ଆରମ୍ଭ ହେଲା ଗୁରୁ ପଙ୍କଜ ଉତ୍ସବ ଓ ମାହାରୀ ସମ୍ମାନ ସମାରୋହ: ଦୁର୍ଗାଙ୍କ ସୁମରଣା ଢାଳିଲା ଭକ୍ତିରସ, ସମ୍ମାନିତ ହେଲେ ୪ ଶିଳ୍ପୀ

ଭୁବନେଶ୍ୱର: ନୃତ୍ୟରେ ହେଉଥିଲା ଦୁର୍ଗାଙ୍କ ଆରଧନା। ନୃତ୍ୟଶିଳ୍ପୀ ସୁପ୍ରଭା ସାହୁ ମଙ୍ଗଳାଚରଣରେ ପରିବେଷଣ କରିଥିଲେ ‘ନବଦୁର୍ଗା ନୃତ୍ୟ’। ଯାହା ଭକ୍ତିରସରେ ଦର୍ଶକଙ୍କୁ ବିମୋହିତ କରିଥିଲା। ଆଦିଗୁରୁ ପଙ୍କଜ ଚରଣ ଦାସ ଏହାର ନୃତ୍ୟ ସଂଯୋଜନା ଓ ପରିକଳ୍ପନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଲିଙ୍ଗରାଜ ପ୍ରଧାନ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆଜି ରବୀନ୍ଦ୍ର ମଣ୍ଡପ ମଞ୍ଚରେ ‘୨୭ତମ ଗୁରୁ ପଙ୍କଜ ଉତ୍ସବ ଓ ମାହାରୀ ସମ୍ମାନ ସମାରୋହ’ ଏହିଭଳି ଆରମ୍ଭ ହୋଇଥିଲା। ପରେ ଦର୍ଶକମାନେ ଗୁରୁ ସୁହାଗ ନଳିନୀ ଦାସଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଆମେରିକାରୁ ଆସିଥିବା ନୃତ୍ୟ ଶିଳ୍ପୀ ଇପ୍‌ସିତା ଶତପଥୀଙ୍କ ‘ଅଭିନୟ ନାହିଁ କେ କରିଦେଲା’ ନୃତ୍ୟରେ ବିଭୋର ହୋଇଥିଲେ। ଏହାପରେ ‘ଶଙ୍କରା ଭରଣ ପଲ୍ଲବୀ’ ଓ ‘ନ ଯା ଯମୁନା’ ଗୀତରେ ରୋଜି ସ୍ୱାଇଁ ନୃତ୍ୟାଭିନୟ କରିଥିଲେ। ନୃତ୍ୟ ଶିଳ୍ପୀ ସନ୍ଧ୍ୟାରାଣୀ ପ୍ରଧାନ ‘ମଙ୍ଗଳମ୍‌, ଲାଜରେ ସରିଗଲା ଆଜ’ ଓ ସନ୍ଧ୍ୟାର ଶେଷ ଶିଳ୍ପୀ ଭାବରେ ଗୁରୁ ସନାତନ ନାୟକ, ପରିବେଷଣ କରିଥିଲେ ‘ଶଙ୍କରା ଭରଣ ପଲ୍ଲବୀ’ ଓ ଅଭିନୟରେ ‘ମୀନ ନୟନ’।

ତିନି ଦିନ ଧରି ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଆଦିଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସନ୍ଧ୍ୟାରେ ବିଧାୟକ ଦେବୀପ୍ରସାଦ ମିଶ୍ର, ପଦ୍ମଶ୍ରୀ ଅରୁଣା ମହାନ୍ତି, ଗୁରୁ ଧନେଶ୍ବର ସ୍ବାଇଁ, ବିଶିଷ୍ଟ କବି ଅନ୍ତର୍ଯ୍ୟାମୀ ମିଶ୍ର ଓ ନାଲ୍‌କୋର ବରିଷ୍ଠ ଅଧିକାରୀ ଆଶୁତୋଷ ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶିଳ୍ପୀଙ୍କୁ ସେମାନଙ୍କ ଅବଦାନ ଓ ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନିତ କରାଯାଇଥିଲା। ଓଡ଼ିଶୀ ସଙ୍ଗୀତ ପାଇଁ ଗୁରୁ ବିଜୟ ଜେନାଙ୍କୁ ‘ବିଣାକାର ସମ୍ମାନ’, ମର୍ଦ୍ଦଳ ପାଇଁ ପ୍ରଫେସର ଜଗନ୍ନାଥ କୁଅଁରଙ୍କୁ ‘ମାଦେଳି ସମ୍ମାନ’ ଓ ଓଡ଼ିଶୀ ଗାୟନ ପାଇଁ ଗୁରୁ ସୁକାନ୍ତ କୁମାର କୁଣ୍ଡୁଙ୍କୁ ‘ଗାଉଣୀ ସମ୍ମାନ’, ସମ୍ପ୍ରଦା ଓ ନୃତ୍ୟ ପାଇଁ ପ୍ରଣତୀ ମହାନ୍ତିଙ୍କୁ ‘ନାଚୁଣୀ’ ସମ୍ମାନରେ ସମ୍ମାନିତ କରାଯିବା ସହ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ନିର୍ଦ୍ଦେଶକ ଓ ସମ୍ପାଦକ ଗୁରୁ ଶରତ ଦାସ, ମୁଖ୍ୟ ଉପଦେଷ୍ଟା ବଟକୃଷ୍ଣ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର