କମିସନରେଟ୍‌ ପୁଲିସକୁ ବଡ଼ ସଫଳତା : ୩ ନିଶାଦିଆ ଲୁଟେରାଙ୍କ ସମେତ ୬ଗିରଫ

ନିଶା ଔଷଧ, ଲକ୍ଷାଧିକ ଟଙ୍କାର ଲୁଟ୍‌ ଗହଣା ଜବତ

ଭୁବନେଶ୍ବର : ରାଜଧାନୀରେ ଲୋକଙ୍କୁ ନିଶା ଦେଇ ଲୁଟୁଥିବା ଏକ ଗ୍ୟାଙ୍ଗର ଆଜି ପର୍ଦ୍ଦାଫାସ୍‌ କରିଛି କମିସନରେଟ୍‌ ପୁଲିସ୍‌ର ସ୍ପେସାଲ ସ୍କ୍ବାଡ୍‌। କଥାବାର୍ତ୍ତା ଆଳରେ ବନ୍ଧୁତା ସ୍ଥାପନ କରି ଲୋକଙ୍କୁ ଲୁଟୁଥିବା ୩ ଲୁଟେରା, ବିନା ପ୍ରେସ୍‌କ୍ରିପ୍‌ସନ୍‌ରେ ନିଶା ଔଷଧ ବିକ୍ରି କରୁଥିବା ଜଣେ ଔଷଧ ଦୋକାନୀ ଓ ଲୁଟ୍‌ ସାମଗ୍ରୀ କିଣୁଥିବା ୨ ଜଣ ଲୋକ; ଏଭଳି ମୋଟ ୬ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ୩ ଲୁଟେରା ହେଲେ, ଗଞ୍ଜାମ ପୁରୁଷୋତ୍ତମପୁର ସୀମାଞ୍ଚଳ ସୁବୁଦ୍ଧି, ନୟାଗଡ଼ ଓଡଗାଁ ଭାଗବତ ପ୍ରସା‌ଦର ସୁଶାନ୍ତ ରାଉତ ଓ ଗଞ୍ଜାମ ଜଗନ୍ନାଥପ୍ରସାଦ ବିଦିପୁର ଶାସନର ବସନ୍ତ ସାହୁ। ଏମାନଙ୍କୁ ବିନା ପ୍ରେସ୍‌କ୍ରିପ୍‌ସନ୍‌ରେ ନିଶା ‌ଔଷଧ ବିକ୍ରି କରିଥିବା ଔଷଧ ଦୋକାନୀ ହେଉଛି ରାଜସୁନାଖଳା ଶାସନସାହିର ସଞ୍ଜୟ ମିଶ୍ର। ସଞ୍ଜୟର ରାଜସୁନାଖଳା ବଜାରରେ ଔଷଧ ଦୋକାନ ରହିଛି। ସେହିପରି ଲୁଟ୍‌ ଜିନିଷ କିଣିଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି, ବାଣପୁର ଗମ୍ଭାରମୁଣ୍ଡାର ନାଲୁ ସାହୁ ଓ ଟାଙ୍ଗୀ ଭୁଷଣ୍ଡପୁର ମୁଳିଝରର କାଳିଆ ନାୟକ। ଅଭିଯୁକ୍ତମାନଙ୍କୁ ଭରତପୁର ଥାନା ପୁଲିସ୍‌ ଆଜି କୋର୍ଟ ଚାଲାଣ କରିଛି। ଏମାନଙ୍କଠାରୁ ୪୦ ଗ୍ରାମ୍‌ ଓଜନର ୩ଟି ସୁନା ଚେନ୍‌, ୧୮ ଷ୍ଟ୍ରିପ୍‌ ନିଶା ଔଷଧ (ଆଟିଭାନ୍‌-୨ଏମ୍‌ଜି), ଗୋଟିଏ ବାଇକ୍‌ ଓ ୬ଟି ମୋବାଇଲ ଫୋନ୍‌ ଜବତ ହୋଇଛି। ଏହି ଲୁଟେରାମାନଙ୍କ ବିରୋଧରେ ଭରତପୁର ଥାନାରେ ୨ଟି ଓ ଖଣ୍ଡଗିରି ଥାନାରେ ୩ଟି ମାମଲା ରହିଛି। ତେବେ ଏହି ନିଶାଦିଆ ଲୁଟେରା ଗ୍ୟାଙ୍ଗରେ ଆହୁରି ଅନେକ ସଦସ୍ୟ ଥିବା ପୁଲିସ୍‌ ଜାଣିବାକୁ ପାଇଛି। ସେମାନଙ୍କୁ ଠାବ କରାଯାଉଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।

