ସିମେଣ୍ଟ ଦେବା ନାଁ’ରେ ୧୫ଲକ୍ଷ ଟଙ୍କାର ସାଇବର ଠକେଇ ଘଟଣାକୁ ୬ମାସ ପୂରିଲା

ପୁଲିସ ଓ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାକୁ ନେଇ ବର୍ଷିଲେ ଅଭିଯୋଗକାରୀ10

ଭୁବନେଶ୍ବର: ଭୁବନେଶ୍ବରର ଜଣେ ସିମେଣ୍ଟ ଡିଲର୍‌ଙ୍କୁ ୨୦ରୁ ୩୦ଟଙ୍କା କମ୍‌ ଦରରେ ବସ୍ତା ପିଛା ପ୍ରାୟ ୫ହଜାର ସିମେଣ୍ଟ ବସ୍ତା ଯୋଗାଇ ଦେବାକୁ କହି ସାଇବର ଠକ ପ୍ରାୟ ୧୫ଲକ୍ଷ ଟଙ୍କା ଲୁଟି ନେଇଥିଲା। ଏହି ଘଟଣା ଗତ ଏପ୍ରିଲ୍ ୨୩ ତାରିଖରେ ଘଟିଥିବା ବେଳେ ଆଜି ଠକେଇକୁ ୬ମାସ ପୂରିଛି। ମାତ୍ର ଭୁଲ୍ ନଥାଇ ସାଇବର ଠକେଇର ଶିକାର ହେବା ଏବଂ ପରେ ପୁଲିସଠୁ ଆରମ୍ଭ କରି ରାଜ୍ୟର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମ୍‌ବ୍ରାଞ୍ଚ୍ ଓ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଓ ଅପାରଗତାକୁ ନେଇ ଅଭିଯୋଗକାରୀ ଆଜି ଗଣମାଧ୍ୟମରେ ସମସ୍ତଙ୍କୁ ଭର୍ତ୍ସନା କରିଛନ୍ତି।

ଠକେଇର ଶିକାର ହୋଇଥିବା ନୀଳାଦ୍ରିବିହାରର ପ୍ରକାଶ ଚନ୍ଦ୍ର ଡାଲମିଆ କହିଛନ୍ତି, ସେ ଭୁବନେଶ୍ବରରେ ସିମେଣ୍ଟ୍ ଡିଲରସିପ୍ ଆଣି ବ୍ୟବସାୟ କରନ୍ତି। ଗତ ଏପ୍ରିଲ ୨୨ରେ ତାଙ୍କ ପାଖକୁ ଅମ୍ବୁଜା ସିମେଣ୍ଟ୍‌ର ଏକ ମେଲ୍‌ ଆସିଥିଲା। ଯେଉଁଥିରେ ପ୍ରତିଟି ସିମେଣ୍ଟ ବସ୍ତାର ଦର ଅନ୍ୟ ସିମେଣ୍ଟ ବସ୍ତାର ମୂଲ୍ୟ ଅପେକ୍ଷା ପ୍ରାୟ ୨୦ରୁ ୩୦ଟଙ୍କା କମ୍ ଥିବା ଉଲ୍ଲେଖ ଥିଲା। ଏହା ପରେ ପ୍ରକାଶ ମେଲ୍‌ରେ ଉକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବା ସହ ପ୍ରାୟ ୫ ହଜାର ସିମେଣ୍ଟ ବସ୍ତା କିଣିବା ପାଇଁ ଚୂଡ଼ାନ୍ତ କରିଥିଲେ। ଏହା ପରେ ସାଇବର ଠକ ତାଙ୍କୁ ଅମ୍ବୁଜା ସିମେଣ୍ଟ ଅଫିସ୍‌ର ଆକାଉଣ୍ଟ୍ ନମ୍ବର ଦେବା ସହ ମୁମ୍ବାଇ ଅନ୍ଧେରୀସ୍ଥିତ ଏସ୍‌ବିଆଇ ଆକାଉଣ୍ଟ୍‌ର ତଥ୍ୟ ଦେଇଥିଲା। ପରେ ପ୍ରକାଶ ଉକ୍ତ ନମ୍ବରରେ ଏନ୍‌ଇଏଫ୍‌ଟି କରିବା ପାଇଁ ବ୍ୟାଙ୍କ୍‌କୁ ଯାଇଥିଲେ। ଆକାଉଣ୍ଟ୍‌ର ୟୁଜର୍ ଆଇଡି ଅମ୍ବୁଜା ସିମେଣ୍ଟ ନାଁ’ରେ ଥିବାରୁ ପ୍ରକାଶ ଆଉ ବିଶେଷ ଯାଞ୍ଚ ନକରି ପ୍ରାୟ ୧୫ ଲକ୍ଷ ଟଙ୍କା ଉକ୍ତ ଆକାଉଣ୍ଟ୍‌କୁ ପଠାଇଥିଲେ। ଏହାର ୨ଦିନ ପରେ ପ୍ରକାଶଙ୍କୁ ପୁଣି ସାଇବର ଠକ ମେଲ୍ କରି ଆଉ ୧୦ଲକ୍ଷ ଟଙ୍କାର ଅର୍ଡର ନେବାକୁ କହିଥିଲା।

ଏହା ସହ ସିମେଣ୍ଟ ବସ୍ତା ପିଛା ଆହୁରି ୫୦ଟଙ୍କା ରିହାତି ଦେବ ବୋଲି ଲୋଭ ଦେଖାଇଥିଲା। ସିମେଣ୍ଟ ଦେବା ପରିବର୍ତ୍ତେ ଠକ ପୁଣି କାହିଁକି ଅର୍ଡର ମାଗୁଛି ବୋଲି ସନ୍ଦେହ କରି ପ୍ରକାଶ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଟଙ୍କା କେଉଁଆଡ଼େ ଯାଇଛି ବୋଲି ପଚାରିବାରୁ ଗୁଜରାଟ ଗାନ୍ଧୀନଗରର ମହମ୍ମଦ ଇବ୍ରାହିମ୍ ମହମ୍ମଦ ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଟଙ୍କା ଯାଇଛି ବୋଲି ଜାଣିଥିଲେ। ୟୁଜର୍ ଆଇଡି ଓ ଆଇଏଫ୍‌ସି କୋଡ୍ ବଦଳି ଅନ୍ୟତ୍ର କେମିତି ଟଙ୍କା ପଳାଇଲା ବୋଲି ପ୍ରଶ୍ନ କରିବାରୁ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ପୁଲିସ ପର୍ଯ୍ୟନ୍ତ କେହି ଉତ୍ତର ଦେଇ ପାରିନଥିଲେ। ତେଣୁ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁଁ ସାଇବର ଠକ ଟଙ୍କା ଲୁଟି ନେଇଥିବା ପ୍ରକାଶ କହିଛନ୍ତି। ଖାଲି ଏତିକି ନୁହେଁ, ସେ ଚନ୍ଦ୍ରଶେଖରପୁର ପୁଲିସ ପାଖରୁ ନେଇ କଟକ କ୍ରାଇମବ୍ରାଞ୍ଚ୍ ସାଇବର ସେଲ୍ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ବି କୌଣସି ପଦକ୍ଷେପ ନେଇନଥିଲେ। ଏହାକୁ ନେଇ ସେ ଉଭୟ ପୁଲିସ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି।

ସମ୍ବନ୍ଧିତ ଖବର