୬ମାସ ବିତିଲା, ଚାଷୀଙ୍କୁ ମିଳିଲାନି ବନ୍ୟା ସହାୟତା

ଋଣ ବୋଝ ବଳେଇଲାଣି, ବିଳମ୍ବିତ ହେଉଛି ଆକାଉଣ୍ଟ ନମ୍ବର ଯାଞ୍ଚ

ବାଲିପାଟଣା: ୬ ମାସ ବିତିଗଲାଣି। ଚାଷୀର ଋଣ ବୋଝ ବଳେଇଲାଣି। କରଜଦାତା ଚାଷୀ ଦୁଆର ବାଡ଼େଇଲାଣି। କରଜ ସୁଝିବା ଚିନ୍ତାରେ ଚାଷୀ ହତାଶ ହୋଇପଡ଼ିଲାଣି। କିନ୍ତୁ କୃଷି ବିଭାଗର ନିଦ୍ରା ଭଙ୍ଗ ହେଉନାହିଁ। ବନ୍ୟା ସହାୟତା ଯୋଗାଇ ଦେବାକୁ ବିଭିନ୍ନ ବାହାନା କରି ଦିନ ଗଡ଼ାଇ ଚାଲିଛି। ଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ନମ୍ବର ଯାଞ୍ଚ କରୁଥିବା ବାହାନାରେ କୃଷି ବିଭାଗ ଏହି ସହାୟତା ଯୋଗାଇବାରେ ବିଳମ୍ବ କରୁଛି ବୋଲି ଅଭିଯୋଗ ହେଉଛି। କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସହାୟତା ବାବଦରେ ଟଙ୍କା ମହଜୁଦ ଥାଇ ବି ଯୋଗାଣରେ ବିଳମ୍ବ ହେଉଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଗତ ବର୍ଷ ଜୁଲାଇ ଶେଷ ସପ୍ତାହରେ ଭାର୍ଗବୀ ନଦୀର ବନ୍ୟାଜଳ ଅଚ୍ୟୁତପୁର କାଜରେ ଗଡ଼ିବା ପରେ ଧନୁଆ ନଈରେ ବଡ଼ଧରଣର ବନ୍ୟା ଆସିଥିଲା। ବାଲିପାଟଣା ବ୍ଲକର ୭ଟି ପଞ୍ଚାୟତର ଚାଷ ଜମି ପାଣିରେ ବୁଡ଼ି ଯାଇଥିଲା। ଫଳରେ ବ୍ୟାପକ ଖରିଫ ଧାନ ବନ୍ୟା ଜଳରେ ବୁଡ଼ି ପଚି ଯାଇଥିଲା। ପ୍ରାୟ ୧୦ ଦିନରୁ ଅଧିକ ସମୟ ପାଣିରେ ବୁଡ଼ି ରହିବାରୁ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ସରକାରଙ୍କ ନିର୍ଦେଶକ୍ରମେ କୃଷି ବିଭାଗ ଅଧିକାରୀ ଏବଂ ରାଜସ୍ୱ ନିରୀକ୍ଷକ ମିଳିତ ତଦନ୍ତ କଲେ। ୨୬୮୦ ହେକ୍ଟର ଧାନ ଜମି ନଷ୍ଟ ହୋଇଛି ବୋଲି ଚିଠା ପ୍ରସ୍ତୁତ ହେଲା। ପମ୍ପାଲୋ ପଞ୍ଚାୟତରେ ୧୦୩୦ ହେକ୍ଟର, କୁରୁଞ୍ଜିପୁର ପଞ୍ଚାୟତରେ ୫୩୧ ହେକ୍ଟର, ରାଜସ ପଞ୍ଚାୟତରେ ୩୩୫ ହେକ୍ଟର, ତୁରିନ୍ତିରା ପଞ୍ଚାୟତରେ ୩୮୪ ହେକ୍ଟର, ଆଳିଶି ପଞ୍ଚାୟତରେ ୨୦୫ ହେକ୍ଟର, ସୋମଣା ପଞ୍ଚାୟତରେ ୧୧୫ ହେକ୍ଟର ଏବଂ ଗାରେଡ଼ିପାଞ୍ଚଣ ପଞ୍ଚାୟତରେ ୮୦ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ନେଇ ମିଳିତ ତଦନ୍ତ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରିବା ପାଇଁ ବାରମ୍ବାର ସରଜମିନ ତଦନ୍ତ କରାଗଲା। ତଦନ୍ତ ପରେ ସହାୟତା ପାଇବାକୁ ଯୋଗ୍ୟ ତଥା ଉପଯୁକ୍ତ ଚାଷୀଙ୍କୁ ଚିହ୍ନଟ କରାଗଲା ଓ ସେମାନଙ୍କଠାରୁ ଆବଶ୍ୟକ କାଗଜପତ୍ର ସଂଗହ କରାଗଲା। କ୍ଷତିପୂରଣ ପାଇବା ପାଇଁ ଚାଷୀମାନେ ଜମି ପଟ୍ଟା, ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଉତ୍ତରାଧିକାରୀ ରେକର୍ଡପତ୍ର ଆଦି ବିଭାଗୀୟ ଅଧିକାରୀଙ୍କ ଦପ୍ତରରେ ଜମା କଲେ। ତୁରନ୍ତ କ୍ଷତିପୂରଣ ମିଳିଲେ, କରଜ ସୁଝିବେ ବୋଲି ଚାଷୀମାନେ ଆଶା ବାନ୍ଧି ଅପେକ୍ଷା କଲେ। ମାତ୍ର ଦିନ ପରେ ଦିନ ଗଡ଼ିଗଡ଼ି ୬ ମାସ ବିତିଲା ପଛେ କ୍ଷତିପୂରଣ ବାବଦରେ ପଇସାଟିଏ ମିଳିଲା ନାହିଁ।

