ଭୁବନେଶ୍ବର: ପରିବାର ଉପରେ ବୋଝ ହେବେନି। ସ୍ବାବଲମ୍ବୀ ହେବେ। ପେଟ ଚାଖଣ୍ଡକ ପାଇଁ ଖଟିବେ। ଏହି ଆଶା ନେଇ ଦିନେ ରାଜଧାନୀ ଚାଲି ଆସିଥିଲେ ଦୁଇ ଦିବ୍ୟାଙ୍ଗ ବାନ୍ଧବୀ। ତାଲିମ୍ ନେଇ ରୋଜଗାର ଆରମ୍ଭ କରୁକରୁ କରୋନା ଦାଉ ସାଧିଲା। ରୋଜଗାର ବନ୍ଦ ହୋଇଗଲା। ଘର ଭଡ଼ା ଦେଇ ହେଲାନି। ଭଡ଼ା ଦେଇ ନପାରିବାରୁ ଘର ମାଲିକ ଘରୁ କାଢ଼ିଦେଲା। ଯେଉଁ ସଂସ୍ଥା କାମ ଦେଇଥିଲା, ସେ ବି ହାତ ଛାଡ଼ିଦେଲା। ସ୍ଥିତି ଏମିତି ହେଲା ଯେ କିଛି ଦିନ ଫୁଟ୍ପାଥ୍ରେ ମୁଣ୍ଡ ଗୁଞ୍ଜିଥିବା ବେଳେ ଦୀର୍ଘ ୪ ମାସ ହେଲା ସ୍କୁଲ୍ ଘରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଦୁଇ ଦିବ୍ୟାଙ୍ଗ ବାନ୍ଧବୀ। ମାତ୍ର ଡିସେମ୍ବର ପରେ ସ୍କୁଲ୍ ଖୋଲିବାକୁ ଯାଉଥିବାରୁ ଦିବ୍ୟାଙ୍ଗ ବାନ୍ଧବୀଦ୍ବୟ ପ୍ରମାଦ ଗଣିଲେଣି। ଜଣେ ସୁଦୂର ସୋନପୁରର ୩୩ ବର୍ଷୀୟା ଲକ୍ଷ୍ମୀ ପାତ୍ର ଆଉ ଜଣେ ଫୁଲବାଣୀର ବାସିନ୍ଦା ଜ୍ୟୋତ୍ସ୍ନା ମାଝି।
ଲକ୍ଷ୍ମୀଙ୍କ ଗୋଡ଼ ପୋଲିଓ ଆକ୍ରାନ୍ତ ହୋଇଥିଲେ ବି ହାତ ମେସିନ୍ରେ ସିଲେଇ କରିବାରେ ଦକ୍ଷ। ସେଇ ସିଲେଇ ମେସିନ୍ର ଘଡ଼ଘଡ଼ ଶବ୍ଦ ଭିତରେ ତାଙ୍କ ମନରେ ମରିଯାଉଥିବା ଆଶା ପୁଣି ସତେଜ ହୋଇଥିଲା। ଅତି କମ୍ରେ ପେଟ କେବେ ଅପୋଷା ରହିବନି ବୋଲି ନିଶ୍ଚିତ ହୋଇସାରିଥିଲେ। ଦୁର୍ଭାଗ୍ୟକୁ କରୋନା ମାଡ଼ି ଆସିଲା। ତେଣୁ ଏହାକୁ ସୁଯୋଗରେ ପରିଣତ କଲେ ଲକ୍ଷ୍ମୀ। ନିଜ ବାନ୍ଧବୀଙ୍କ ମେସିନ୍ରେ ମାସ୍କ ତିଆରି କରି ବିକିଲେ। ଏବେ କିନ୍ତୁ ବହୁ ଜାଗାରେ ମାସ୍କ ତିଆରି ହେଉଥିବାରୁ ତାଙ୍କର ବେପାର ମାନ୍ଦା ହୋଇଯାଇଛି। ଆଗ ଭଳି ଆଉ ଅର୍ଡର୍ ମିଳୁ ନାହିଁ। ତେବେ ଜଣେ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ତାଙ୍କୁ ଏକ ହାତ ମେସିନ୍ଟିଏ ମିଳିଛି। ହେଲେ ଦୁର୍ଭାଗ୍ୟ ଯେ ବେପାର କମି ଆସୁଥିବା ବେଳେ ପୁଣି ମୁଣ୍ଡ ଉପରକୁ ଛାତ ଚିନ୍ତା ମାଡ଼ି ପଡ଼ିଲାଣି।
ଜ୍ୟୋତ୍ସ୍ନା ବି ତାଲିମ ଶେଷ ପରେ କଳ୍ପନା ଛକରେ ଡିଟିପି କାମ ପାଇଯାଇଥିଲେ। କିନ୍ତୁ କରୋନା ଯୋଗୁଁ କାମ ହରାଇବସିଲେ। ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ସେ ଏବେ ଶିଶୁଭବନ ଛକରେ ଏକ ଜାଗାରେ ଡିଟିପି କାମ କରିବାକୁ ସୁଯୋଗ ପାଇଛନ୍ତି। ତାଙ୍କୁ ଜଣେ ବ୍ୟକ୍ତିଙ୍କ ସହଯୋଗରେ ଲାପ୍ଟପଟିଏ ମଧ୍ୟ ମିଳିଛି। ହେଲେ ଉଭୟଙ୍କର ବଡ଼ ଚିନ୍ତା ହେଉଛି ଘର। ଘରକୁ ନ ଫେରିବାକୁ ସଂକଳ୍ପ ନେଇଥିବାରୁ ବସ୍ତି ହେଉ କି ଯେକୌଣସି ଜାଗାରେ, ମୁଣ୍ଡ ଗୁଞ୍ଜିବାକୁ ସାହା ହେବାକୁ ପ୍ରଶାସନକୁ ନେହୁରା ହୋଇଛନ୍ତି ଲକ୍ଷ୍ମୀ ଓ ଜ୍ୟୋତ୍ସ୍ନା।