ସ୍କାଏମୁନ୍‌, ଜ୍ଞାନଜ୍ୟୋତି ଯୁଗ୍ମ ଚାମ୍ପିଅନ୍‌

ସୋଆ କ୍ରୀଡ଼ା ଉଦ୍‌ଯାପିତ

ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ୬ ସପ୍ତାହ ଧରି ଚାଲିଥିବା ସୋଆ କ୍ରୀଡ଼ା-୨୦୧୭ ଉଦ୍‌ଯାପିତ ହୋଇଯାଇଛି। ଏହି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ଆଥଲେଟିକ୍ସରେ ଆଇଟିଇଆର୍‌ର ସ୍କାଏମୁନ୍‌ ମଲିକ୍‌ ଓ ଜ୍ଞାନଜ୍ୟୋତି ପ୍ରକାଶ ଯୁଗ୍ମ ଚାମ୍ପିଅନ୍‌ ହୋଇଛନ୍ତି। ସେହିପରି ମହିଳା ବିଭାଗରେ ଚାମ୍ପିଅନ୍‌ ହୋଇଛନ୍ତି ସମ୍‌ ନର୍ସିଂ କଲେଜର(ଏସ୍‌ଏନ୍‌ସି) ଲଳିତା ମହାନ୍ତ। ଆଥଲେଟିକ୍ସ ବ୍ୟତୀତ ଫୁଟବଲ୍‌, କ୍ରିକେଟ୍‌, ଭଲିବଲ୍‌, ବାସ୍କେଟବଲ୍‌, ବ୍ୟାଡମିଣ୍ଟନ୍‌, ଟେବୁଲ୍‌ ଟେନିସ୍‌, କବାଡ଼ି, ସଫ୍ଟବଲ୍‌, ଥ୍ରୋ-ବଲ୍‌ ଓ ଚେସ୍‌ ଭଳି ମୋଟ୍‌ ୧୧ଟି ଇଭେଣ୍ଟରେ ପ୍ରତିଯୋଗୀ ଭାଗ ନେଇ କୃତିତ୍ୱ ହାସଲ କରିଥିଲେ । ଆଇଟିଇଆର୍‌ର ପ୍ରତିଯୋଗୀ ପୁରୁଷ ଆଥଲେଟିକ୍ସରେ ଚାମ୍ପିଅନ୍‌ ଟାଇଟଲ୍‌ ସହ ଉଭୟ ପୁରୁଷ ଓ ମହିଳା ଆଥଲେଟିକ୍ସରେ ରନର୍ସ ଅପ୍‌ ହୋଇଥିଲେ। ପୁରୁଷ ଆଥଲେଟିକ୍ସରେ ଆଶୁତୋଷ ସାହୁ ଓ ମହିଳା ଆଥଲେଟିକ୍ସରେ ମୌମିତା ହାଲି ରନର୍ସ ଅପ୍‌ ହୋଇଥିଲେ।

ଆଜି ଉଦ୍‌ଯାପନୀ ଉତ୍ସବରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ହରିଶ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍‌ ହସପିଟାଲ୍‌ର ଅଧୀକ୍ଷକ ଡ. ପୁଷ୍ପରାଜ ସାମନ୍ତସିଂହାର, ଛାତ୍ର ମଙ୍ଗଳ ଆସୋସିଏଟ୍‌ ଡିନ୍‌ ଡ. ଜ୍ୟୋତି ରଞ୍ଜନ ଦାସ ଓ କ୍ରୀଡ଼ା ଅଧିକାରୀ ସୁନିତା ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର