ଧଉଳି: ଆଜି ରାତି ପ୍ରାୟ ୮ଟା ବେଳେ ଦୟା ନଦୀବନ୍ଧ ରାସ୍ତାରେ ବସନ୍ତପୁର ନିକଟରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ଜଣେ ମହିଳାଙ୍କ ସମେତ ୬ଜଣ ଆହତ ହୋଇଛନ୍ତି। ପୂର୍ବ ବିବାଦକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଧଉଳି ଥାନା ପୁଲିସ ଉଭୟ ପକ୍ଷରୁ ଅଭିଯୋଗ ଗ୍ରହଣ କରିଛି ଏବଂ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କିନ୍ତୁ କାହାକୁ ଗିରଫ କରାଯାଇନାହିଁ। ଆହତମାନଙ୍କ ମଧ୍ୟରେ ଅଛନ୍ତି ବସନ୍ତପୁର ଗ୍ରାମର ରଞ୍ଜୁ ବେହେରା ଓ ତାଙ୍କ ପୁଅ ବିକାଶ। ସେହିପରି ପାଲଟା ଆକ୍ରମଣରେ ପଳାସପୁର ଭୋଇସାହିର କହ୍ନେଇ ମଲ୍ଲିକ(୨୨), ପପୁ ଭୋଇ(୨୦), ଉମେଶ ବେହେରା (୨୫) ଓ କାହ୍ନା ରାଉତ ମଧ୍ୟ ଆହତ ହୋଇଛନ୍ତି। ଗଣ୍ଡଗୋଳ ବଢ଼ିବା ଆଶଙ୍କାରେ ଧଉଳି ଥାନା ପକ୍ଷରୁ ବସନ୍ତପୁରରେ ପୁଲିସ ମୁତୟନ କରାଯାଇଛି।
ଉଭୟ ପକ୍ଷଙ୍କ ମଧ୍ୟରେ ପୁରୁଣା ବିବାଦ ରହିଛି। ବସନ୍ତପୁର ଲୋକଙ୍କ ଅଭିଯୋଗ ଅନୁସାରେ ପଳାସପୁର ଭୋଇସାହିର ପିଲାମାନେ ନଦୀବନ୍ଧ ରାସ୍ତାରେ ଦ୍ରୁତବେଗରେ ଗାଡ଼ି ଚଲାଇବା ସହ ଜୋର୍ରେ ହର୍ଣ୍ଣ ବଜାଇ ଯାତାୟାତ କରନ୍ତି। ପିଲାଛୁଆ ଚଳପ୍ରଚଳ ହେଉଥିବାରୁ ଗାଁ ମୁଣ୍ଡେ ବାଇକ୍ ବେଗ କମାଇବାକୁ କହିବା ପରେ ବି ସେମାନେ ମାନନ୍ତି ନାହିଁ, ବରଂ ପାଲଟା ଗାଳିମନ୍ଦ କରନ୍ତି। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପୂର୍ବରୁ ବହୁତ ଥର ଯୁକ୍ତିତର୍କ ହୋଇଛି। ଆଜି ସନ୍ଧ୍ୟାରେ ପଳାସପୁର ଭୋଇସାହିର ୫ଜଣ ଯୁବକ ସ୍ଥାନୀୟ ମା’ ଦୁର୍ଗାଙ୍କ ଭସାଣି ଦେଖି ବାଇକ୍ରେ ସେହି ବାଟ ଦେଇ ଦ୍ରୁତବେଗରେ ଯାଉଥିଲେ। ଗାଁ ମୁଣ୍ଡ ଛକରେ ଭୋଜି କରୁଥିବା ବସନ୍ତପୁର ଗ୍ରାମର କିଛି ଯୁବକ ସେମାନଙ୍କୁ ଅଟକାଇ ବାଇକ୍ ବେଗ କମାଇବାକୁ କହିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପଳାସପୁରର ଯୁବକମାନେ ଫୋନ୍ କରି ତାଙ୍କ ଗାଁର ଯୁବକମାନଙ୍କୁ ଡକାଇଥିଲେ। ସେମାନେ ପହଞ୍ଚିବା ପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଏତିକିବେଳେ ବସନ୍ତପୁରର ବିକାଶ ଓ ତାଙ୍କ ମାଆ ରଞ୍ଜୁ ସେହିବାଟ ଦେଇ ଘରକୁ ଫେରୁଥିଲେ। ପଳାସପୁରର ଯୁବକମାନେ ବିକାଶଙ୍କୁ ଘେରିଯାଇ ମାଡ଼ ମାରିଥିଲେ। ପୁଅକୁ ରକ୍ଷା କରିବାକୁ ଯାଇ ରଞ୍ଜୁ ବାହାରିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏହା ଦେଖି ବସନ୍ତପୁରର ଯୁବକମାନେ ଗୋଡ଼ାଇ ଗୋଡ଼ାଇ ପଳାସପୁରର ୪ଜଣଙ୍କୁ ଧରି ନିର୍ଘାତ ମାଡ଼ ମାରିଥିଲେ।