ମନ ମୋହିଲା ‘ତିଲଙ୍ଗ୍ ପଲ୍ଲବୀ’

ଆଙ୍ଗିକ ଡ୍ୟାନ୍ସ ଏକାଡେମି ପକ୍ଷରୁ ଷଷ୍ଠ ଗୁରୁପୂଜନ ଉତ୍ସବ

ଭୁବନେଶ୍ବର: ‘ଆଙ୍ଗିକ’ ଡ୍ୟାନ୍ସ ଏକାଡେମି ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଷଷ୍ଠ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶୀ ନୃତ୍ୟଗୁରୁ କୁମ୍‌କୁମ୍ ମହାନ୍ତିଙ୍କୁ ମଞ୍ଚରେ ପାରମ୍ପରିକ ରୀତିରେ ବନ୍ଦନା ଓ ପୂଜନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଶ୍ରୀମତୀ ମହାନ୍ତିଙ୍କୁ ‘ଆଙ୍ଗିକ ଗୁରୁଶ୍ରେଷ୍ଠ ସମ୍ମାନ’ ଓ ଗୁରୁ ମୀରା ଦାସ, ମୁନ୍‌ମୁନ୍ ଚକ୍ରବର୍ତ୍ତୀ ଓ ଗଜେନ୍ଦ୍ର ପଣ୍ଡାଙ୍କୁ ‘ଆଙ୍ଗିକ ଗୁରୁଶ୍ରୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମର ପ୍ରଥମ ଅର୍ଘ୍ୟରେ ଅନୁଷ୍ଠାନର ଶିଳ୍ପୀମାନେ ‘ଜଗନ୍ନାଥାଷ୍ଟକମ୍’ ପରିବେଷଣ କରିଥିଲେ। ପରେ ପରେ ଓଡ଼ିଶୀ ନୃତ୍ୟ ‘ତିଲଙ୍ଗ୍ ପଲ୍ଲବୀ’ ପରିବେଷିତ ହୋଇଥିଲା। ଏଥିରେ ନୃତ୍ୟଶିଳ୍ପୀମାନେ ଥାଳି ଉପରେ ଠିଆ ହୋଇ ନୃତ୍ୟ ପରିବେଷଣ କରିଥିଲେ। ପରେ ନୃତ୍ୟଶିଳ୍ପୀ ମଲ୍ଲିକା ମିତ୍ର ଓଡ଼ିଶୀ ନୃତ୍ୟ କରିଥିଲେ। ପରେପରେ ତ୍ରିଧାରା ଓ ବାଗେଶ୍ବରୀ କଳାକୁଞ୍ଜର ନୃତ୍ୟଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ମୁଖ୍ୟ ଅତିଥି, ଆଇସିସିଆରର ନିର୍ଦ୍ଦେଶିକା ମୀନାକ୍ଷୀ ମିଶ୍ର, ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ବିଶିଷ୍ଟ କଣ୍ଠଶିଳ୍ପୀ ସଂଗୀତା ଗୋସାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ରବି ନାରାୟଣ ରଥ, ସାଧାରଣ ସଂପାଦିକା ଶ୍ରାବଣୀ ମିତ୍ର, ଉପଦେଷ୍ଟା ଶେଖ୍ କଲିମୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀନିବାସ ଘଟୁଆରୀ ମଞ୍ଚ ପରିଚାଳନା କରିଥିବା ବେଳେ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ।

ସମ୍ବନ୍ଧିତ ଖବର