ଅଂଶଗ୍ରହଣ କଲେ ୬୧ଜଣ ଚିତ୍ରଶିଳ୍ପୀ: ‘ଅନ୍‌ୱାର୍ଡ ଓଡ଼ିଶା’ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର: ମଧ୍ୟପ୍ରଦେଶର ଭୋପାଳସ୍ଥିତ ଫାଉଣ୍ଡେସନ ଅଫ୍‌ ଆର୍ଟ ଆଣ୍ଡ କଲ୍‌ଚର ଦ୍ୱାରା ଓଡ଼ିଶାର ଚିତ୍ର ଓ ଭାସ୍କର୍ଯ୍ୟଶିଳ୍ପୀଙ୍କ କଳାକୃତିକୁ ନେଇ ଆୟୋଜିତ ହୋଇଛି ‘ଅନ୍‌ୱାର୍ଡ ଓଡ଼ିଶା’ ଶୀର୍ଷକ ଅନ୍‌ଲାଇନ କଳା ପ୍ରଦର୍ଶନୀ। କ୍ୟୁରେଟର ଅନୁପ କୁମାର ଚାନ୍ଦ ଓ ଆସିଷ୍ଟାଣ୍ଟ କ୍ୟୁରେଟର ପୁନମ୍‌ ଜୈନଙ୍କ ଦ୍ୱାରା ଓଡ଼ିଶାର ୬୧ଜଣ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ କଳାକୃତି ଏଥିରେ ସ୍ଥାନ ପାଇଛି। ଭୋପାଳର ବରିଷ୍ଠ ଚିତ୍ରଶିଳ୍ପୀ ଅଖିଳେଶ ଅଂଶଗ୍ରହଣ କରିଥିବା ସମସ୍ତ ଚିତ୍ରଶିଳ୍ପୀଙ୍କୁ ପ୍ରଦର୍ଶନୀ ପାଇଁ ସ୍ୱାଗତ ଜଣାଇଛନ୍ତି। ଉକ୍ତ ପ୍ରଦର୍ଶନୀରେ ଅଦ୍ୱୈତ ଗଡ଼ନାୟକ, ଟୁଟୁ ପଟ୍ଟନାୟକ, ନିବେଦିତା ମିଶ୍ର, ଚୁଗୁଲି ସାହୁ ଓ ଚନ୍ଦନ କୁମାର ସାମଲଙ୍କ ସୁଉଚ୍ଚ ଭାସ୍କର୍ଯ୍ୟଗୁଡ଼ିକ ଆକର୍ଷଣୀୟ ହୋଇଥିଲା। ବରିଷ୍ଠ ଶିଳ୍ପୀ ଯତୀନ ଦାସ, ଜଗନ୍ନାଥ ପଣ୍ଡା, ଜଗନ୍ନାଥ ମହାପାତ୍ର, ତପନ ଦାସ, ସଜଲ ପାତ୍ର, ରାମହରି ଜେନା, ଗଜେନ୍ଦ୍ର ପାଢୀ, ରଞ୍ଜନ ମଲ୍ଲିକ, ଗଜେନ୍ଦ୍ର ପ୍ରସାଦ ସାହୁ, ମାନସ ଜେନା, ପ୍ରଦୋଷ ସ୍ୱାଇଁ, ମୀନକେତନ ପଟ୍ଟନାୟକ, ଚକ୍ରଧର ବେହେରା, ପ୍ରବୀର ଦଳାଇ ପ୍ରମୁଖ ଚିତ୍ରଶିଳ୍ପୀଙ୍କ କଳାକୃତି ନିଜ ନିଜ ଶୈଳୀରେ ଅଦ୍ୱିତୀୟ ପରିଲକ୍ଷିତ ହୋଇଥିଲା।

ଶିଳ୍ପୀ ଗୌରାଙ୍ଗ ବାରିକ, ସଙ୍ଗୀତା ପଟ୍ଟନାୟକ, ରାଜୀବ ଲୋଚନ ସାହୁ ଓ ଅରୁଣ କୁମାର ଜେନା ପାରମ୍ପରିକ କଳାକୁ ସମସାମୟିକ ଶୈଳୀରେ ବେଶ ନିଖୁଣ ଭାବରେ ଅଙ୍କନ କରିଥିଲେ। ମୁଦ୍ରଣ କଳାରେ ଚଇତାବସୁ ଜେନା, ଡ୍ରଇଁରେ ତାରାକାନ୍ତ ପରିଡ଼ା, ସେରାମିକରେ ବିଶ୍ୱଜିତା ମହାରଣା ନିଜର ଶ୍ରେଷ୍ଠ କୃତି ପ୍ରଦର୍ଶନ କରିଥିଲେ। ଶିଳ୍ପୀ ପଞ୍ଚାନନ ସାମଲ, ଅନୁପ କୁମାର ଚାନ୍ଦ, ଅସିତ କୁମାର ପଟ୍ଟନାୟକଙ୍କ ଚିତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଆଲୋକ ବଳ, ବିଜୟ ବିଶ୍ୱାଳ, ବିପିନ ମାର୍ଥା, ଦେବାର୍ଚ୍ଚନ ରାଉତ, ଦୀନବନ୍ଧୁ ସାହୁ, ଗୋପାଳ ସାମନ୍ତରାୟ, ହେଲେନବାଳା ବ୍ରହ୍ମା, ଜ୍ୟୋତିର୍ମୟ ପଟ୍ଟନାୟକ, ଲିପିଶ୍ରୀ ନାୟକ, ମମତା ସାମନ୍ତରାୟ, ମନୋଜ କୁମାର ସାହୁ, ନିବେଦିତା ପଟ୍ଟନାୟକ, ପ୍ରଦିପ୍ତ କିଶୋର ଦାସ, ପ୍ରସନ୍ନ ମହାରଣା, ସଞ୍ଜୟ କେତନ ଚୌଧୁରୀ, ସୁବ୍ରତ ମଲ୍ଲିକ, ସୂର୍ଯ୍ୟକାନ୍ତ ସ୍ୱାଇଁ ପ୍ରମୁଖ ନିଆରା ଶୈଳୀରେ ଚିତ୍ର ପ୍ରସ୍ତୁତ କରିଥିଲେ।

ସମ୍ବନ୍ଧିତ ଖବର