ଦାଦା

ବସ୍ତି, ଉଠାଦୋକାନୀଙ୍କଠାରୁ ଆଦାୟ କରୁଥିଲେ ବଟି
ପୁଲିସକୁ ଆକ୍ରମଣ ଅଭିଯୋଗରେ ମା’, ଭଉଣୀ ଗିରଫ

ଭୁବନେଶ୍ୱର : ‘ଦାଦାବଟିକୁ ନା’ ଅପରେସନ୍‌ରେ କମିସନରେଟ୍‌ ପୁଲିସ୍‌ ଆଜି ଗୋଟିଏ ଦିନରେ ତଥାକଥିତ ୬ ଦାଦାଙ୍କୁ ଗିରଫ କରିଛି। ଏହାସହ ଜଣେ ଅଭିଯୁକ୍ତକୁ ଗିରଫ ବେଳେ ପୁଲିସ୍‌କୁ ଆକ୍ରମଣ କରିବା ଅଭିଯୋଗରେ ଆଉ ୨ଜଣ ମହିଳା ଗିରଫ ହୋଇଛନ୍ତି।

ପୁଲିସ ସୂଚନା ଅନୁସାରେ, ସାଲିଆସାହି ନିରଙ୍କରୀନଗରରେ ଗତକାଲି ସଞ୍ଜୟ କୁମାର ସେଠୀ ଓରଫ ପପୁ ଓ ତା’ର ସହଯୋଗୀ ଲିଟୁ ତାରିଣୀନଗରର ରିୟାସତ ଖାନଙ୍କୁ ଦାଦାବଟି ମାଗିବା ସହ ଗାଡ଼ି ଛଡ଼ାଇ ନେଇଥିଲେ। ୩୦ ହଜାର ଟଙ୍କା ଦେଲେ ଗାଡ଼ି ଛାଡ଼ି‌ବେ ବୋଲି କହିଥିଲେ। ଖବର ପାଇ ନୟାପଲ୍ଲୀ ଥାନା ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସଞ୍ଜୟକୁ ଧରିବାକୁ ଉଦ୍ୟମ କରିବାରୁ ତା’ ମା’ ଅନ୍ନପୂର୍ଣ୍ଣା ସେଠୀ ଏବଂ ଭଉଣୀ ବିଷ୍ଣୁପ୍ରିୟା ପୁଲିସକୁ ଆକ୍ରମଣ କରିଥିଲେ। ତେଣୁ ଦାଦାବଟି ଓ ପୁଲିସକୁ ଆକ୍ରମଣ ଅଭିଯୋଗରେ ସଞ୍ଜୟ, ଲିଟୁ, ଅନ୍ନପୂର୍ଣ୍ଣା ଓ ବିଷ୍ଣୁପ୍ରିୟାଙ୍କୁ ଗିରଫ କରିଛି। ସଂଜୟ ଓ ଲିଟୁ ବିରୋଧରେ ଦାଦାବଟି ଆଦାୟ ମାମଲା ଏବଂ ମା’ ଓ ଉଭଣୀଙ୍କ ବିରୋଧରେ ପୁଲିସକୁ ଆକ୍ରମଣ ନେଇ ମାମଲା ରୁଜୁ ହୋଇଛି।

‌‌‌ସେହିପରି ମଞ୍ଚେଶ୍ବର କିମ୍ଭୀରିଆ ବସ୍ତିରେ ସରକାରୀ ଜମିରେ ଘର କରୁଥିବା ଲୋକଙ୍କଠାରୁ ଦାଦାବଟି ଆଦାୟ ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଅନିଲ ବଳିୟାରସିଂ ଓ ସୂର୍ଯ୍ୟକାନ୍ତ ଦାସ। ଅପରପକ୍ଷେ ଫଳ ଦୋକାନୀଙ୍କଠାରୁ ଦାଦାବଟି ଆଦାୟ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ବୁଦ୍ଧନଗର କଦଳୀ ଗୋଦାମ ବସ୍ତିର ହେମନ୍ତ ପ୍ରଧାନକୁ ଗିରଫ କରିଛି। ଅନ୍ୟ ଏକ ଘଟଣାରେ କଳ୍ପନା ଛକରେ ଉଠା ଦୋକାନୀଙ୍କଠାରୁ ଦାଦାବଟି ଆଦାୟ ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ରୁଦ୍ରପ୍ରସାଦ ସାହୁକୁ ଗିରଫ କରିଛି।

ସମ୍ବନ୍ଧିତ ଖବର