ଏହା ଭିତରେ ଉଦ୍ୟାନ କୃଷି ବିଭାଗ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ସାରିଲାଣି। ବନ୍ୟାରେ ବିପୁଳ କ୍ଷତି ସହିଥିବା ପରିବା ଚାଷୀମାନେ କିଛି କିଛି ସରକାରୀ ସହାୟତା ପାଇ ଉପକୃତ ହୋଇଛନ୍ତି। କିନ୍ତୁ ଖରଫ ଧାନ ଚାଷୀ ଚାତକ ଭଳି ଅପେକ୍ଷା କରିଛନ୍ତି। ସହାୟତା ମିଳିଲେ କରଜରୁ ମୁକ୍ତି ପାଇବେ ବୋଲି ବଡ଼ ଆଶା ବାନ୍ଧି ବସିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କଠାରୁ ସମସ୍ତ ପ୍ରକାର କାଗଜପତ୍ର ସଂଗ୍ରହ କରାଯାଇ ଗତ ସପ୍ତାହରେ ତହସିଲଦାରଙ୍କ କାର୍ଯ୍ୟାଳୟରେ ଦାଖଲ କରାଯାଇଛି ବୋଲି ବ୍ଲକ କୃଷି ଅଧିକାରୀ ତରୁଣ କୁମାର ଛୋଟରାୟ ସୂଚନା ଦେଇଛନ୍ତି। ସେହିଭଳି ବାଲିପାଟଣା ତହସିଲଦାର ସୁନିତା ଜେନାଙ୍କ କହିବା କଥା କିଛି ଆକାଉଣ୍ଟ ନମ୍ବରରେ ତ୍ରୁଟି ରହିଛି। ସେଗୁଡ଼ିକୁ ଭଲ ଭାବେ ଯାଞ୍ଚ କରାଯାଉଛି। ସରକାରୀ ସହାୟତା ବାବଦରେ ତହସିଲରେ ୪୦ରୁ ୫୦ଲକ୍ଷ ଟଙ୍କା ମହଜୁଦ ଅଛି। ହିତାଧିକାରୀଙ୍କ ଆକାଉଣ୍ଟ ନମ୍ବର ଯାଞ୍ଚ ଶୀଘ୍ର ସାରିବାକୁ ଉଦ୍ୟମ ଚାଲିଛି ଓ ଏହି ପ୍ରକ୍ରିୟା ସରିବା ପରେ ପରେ ଟଙ୍କା ପଠାଇ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର