ହଟୁନି କଙ୍କାଳ ସସପେନ୍ସ: ୪ ପଡ଼ୋଶୀ ରାଜ୍ୟକୁ ସ୍କେଚ୍ ପୋଷ୍ଟର ପଠାଇଲା ପୁଲିସ, ଆସିଲାଣି ୫ ଶହ ଫୋନ୍ କଲ୍

ସନ୍ଦିଗ୍ଧ ଗୀତା ବାୟାଣୀଙ୍କ ପରିବାରଲୋକଙ୍କ ଡିଏନ୍ଏ ପରୀକ୍ଷା ହେବ, ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନୋଟିସ୍, ୮ ସପ୍ତାହରେ ରିପୋର୍ଟ ଦିଅ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଯାଁଳା ଫାଣ୍ଡି ପରିସରରେ ଜବତ ଗାଡ଼ିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାକୁ ପାଖାପାଖି ଦୁଇମାସ ହୋଇ ଗଲାଣି। କିନ୍ତୁ ଏବେ ବି ସସପେନ୍ସ ହଟି ପାରି ନାହିଁ। ମହିଳା ଜଣଙ୍କ କିଏ, ସେଠାକୁ କେମିତି ଆସିଲେ, ତାଙ୍କର ମୃତ୍ୟୁ କିପରି ହେଲା, ହତ୍ୟା ନା ସ୍ବାଭାବିକ ମୃତ୍ୟୁ, ଏ ସବୁ ଉପରୁ ପରଦା ଉଠାଇବାରେ ଫେଲ୍ ମାରିଛି କମିସନରେଟ ପୁଲିସ। କଙ୍କାଳ ମିଳିବା ଦିନଠାରୁ ପ୍ରାୟ ମାସେ କାଳ ଧରି ଘଟଣାକୁ ଲୁଚାଇ ରଖିଥିବା ପୁଲିସ ପାଇଁ ଏବେ ଘଟଣା ଉପରୁ ପରଦା ଉଠାଇବା କଷ୍ଟକର ହୋଇ ପଡ଼ିଲାଣି। ତଦନ୍ତରେ ଅବହେଳା ନେଇ ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ହୋଇଥିବା ଅଭିଯୋଗ ଆଧାରରେ ଆଜି ପୁଲିସ ଡିଜିଙ୍କୁ ନୋଟିସ୍ କରାଯାଇଛି। ଆସନ୍ତା ୮ ସପ୍ତାହ ଭିତରେ ତଦନ୍ତର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦାଖଲ କରିବା ଲାଗି କୁହାଯାଇଛି।

ଅନ୍ୟପକ୍ଷରେ ଚାରି ପଡ଼ୋଶୀ ରାଜ୍ୟ ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ସ୍କେଚ୍ ଥିବା ପୋଷ୍ଟର ପଠାଯାଇଛି। ସେହି ରାଜ୍ୟର କ୍ରାଇମ ଏଡିଜିଙ୍କ ସହ ମଧ୍ୟ ଆଲୋଚନା କରିଛି କମିସନରେଟ୍‌ ପୁଲିସ। ଏହା ସହ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ସିସିଟିଏନ୍ଏସ୍ ଜରିଆରେ ପୋଷ୍ଟର ଜାରି କରାଯାଇଛି। ଯେଉଁଠୁ ସବୁ ରାଜ୍ୟର ପୁଲିସ ଏହାକୁ ଦେଖିପାରିବେ। ଏବେ ସୁଦ୍ଧା ପୁଲିସ ପାଖକୁ ବିଭିନ୍ନ ଅଞ୍ଚଳରେ ନିଖୋଜ ମହିଳାଙ୍କ ପରିବାର ପକ୍ଷରୁ ପ୍ରାୟ ୫ ଶହ ଫୋନ୍ କଲ୍ ଆସିଲାଣି। ଏପରିକି ବହୁ ସମ୍ଭ୍ରାନ୍ତ ଶ୍ରେଣୀର ପରିବାର ଲୋକଙ୍କର କଲ୍ ଫୋନ୍ ମଧ୍ୟ ଆସିଛି। କିନ୍ତୁ ମହିଳାଙ୍କ ଶରୀରର ରୂପରେଖ ସାଙ୍ଗରେ କୌଣସି ତାଳମେଳ ରହୁ ନାହିଁ।

ସେପଟେ ଖୋର୍ଦ୍ଧାର ଜଣେ ମହିଳାଙ୍କର ମୃତଦେହ ବୋଲି କୁହାଯାଉଛି। ନିଖୋଜ ମହିଳାଙ୍କ ପରିବାର ଲୋକ ମଧ୍ୟ ପୁଲିସ ସହ ଯୋଗାଯୋଗ କରିଛନ୍ତି। ତେଣୁ ଏ ଦିଗରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ସେହିପରି କଙ୍କଳା ସ୍ଥାନୀୟ ଯାଁଳା ଅଞ୍ଚଳର ଗୀତା ବାୟାଣିଙ୍କର ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକ ପୁଲିସକୁ କହିଛନ୍ତି। ପୁଲିସ ସେହି ସନ୍ଦେହରେ ଗୀତାଙ୍କ ଘରକୁ ଯାଇ ଖୋଳତାଡ଼ କରିଛି। ଏପରିକି ଡିଏନ୍ଏ ପଦ୍ଧତିରେ ମେଳ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ଏକ ଟିମ୍ ଗୀତାଙ୍କ ଘରକୁ ଯାଇ ସେମାନଙ୍କ ସହମତି ଲୋଡ଼ିଛି। ସହମତି ମିଳିବା ପରେ ଡିଏନ୍ଏ ପରୀକ୍ଷା ପ୍ରକ୍ରିୟା ଆଗକୁ ବଢ଼ିବ। ଅନ୍ୟପକ୍ଷରେ ପ୍ରାୟ ୫ରୁ ୬ ମାସ ତଳେ ରେତଙ୍ଗ ନିକଟ ରେଳଧାରଣା କଡ଼ରୁ ଟ୍ରେନ୍ ଧକ୍କାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।  ତାହା ଗୀତାଙ୍କର ବୋଲି ପରିବାର ଲୋକ ଚିହ୍ନଟ କରିବା ସହ ମୃତଦେହ ସତ୍କାର କରିଥିଲେ। ସେହିପରି କଙ୍କାଳର ସ୍କେଚ୍, ରୂପରେଖ, ହାତରୁ ମିଳିଥିବା ଚୁଡ଼ି କିମ୍ବା ଦେହରେ ଥିବା ସ୍ବେଟରକୁ ଗୀତାଙ୍କ ପରିବାର ଲୋକ ଚିହ୍ନଟ କରି ନାହାନ୍ତି। କେବଳ ସ୍ଥାନୀୟ ଲୋକଙ୍କ ସୂଚନାକୁ ଆଧାର କରି ପୁଲିସ ସେହି ଦିଗରେ ତଦନ୍ତ ଆଗକୁ ବଢ଼ାଉଛି। ଯାହାକି ପୁଲିସ ଭୂମିକାକୁ ସନ୍ଦେହ ଭିତରକୁ ଟାଣି ଆଣିଛି। ପରିଚୟ ମିଳିବା ପରେ ହିଁ ତଦନ୍ତ ଆଗକୁ ବଢ଼ି ପାରିବ ବୋଲି ପୁଲିସ୍‌ କହିଛି।

ସୂଚନାଯୋଗ୍ୟ, ଏକ ଗଞ୍ଜେଇ କାରବାର ମାମଲାରେ ଗଞ୍ଜାମ ରମ୍ଭା ଥାନା ପୁଲିସ ମହିନ୍ଦ୍ରା ଏକ୍ସୟୁଭି ଗାଡ଼ି ଜବତ କରିଥିଲା। ଗାଡ଼ିର ବେଲବଣ୍ଡ ଆଣି ଗତ ଫେବ୍ରୁଆରୀ ୧୨ ତାରିଖରେ ମାଲିକ ଥାନାରୁ ମୁକୁଳାଇବା ପାଇଁ ଆସିଥିଲେ। ଗାଡ଼ି ଡୋର୍ ଖୋଲିବା ପରେ ମଝି ସିଟ୍‌ରୁ ମହିଳାଙ୍କ କଙ୍କାଳ ମିଳିଥିଲା। ମାସକ ପରେ ଅର୍ଥାତ୍ ମାର୍ଚ୍ଚ ୧୨ ତାରିଖରେ ଘଟଣାକୁ ପଦାକୁ ଆସିଥିଲା। ଏହି ଘଟଣାରେ ଯାଁଳା ଫାଣ଼୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ଏବଂ ମହିଳା ଥାନାଧିକାରୀ ବନିତା ମହାରଣାଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା।

ସମ୍ବନ୍ଧିତ ଖବର