ଫଟୋ ଖୋଲିବ କଙ୍କାଳ ରହସ୍ୟ? ପୁଲିସ ଭୂମିକା ଉପରୁ ସନ୍ଦେହ ହଟୁନି, ମୃତ୍ୟୁ ପୂର୍ବରୁ ଦିଆଯାଇଥିଲା କି ନିର୍ଯାତନା?

ଘଟଣାସ୍ଥଳରେ ତଦନ୍ତକାରୀ ଟିମର ଛାନ୍‌ଭିନ୍, ମହିଳା ଥାନା ଆଇଆଇସିଙ୍କୁ ତଦନ୍ତ ଦାୟିତ୍ବ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଯାଁଳା ଫାଣ୍ଡି କ୍ୟାମ୍ପସରେ ଜବତ ହୋଇଥିବା ଗାଡ଼ିରୁ ମହିଳାଙ୍କ ଚମ ଲାଗିଥିବା କଙ୍କାଳ(ମମିଫାଏଡ୍ ବଡି) ମିଳିବା ରହସ୍ୟ ଉପରୁ ପରଦା ଉଠିପାରୁ ନାହିଁ। ମାସେ ପରେ ଘଟଣା ଏବେ ପଦାକୁ ଆସିଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଏ ସମ୍ପର୍କରେ ପୁଲିସ ୫ଟି ଦିଗ ଉପରେ ଏମସରେ ଏଫ୍‌ଏମ୍‌ଟି ବିଶେଷଜ୍ଞ ଟିମ୍ ପାଖରୁ ଉତ୍ତର ମାଗିଛି। ମହିଳାଙ୍କୁ ହତ୍ୟା କରାଯାଇଛି କି? ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଛି କି? ଏଭଳି ଦିଗ ଉପରୁ ପରଦା ଉଠାଇବା ପାଇଁ ପୁଲିସ ଉତ୍ତରକୁ ଅପେକ୍ଷା କରିଛି। ଆସନ୍ତା ୪ରୁ ୫ ଦିନ ଭିତରେ ଏହି ସବୁ ପ୍ରଶ୍ନର ଉତ୍ତର ମିଳିପାରିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଘଟଣାର ଗୁରୁତ୍ବକୁ ଦେଖି ମହିଳା ଥାନା ଆଇଆଇସି ବନିତା ମହାରଣାଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ଆଜି ମହିଳା ଥାନା ଆଇଆଇସି, ଜଟଣୀ ଥାନା ଆଇଆଇସି, ଜୋନ୍ ଏସିପି ଘଟଣାସ୍ଥଳକୁ ଯାଇ ଅଧିକ ଛାନଭିନ୍ କରିଛନ୍ତି। ପାରିପାର୍ଶ୍ବିକ ପରିସ୍ଥିତିରୁ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିଛନ୍ତି।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ଗ୍ଲୋଭସ୍, ଭଙ୍ଗା ଶଙ୍ଖା ଆଦି ପଡ଼ିଛି ବୋଲି ଆଜି ଗଣାମାଧ୍ୟମରେ ଖବର ତଥା ଫଟୋ ପ୍ରକାଶ ପାଇବା ପରେ ପୁଲିସ ଏହାକୁ ଗୁରୁତ୍ବର ସହ ନେବା ସହ ଜବତ କରିଛି। ସେହିପରି ଶବର ଖପୁରିରୁ ମୁହଁର ପୁନଃ ତିଆରି(ଫେସ୍ ରିକନଷ୍ଟ୍ରକସନ୍) ପାଇଁ ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଥିବା ଘରୋଇ ସଂସ୍ଥାକୁ ପଠାଯାଇଥିବା ଶାରୀରିକ ଗଠନ, ଉଚ୍ଚତା, ମୁହଁ ଭାଗର ବିବରଣୀ ଓ ଫଟୋର ଆସନ୍ତାକାଲି ରିପୋର୍ଟ ଆସିପାରେ ବୋଲି ପୁଲିସ କହିଛି। ସେହି ଫଟୋରୁ ଆନୁମାନିକ ମୁହଁ ମିଳିବା ପରେ ଏହାକୁ ଜାରି କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଆଉ ଫଟୋରୁ ଥରେ ମହିଳାଙ୍କ ପରିଚୟ ମିଳି‌ଗ‌ଲେ, ଏହି ରହସ୍ୟରୁ ପରଦା ହଟାଇବା ସମ୍ଭବ ହୋଇପାରିବ ବୋଲି ବିଶ୍ବାସ କରାଯାଉଛି। ସେହିପରି କଙ୍କାଳରୁ ମିଳିଥିବା ସ୍ବେଟରରୁ ଅଧିକ ପରୀକ୍ଷା ଲାଗି ରାଜ୍ୟ ଫରେନସିକ୍ ଲାବରେଟୋରିକୁ ପଠାଯାଇଛି। ଟିବି ଓ ଅନ୍ୟ ରୋଗ ଏବଂ ଶରୀର ଅତ୍ୟଧିକ ଦୁର୍ବଳ ଯୋଗୁ ସ୍ବାଭାବିକ ମୃତ୍ୟୁ ହୋଇଥାଇ ପାରେ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଥିବା ପୁଲିସ କହିଛି। କିନ୍ତୁ ଏହା ସାଧାରଣରେ ଗ୍ରହଣଯୋଗ୍ୟ ହୋଇପାରୁ ନାହିଁ। ସେପଟେ ଗାଡ଼ିର ମାଲିକ ବିପିନ ପଟ୍ଟନାୟକ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ସେ ସେହି ସମାନ କଥା ଦୋହରାଇଛନ୍ତି। ଗାଡ଼ିକୁ ମୁକୁଳାଇବା ପାଇଁ ଆସିବା ସମୟରେ କଙ୍କାଳ ପଡ଼ିଥିବା ଦେଖି ପୁଲିସକୁ ଜଣାଇଥିଲେ ବୋଲି କହିଛନ୍ତି।

ମାସେ କାଳ ଘଟଣାକୁ ଚାପି ରଖିଥିବା କମିସନରେଟ ପୁଲିସର ଭୂମିକା ଏବେ ବି ସନ୍ଦେହ ଘେରରେ ରହିଛି। ଜବତ ସମୟରେ ଗାଡ଼ି ଲକ୍ ଥିବା ବେଳେ ତାହା ଖୋଲିଲା କେମିତି? ମହିଳା ଜଣଙ୍କ ଗାଡ଼ି ଭିତରକୁ ଆସିଲେ କେମିତି? ମହିଳାଙ୍କୁ ଘରେ ରଖି ନିର୍ଯାତନା ଦିଆ ଯାଉଥିବା କାରଣରୁ ସେ ଦୁର୍ବଳ ହୋଇ ପଡ଼ି ନାହାନ୍ତି ତ? କଙ୍କାଳ ମିଳିବାର ୩ରୁ ୬ ମାସ ଭିତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ସମୟ ମଧ୍ୟରେ ମହିଳାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ନଷ୍ଟ ହୋଇ ଯାଇଥିବ, କେବଳ ହାଡ଼ରୁ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବା କଷ୍ଟକର ବୋଲି ଜଣେ ବିଶେଷଜ୍ଞ କହିଛନ୍ତି। ତେଣୁ ଅଧିକ ପରୀକ୍ଷା ଲାଗି ସଂରକ୍ଷିତ ରଖାଯାଇଥିବା ହାଡ଼କୁ କଟକ ଏସସିବି ମେଡିକାଲ ଏଫ୍‌ଏମ୍‌ଟି ବିଭାଗକୁ ପଠାଯିବ କି? ଆରମ୍ଭରୁ କାହିଁକି ପୁଲିସ ଏହି ମାମଲାକୁ ଲୁଚାଇ ରଖିଥିଲା? ଗାଡ଼ି ଭିତରେ ମହିଳାଙ୍କ ମୃତ୍ୟୁ ହୋଇଛି ନା ମୃତଦେହକୁ ଆଣି ଗାଡ଼ି ଭିତରେ ରଖାଯାଇଛି ତାହା ମଧ୍ୟ ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ଘଟଣାସ୍ଥଳରେ ପଡ଼ିଥିବା ଗ୍ଲୋଭସ୍ କାହାର? କିଏ ଏହି ଗ୍ଲୋଭସକୁ ପକାଇଛି? ପଡ଼ିଥିବା ଚିଠି କାହାର? ପ୍ରଥମରୁ କାହିଁ ସେହି ଗ୍ଲୋଭସକୁ ଜବତ କରାଗଲା ନାହିଁ? ଏସବୁ ପ୍ରଶ୍ନ ପୁଲିସର ଭୂମିକାକୁ ସନ୍ଦେହ ଘେରକୁ ଆଣିଛି। ପୂରା ଘଟଣା ଉପରୁ ରହସ୍ୟ ଉଠାଇବାକୁ ହେଲେ ସରଜମିନ୍ ଓ ନିରପେକ୍ଷ ତଦନ୍ତ କରାଯିବା ଦରକାର ବୋଲି କହିଛନ୍ତି ଆଇନଜୀବୀ ବନ ମହାନ୍ତି। ନଚେତ୍ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

ସେପଟେ ଫାଣ୍ଡି ଭିତରେ ଘଟଣା ଘଟିଥିବାରୁ ମୃତଦେହ ମିଳିବା ଦିନ ହିଁ ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆର୍‌ସି)ଙ୍କୁ ଜଣାଇ ଦିଆ ଯାଇଥିଲା ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାଶ। ଏମ୍‌ସ ଏଫଏମଟି ବିଭାଗର ଅଧିକ ରିପୋର୍ଟ, ଫରେନସିକ୍ ରିପୋର୍ଟ ମିଳିବା ପରେ ହିଁ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପୁଲିସ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଜବତ କରିଥିବା ମହିନ୍ଦ୍ରା ଏକ୍ସୟୁଭି ଗାଡ଼ି(ଓଡି୦୨-ଡି-୩୭୩୭) ୨୦୧୯ ଅଗଷ୍ଟ ମାସରୁ ଯାଁଳା ଫାଣ୍ଡିରେ ପଡ଼ି ରହିଥିଲା। ଗତ ଫ୍ରେବୁଆରି ୧୨ ତାରିଖରେ ମାଲିକ ବିପିନ ପଟ୍ଟନାୟକ ଗାଡ଼ି ନେବାକୁ ଆସିବା ସମୟରେ ଗାଡ଼ି ଭିତରେ କଙ୍କାଳ ଥିବା ଦେଖିଥିଲେ। ଫାଣ୍ଡି ପରିସରରେ ଏଭଳି ଘଟଣା ପଦାକୁ ଆସିବା ପରେ ସବଇନ୍ସପେକ୍ଟର ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ଗତ ୮ ତାରିଖରେ ନିଲମ୍ବିତ କରାଯାଇଥିଲା।

ସମ୍ବନ୍ଧିତ ଖବର