ଜବତ ଗାଡ଼ିରୁ କଙ୍କାଳ ମିଳିବା ଘଟଣା : ପୂର୍ଣ୍ଣାଙ୍ଗ ସ୍କେଚ୍‌ ଆସିବା ପରେ ଜାରି ହେବ

ଭୁବନେଶ୍ବର : ଯାଁଳା ଫାଣ୍ଡି ପରିସରରେ ଜବତ ଗାଡ଼ି ଭିତରୁ ମିଳିଥିବା ମହିଳାଙ୍କ କଙ୍କାଳର ପରିଚୟ ମିଳିପାରୁ ନାହିଁ। ପରିଚୟ ମିଳିବାର ଯେତିକି ବିଳମ୍ବ ହେଉଛି, ପୁଲିସର ମୁଣ୍ଡବିନ୍ଧା ସେତିକି ବଢ଼ିବାରେ ଲାଗିଛି। ଇତିମଧ୍ୟରେ କଙ୍କାଳର ମୁହଁ ପୁନର୍ଗଠନ (ଫେସ୍ ରିକନଷ୍ଟ୍ରକସନ୍) ଫଟୋ କମିସନରେଟ ପୁଲିସକୁ ମିଳି ସାରିଛି। କିନ୍ତୁ ତାହା ପରିଚୟ ପାଇଁ ଯଥେଷ୍ଟ ନଥିବା ବିଚାର କରି ପୁଲିସ ସ୍କେଚ୍‌କୁ ସର୍ବସାଧାରଣରେ ଜାରି କରି ନାହିଁ। ଆଉ ଥରେ ପୂର୍ଣ୍ଣାଙ୍ଗ ସ୍କେଚ୍‌ କରି ପଠାଇବାକୁ ସମ୍ପୃକ୍ତ ସଂସ୍ଥାକୁ କୁହାଯାଇଛି। ପୂର୍ଣ୍ଣାଙ୍ଗ ସ୍କେଚ୍‌ ଆସିବା ପରେ ହିଁ ଏହା ସର୍ବସାଧାରଣରେ ଜାରି କରାଯିବ। ତା’ ସହିତ ସେଠାରୁ ମିଳିଥିବା ‌ସ୍ବେଟର ଓ ଅନ୍ୟାନ୍ୟ ଫଟୋ ସର୍ବସାଧାରଣ ଜାଗାରେ ଲଗାଯିବ। ଏଥିରୁ ମୃତ ମହିଳାଙ୍କ ପରିଚୟ ମିଳିପାରେ ବୋଲି ଆଶା କରାଯାଉଥିବା କହିଛନ୍ତି ଡିସିପି ଉମାଶଙ୍କର ଦାଶ।

ଉଲ୍ଲେଖଯୋଗ୍ୟ ଯେ ଯାଁଳା ଫାଣ୍ଡି ଅଞ୍ଚଳରେ ବୁଲି ଭିକ୍ଷାବୃତ୍ତି କରୁଥିବା ଜଣେ ମହିଳା କିଛି ଦିନ ହେବ ଉଭାନ୍‌ ହୋଇ ଯାଇଥିଲେ। ଏଣୁ ଏହି ମୃତଦେହ ସମ୍ପୃକ୍ତ ମହିଳାଙ୍କର ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଥିଲା। ଖୋଳତାଡ଼ ପରେ ସମ୍ପୃକ୍ତ ମହିଳାଙ୍କର ରାସ୍ତାକଡ଼ରେ ମୃତ୍ୟୁ ଘଟିଥିବା ଜଣା ପଡ଼ିଥିଲା। ଏଣୁ ପରିଚୟ ମିଳିବାକୁ ନେଇ ଯେଉଁ ଆଶା ରହିଥିଲା ତାହା ମଉଳି ଯାଇଛି। ଅନ୍ୟପଟେ ମାମଲାର ତଦନ୍ତ ଭାର ନେଇଥିବା ମହିଳା ଥାନା ଇନ୍‌ସ୍‌ପେକ୍ଟର ବନୀତା ମହାରଣା ଆଜି ଯାଁଳା ଅଞ୍ଚଳର ୧୨ ଜଣଙ୍କୁ ଜେରା କରିଛନ୍ତି। ଏଥିରେ ୩ ଜଣ ବ୍ୟବସାୟୀ, ଫାଣ୍ଡିର ଦୁଇଜଣ କର୍ମଚାରୀ ଓ ସାଧାରଣ ଲୋକ ଅଛନ୍ତି। ବିଭିନ୍ନ ସମୟରେ ଫାଣ୍ଡିକୁ ଅଭିଯୋଗ କରିବାକୁ ଆସିଥିବା କେତେକଙ୍କୁ ସେ ଚିହ୍ନଟ କରିଛନ୍ତି। ଆସନ୍ତାକାଲି ସେମାନଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର