ଡକାୟତି ଯୋଜନା ବେଳେ ମାଡ଼ି ବସିଲା ପୁଲିସ : ‘୬ ଗିରଫ, ଦେଶୀ ବନ୍ଧୁକ ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ

ଭୁବନେଶ୍ୱର : ମଙ୍ଗଳବାର ବିଳମ୍ବିତ ରାତିରେ ଚିଲିପୋଖରୀ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ୬ ଜଣଙ୍କୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ଭୋଇ ସାହିର ଅଜୁ ବର୍ଦ୍ଧନ, ଗ୍ୟାରେଜ୍‌ ଛକର ଅନିଲ ସାହୁ, ବରମୁଣ୍ଡାର ରଞ୍ଜନ ପ୍ରଧାନ, ଚିଲିପୋଖରୀର ବାବୁଲି ଭୋଇ, ଲକ୍ଷ୍ମୀସାଗରର ଅନୀଲ ରାଉତ ଓ ନରେଶ ବାରିକ। ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ ସହ ଦୁଇଟି ବାଇକ୍‌, ଗୋଟିଏ କଟୁରି ଓ ତାଲା ଭାଙ୍ଗିବା ସରଞ୍ଜାମ ଜବତ କରାଯାଇଛି। ପଚରାଉଚରା ପରେ ସେମାନଙ୍କ ଘରୁ ୧୨୬ ଗ୍ରାମ୍‌ର ସୁନା ଅଳଙ୍କାର ଜବତ କରାଯାଇଥିଲା। ଚଢ଼ଉ ବେଳେ ଘଟଣାସ୍ଥଳରୁ ଆଉ ଦୁଇଜଣ ଖସି ଯାଇଛନ୍ତି। ସେମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତା’ ଛଡ଼ା ସେମାନେ ବଡ଼ଗଡ଼ ଥାନାରେ ୩ଟି ମାମଲା ସହ ସହରର ବିଭିନ୍ନ ସ୍ଥାନରେ ଚୋରି, ଡକାୟତି, ସିନ୍ଧିଚୋରି ପ୍ରଭୃତି ମାମଲା‌ରେ ସମ୍ପୃକ୍ତ ଅଛନ୍ତି। ସୂଚନା ମୁତାବକ, ବଡ଼ଗଡ଼ ଥାନାରେ ହୋଇଥିବା ୩ଟି ସିନ୍ଧି ଚୋରି ଓ ଡକାୟତି ମାମଲାରେ ଅପରାଧୀଙ୍କୁ ପୁଲିସ ଖୋଜୁଥିଲା। ଗତକାଲି ରାତିରେ ଚିଲିପୋଖରୀ ଅଞ୍ଚଳରେ କେତେକ ଅସାମାଜିକ ଯୁବକ ଆଡ଼ା ଜମାଇଥିବା ନେଇ ପୁଲିସକୁ ଖବର ମିଳିଥିଲା। ପୁଲିସ ଚଢ଼ଉ କରି ଏହି ଯୁବକମାନଙ୍କୁ ଧରିଥିଲା।

ସମ୍ବନ୍ଧିତ ଖବର