ଉତ୍କଳ ବିଶ୍ବବିଦ୍ୟାଳୟରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ଯୁବକଙ୍କୁ ଖୋଜିଲା ଡ୍ରୋନ୍‌

ଯୁବକଜଣକ କେମିତି ଅଛନ୍ତି, ଜାଣିବା ଲାଗି ପ୍ର‌ଥମେ ଡ୍ରୋନ୍‌ କ୍ୟାମେରାକୁ ନିୟୋଜିତ କରାଯାଇଥିଲା। ଦୁଇ ଜଣିଆ ଏକ ସ୍ବତନ୍ତ୍ର ଟିମ୍‌ ଛାତର ଚାରିପାଖରେ ଡ୍ରୋନ୍‌ ଉଡ଼ାଇ ଯୁବକଙ୍କ ଅବସ୍ଥିତି ଅନୁଧ୍ୟାନ କରିଥିଲା। ତିନି ଥର ଉଡ଼ିବା ପରେ ଚିତ୍ର ସ୍ପଷ୍ଟ ହୋଇଥିଲା। ଯୁବକଜଣକ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଛାତ ଉପରେ ଶୋଇଥିବା ଦେଖିବାକୁ ମିଳିଥିଲା। ଏହାପରେ ସ୍କାଏ-ଲିଫ୍ଟ ଗାଡ଼ି ଜରିଆରେ ଅଗ୍ନିଶମ ବିଭାଗର କର୍ମଚାରୀ ଉଦ୍ଧାର ପାଇଁ ଲାଗି ପଡ଼ିଥିଲେ। ପୂର୍ବାହ୍ନ ୧୦ଟା ୪୫ରେ ଅଗ୍ନିଶମ କର୍ମଚାରୀମାନେ ଯୁବକଙ୍କ ନିକଟକୁ ଯିବା ସମୟରେ ସେ ଗାଳିଗୁଲଜ କରିଥିଲେ। ତଳକୁ ଡେଇଁ ପଡ଼ିବାକୁ ଧମକାଇଥିଲେ।

୧୦ଥର ଉଦ୍ୟମ ପରେ ସଫଳ
ପାଖାପାଖି ୧୦ ଥର ଉଦ୍ୟମ ପରେ ଅପରାହ୍‌ଣ ପ୍ରାୟ ୩ଟା ବେଳକୁ ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଣ୍ଟ। ଷଷ୍ଠ ମହଲାରେ ଥିବା ଜଣେ ଯୁବକ ଶିଡ଼ି ସାହାଯ୍ୟରେ ୭ମ ମହଲାରେ ଥିବା ସୁବୋଧଙ୍କ ସହ କଥା ହୋଇଥିଲେ। ଏଣୁତେଣୁ କହି ତାଙ୍କ ବିଭ୍ରାନ୍ତ କରୁଥାନ୍ତି। ଏହି ସମୟରେ ସ୍କାଏ-ଲିଫ୍ଟ ଗାଡ଼ି ଜରିଆରେ ଅଗ୍ନିଶମ ବିଭାଗର ମୁଖ୍ୟ ଆଗ୍ନିକ କାଶ୍ୟପ ପଟ୍ଟନାୟକ, ସହିଦନଗର ଆଇଆଇସି ବିରଞ୍ଚି ପତି ଅନ୍ୟପାର୍ଶ୍ବରେ ୭ମ ମହଲାକୁ ଚଢ଼ିଥିଲେ। ସୁବୋଧ ସେମାନଙ୍କୁ ଦେଖି ଖସିଯିବାକୁ ଉଦ୍ୟମ କରିଥିଲା। ତେବେ ଉଭୟ ଅଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁବୋଧ ଖସି ପାରି ନଥିଲା। ସେମାନେ ତାକୁ କାବୁ କରି ନେଇଥିଲେ।

‘ଅପରେସନ ବାଣୀବିହାର’ ଯୋଗୁଁ କ୍ୟାମ୍ପସର ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ଖାଇବାକୁ ଦିଆଗଲା ଚକୁଳି, ଭଜା
ସୁବୋଧଙ୍କ କହିବା ଅନୁଯାୟୀ ତାଙ୍କ ପାଇଁ ଖାଇବା ନିଆ ଯାଇଥିଲା। ଗୋଟିଏ ପ୍ଲେଟ୍‌ରେ ଚକୁଳି, ପରଟା ଓ ଭଜା ନିଆଯାଇଥିଲା। କିନ୍ତୁ ସେ ତାହାକୁ ଖାଇବାକୁ ମନା କରି ଦେଇଥିଲେ। ପରେ ଦାନ୍ତ ଖସିବାକୁ ବ୍ରସ୍‌ ଓ ପେଷ୍ଟ ମାଗିବାରୁ ତା’ ପାଇଁ ପୁଣିଥରେ ଉକ୍ତ ସାମଗ୍ରୀ ନିଆଯାଇଥିଲା। ପାଖକୁ ଗଲା ବେଳକୁ ହାତ ହଲାଇ ପଳାଇ ଯିବାକୁ କହିଥିଲେ। ପାଣି ବୋତଲ ବି ମାଗିଥିଲେ। ତେବେ ପାଣି ବୋତଲ ହାତରୁ ନେବାକୁ ସେ ରୋକଠୋକ୍‌ ମନା କରି ଦେଇଥି‌‌ଲେ। ହାତ ହଲାଇ ମାରିବାକୁ ଗୋଡ଼ାଇଥିଲେ।

ଫିଜିକ୍ସ ମାଡାମ୍‌ଙ୍କୁ ଡାକ
ଛାତ ଉପରେ ଥିବା ସମୟରେ ସୁବୋଧ ଏଣୁତେଣୁ ଗୁଡ଼ାଏ କଥା କହିଥିଲେ। ପ୍ରଥମେ ବିଶ୍ବବିଦ୍ୟାଳୟ ଭିସିଙ୍କୁ ଖୋଜିଥିଲେ। ଭିସି ଆସିଲେ, ମୁଁ ତଳକୁ ଓହ୍ଲାଇବି ବୋଲି କହିଥିଲେ। ଭିସିଙ୍କ ସ୍ଥାନରେ ଡେପୁଟି ଫାୟାର ଅଫିସର ରମେଶ ଚନ୍ଦ୍ର ମାଝିଙ୍କୁ ଉପରକୁ ପଠାଯାଇଥିଲା। କିନ୍ତୁ ସେ କିଛି ଶୁଣି ନଥିଲେ। ଏହାପରେ ସତ୍‌ସଙ୍ଗର ସୁର ଭାଇଙ୍କୁ ଡାକିବାକୁ କହିଥିଲେ। ମାଇକ୍‌ ସାହାଯ୍ୟରେ ସୁର ଭାଇଙ୍କୁ ଡକାଯାଇଥିଲେ ମଧ୍ୟ କେହି ଆସି ନଥିଲେ। ଶେଷରେ ଫିଜିକ୍ସ ମାଡାମ୍‌କୁ ଖୋଜିଥିଲେ। ଫିଜିକ୍ସ ମାଡାମ୍‌ ଉପରକୁ ଆସିଲେ ତଳକୁ ଓହ୍ଲାଇବି ବୋଲି ସେ କହିଥିଲେ।

ବିଫଳ ହେଲେ ମନସ୍ତତ୍ବ ବିଜ୍ଞାନୀ
ସୁବୋଧଙ୍କ ମାନସିକତାରେ ପରିବର୍ତନ ଆଣିବାକୁ ଦୁଇ ଜଣ ମନସ୍ତତ୍ବ ବିଜ୍ଞାନୀଙ୍କୁ ଉପରକୁ ପଠାଯାଇଥିଲା। ସେମାନେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତାଙ୍କ ମନର ଭାଷାକୁ ବୁଝିପାରି ନଥିଲେ କି ବୁଝାଇ ପାରି ନଥିଲେ। ୨୦ ମିନିଟ୍‌ ଉଦ୍ୟମ କରି ବିଫଳ ହେବା ପରେ ତଳକୁ ଫେରି ଆସିଥିଲେ।

ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ଗୃହ ରାଷ୍ଟ୍ର ମନ୍ତ୍ରୀ
ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ସୁବୋଧ ବାରିକଙ୍କୁ ଯେଭଳି ସଫଳତାର ସହ ଜୀବନ୍ତ ଉଦ୍ଧାର କରାଗଲା, ତାହା ବେଶ୍‌ ପ୍ରଶଂସନୀୟ ଥିଲା। ଏହି ଅପରେସନରେ ସାମିଲ ଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ ଓ ଡେପୁଟି ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ମାଝୀଙ୍କ ସମେତ ପୂରା ଅଗ୍ନିସେବା ଦଳ ପ୍ରଶଂସାର ପାତ୍ର। ଅଗ୍ନିଶମ ବିଭାଗର ଏପରି ସାହସିକ ପଦକ୍ଷେପ ପାଇଁ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଗ୍ନିସେବା ସଂଗଠନକୁ ଶୁଭେଚ୍ଛା ଜଣାଇବା ସହ ଆଜି ସମ୍ବର୍ଦ୍ଧିତ କରିଛନ୍ତି। ପ୍ରକାଶ ଥାଉ କି, କିଛି ଦିନ ତଳେ ମନ୍ତ୍ରୀ ଶ୍ରୀ ମିଶ୍ର ଭୁବନେଶ୍ବର ଫାୟାର ଷ୍ଟେସନ୍‌ ଅଚାନକ ପରିଦର୍ଶକ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ମେସିନ୍‌ର ସଞ୍ଚାଳନୀୟତା ପରୀକ୍ଷା କରିଥିଲେ। ୧୩୦ ଫୁଟ୍‌ ଉଚ୍ଚତାରେ ମେସିନ୍‌ର ଜେଟ୍‌ ଓ ସେହି ଉଚ୍ଚତାରେ ଆକାଶକୁ ଜଳ ସିଞ୍ଚନ କରି ମେସିନ ଠିକ୍‌ ଭାବେ କାମ କରୁଛି କି ନାହିଁ, ନିରୀକ୍ଷଣ କରିଥିଲେ। ସେହି ମେସିନ୍‌ ହିଁ ଆଜି ଉଦ୍ଧାର କାର୍ଯ୍ୟରେ ସଫଳତାର ସହ ବ୍ୟବହୃତ ହୋଇଥିଲା।

ସମ୍ବନ୍ଧିତ ଖବର