କେମିତି ଲୁଟୁଥିଲେ
ଏହି ଗ୍ୟାଙ୍ଗ୍‌ର ତିନି ନିଶାଦିଆ ଲୁଟେରା ଭୁବନେଶ୍ବର ବାହାରର ବାସିନ୍ଦା। ଏମାନେ କେବଳ ଲୁଟିବା ପାଇଁ ଭୁବନେଶ୍ବରର ଆସନ୍ତି। ଆବଶ୍ୟକ ପଡ଼ିଲେ, ବିଭିନ୍ନ ବସ୍ତିରେ ଘର ଭଡ଼ା ନେଇ ମଧ୍ୟ ରହନ୍ତି। ତେବେ ପୁଲିସ ତନାଘନା କଲେ ସେମାନେ ରାଜଧାନୀ ଛାଡ଼ି ଦିଅନ୍ତି। ଏମାନେ ଏକାଠି ବସ୍‌ରେ ବ୍ରହ୍ମପୁର ଓ ଅନ୍ୟାନ୍ୟ ଦୂର ଜାଗାକୁ ଯାଆନ୍ତି। ସେଠାରୁ ଭୁବନେଶ୍ବର ଫେରନ୍ତି। ଫେରିବା ବେଳେ ଯାତ୍ରୀଙ୍କୁ ଟାର୍ଗେଟ୍‌ କରିଥା’ନ୍ତି। କେଉଁ ଲୋକ ପାଖରେ ସୁନାଗହଣା କିମ୍ବା ଟଙ୍କା ଅଛି; କଥାବାର୍ତ୍ତା ଓ ଆଚରଣରୁ ଠଉରାଇବା ପରେ ତାକୁ ଟାର୍ଗେଟ୍‌ କରିନିଅନ୍ତି। କଥାଛଳରେ ତାଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତି। ତେବେ ଏଥିରେ ଜଣେ ଫେଲ୍‌ ମାରିଲେ, ଅନ୍ୟ ଜଣେ ଉଦ୍ୟମ କରେ। ବନ୍ଧୁତା ସ୍ଥାପନ ହେବା ପରେ ଚା’, ବିସ୍କୁଟ୍‌, ଥଣ୍ଡା ପାନୀୟ କିମ୍ବା ଅନ୍ୟ କୌଣସି ଖାଦ୍ୟ ପଦାର୍ଥରେ ଏମାନେ ନିଶା ଔଷଧ ମିଶାଇ ଲୋକଙ୍କୁ ଖାଇବାକୁ ଦେଇଥାନ୍ତି। ବିଶ୍ବାସ ଜିତିବା ପାଇଁ ଏହି ଯାତ୍ରୀଙ୍କ ଆଗରେ ସେମାନେ ମଧ୍ୟ ଏହି ସବୁ ଖାଦ୍ୟ ପଦାର୍ଥ ଖାଇଥାଆନ୍ତି। ବିଶେଷକରି ଚା’ ଓ ଥଣ୍ଡା ପାନୀୟରେ ନିଶା ମିଶାଇବା ସହଜ ହୋଇଥିବା ବେଳେ ବିସ୍କୁଟ୍‌ରେ ମିଶାଇବା କଷ୍ଟ ହୋଇଥାଏ। ତେଣୁ ଏମାନେ ବିସ୍କୁଟ କିଣିବା ପରେ ସେଥିରେ ନିଶାଦ୍ରବ୍ୟ ମିଶାଇ ଆଉ ଥରେ ପ୍ୟାକ୍‌ କରିଦିଅନ୍ତି। ଯାତ୍ରୀ ସାମ୍ନାରେ ଏମାନେ ଦୋକାନରୁ ବିସ୍କୁଟ କିଣୁଥିଲେ ମଧ୍ୟ ଚତୁରତାର ସହ ପାଖରେ ଥିବା ନିଶା ଯୁକ୍ତ ବିସ୍କୁଟ ଯାତ୍ରୀକୁ ଦେଇ ଦିଅନ୍ତି। ନିଶା ହେଉ ହେଉ ଏମାନେ ସର୍ବସ୍ବ ଲୁଟି ଫେରାର ହୋଇଯାଆନ୍ତି। ବିଚରା ଯାତ୍ରୀ କିଛି ଜାଣି ପାରେନାହିଁ।

କେମିତି ଧରିଲେ
ଏମାନେ ଏଭଳି କାମ କରନ୍ତି ଯେ ଧରିବା କଷ୍ଟ ହୋଇଥାଏ। ଏଭଳି ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଖରେ ଏମାନଙ୍କ ବାବଦରେ କୌଣସି ସୂଚନା ନଥାଏ। ନିକଟ ଅତୀତରେ ଲଗାତାର ଏଭଳି ଲୁଟ୍‌ପାଟ୍‌ ହେବା ପରେ ଡିସିପି ଉମାଶଙ୍କର ଦାଶ ଗୁରୁତ୍ବର ସହ ନେଇଥିଲେ। ଏନେଇ ସ୍ପେସାଲ ସ୍କ୍ବାଡ୍‌କୁ ଦାୟିତ୍ବ ଦିଆଯାଇଥିଲା। ସ୍ପେସାଲ ସ୍କ୍ବାଡ୍‌ ଏସିପି ସଞ୍ଜୀବ ଶତପଥୀ ଲୁଟେରାଙ୍କୁ କାବୁ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ତିନିଦିନ ଧରି ଦୂରରୁ ଆସୁଥିବା ବସ୍‌ଗୁଡ଼ିକକୁ ଟାର୍ଗେଟ୍‌ କରାଯାଇଥିଲା। ସ୍ପେସାଲ ସ୍କ୍ବାଡ୍‌ର ଦୁଇଜଣ କର୍ମଚାରୀ ବ୍ରହ୍ମପୁର ଯାଇ ବସ୍‌ ଯୋଗେ ଭୁବନେଶ୍ବର ଫେରିଥିଲେ। ବିଭିନ୍ନ ଜାଗାରୁ ଏଭଳି ତିନିଦିନ ଯିବାଆସିବା କରିବା ପରେ ଶେଷରେ ଲୁଟେରା ଏମାନଙ୍କୁ ଟାର୍ଗେଟ୍‌ କରିଥିଲେ। ଭୁବନେଶ୍ବରରେ ଥିବା ଏସିପି ଏ ନେଇ ମୋବାଇଲ୍‌ ଜରିଆରେ ସୂଚନା ପାଇବା ପରେ ବରମୁଣ୍ଡାରେ ସଦଳବଳ ଛକିଥିଲେ। ଲୁଟେରା ବସ୍‌ରୁ ଓହ୍ଲାଇ ସେମାନଙ୍କୁ ଚା’ ଯାଚିବା ବେଳେ ଜଣକୁ ଧରିବାକୁ ସକ୍ଷମ ହୋଇଥିଲେ। ପରେ ଅନ୍ୟ ଦୁଇ ଲୁଟେରାଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ସୂଚନାକୁ ଆଧାର କରି ଔଷଧ ବେପାରୀ ଓ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା।

ଜନସାଧାରଣଙ୍କ ସହଯୋଗ ଲୋଡ଼ିଲେ କମିସନର
ପୁଲିସ କମିସନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି, ଏଭଳି ଅପରାଧରୁ ଭୁବନେଶ୍ବରକୁ ମୁକ୍ତ ରଖିବା ପାଇଁ ଜନସାଧାରଣଙ୍କର ସହଯୋଗ ଲୋଡ଼ା। ପ୍ରତ୍ୟେକ ଘଟଣାରେ ଅଜଣା ବ୍ୟକ୍ତିଙ୍କ ସହ ସମ୍ପର୍କ ରଖି ଯାତ୍ରୀ ଲୁଟ୍‌ର ଶିକାର ହେଉଛନ୍ତି। ପ୍ୟାକେଟ୍‌ ଜିନିଷ ଖାଇଲେ ମଧ୍ୟ ନିଶାଗ୍ରସ୍ତ ହୋଇ ଯାଉଛନ୍ତି। ଏଣୁ ଅଜଣା ଲୋକଠାରୁ କୌଣସି ଜିନିଷ ଗ୍ରହଣ କରନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି। ଗତ ଦୁଇ ତାରିଖରେ ଭୁବନେଶ୍ବରର ଗଙ୍ଗାଧର ପଣ୍ଡା ବ୍ରହ୍ମପୁରରୁ ବସ୍‌ରେ ଆସିବା ବେ‌ଳେ ଲୁଟେରାଙ୍କ ଶିକାର ହୋଇଥିଲେ। ଲୁଟେରା ତାଙ୍କର ସର୍ବସ୍ବ ଲୁଟି ଚନ୍ଦକା ଜଙ୍ଗଲ କଡ଼ରେ ଫିଙ୍ଗି ଦେଇଥିଲେ। ଫେବ୍ରୁଆରି ୯ତାରିଖରେ ମୟୂରଭଞ୍ଜ ଯଶିପୁରର ରମେଶ ଖାଲୁଣ୍ଡି ଏଭଳି ଲୁଟ୍‌ର ଶିକାର ହୋଇଥିଲେ। ୧୧ ତାରିଖରେ ବୌଦ୍ଧର ଜିତେନ୍ଦ୍ର ବେହେରା ଶିଶୁଭବନ ଛକରେ ଏଭଳି ଲୁଟ୍‌ର ଶିକାର ହୋଇଥିଲେ। ୧୫ ତାରିଖ ଦିନ ନବରଙ୍ଗପୁର ଉମରକୋଟର ରାମଦୁର୍ଗା ଲୁଟ୍‌ର ଶିକାର ହୋଇଥିଲେ। ବସ୍‌ ଓ ଟ୍ରେନ୍‌ ଯାତ୍ରୀମାନଙ୍କୁ ଏହି ଲୁଟେରାମାନେ ଟାର୍ଗେଟ୍‌ କରି ଲୁଟୁଛନ୍ତି। ତେବେ ଏଯାବତ୍‌ ରେଳବାଇ ପୁଲିସକୁ ସଫଳତା ମିଳି ପାରିନାହିଁ।

ସମ୍ବନ୍ଧିତ ଖବର