ଅମ୍ରିତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି

ଫୁସ୍‌ଫୁସ୍‌ରେ ଏବେ ବି ରହିଛି ସଂକ୍ରମଣ, କଥା କହି ପାରୁନାହାନ୍ତି, ଠାରରେ ଦେଉଛନ୍ତି ପ୍ରତିକ୍ରିୟା

ଭୁବନେଶ୍ବର : କରୋନାରେ ଗୁରୁତର ହୋଇ ଚେନ୍ନାଇ ଆପୋଲୋରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ମାଂସପେଶୀରେ ସାମାନ୍ୟ ଶକ୍ତି ଅନୁଭବ କରୁଛନ୍ତି ଅମ୍ରିତ। କଥା କହି ପାରୁନାହାନ୍ତି, ତେବେ ଠାରରେ ନିଜ ପ୍ରତିକ୍ରିୟା ଦେଇ ପାରୁଛନ୍ତି। ତାଙ୍କ ଫୁସ୍‌ଫୁସ୍‌ରେ ଏବେ ମଧ୍ୟ ସଂକ୍ରମଣ ରହିଛି ଏବଂ ସେ ଭେଣ୍ଟିଲେଟର୍‌ରେ ଅଛନ୍ତି ବୋଲି ଡାକ୍ତର କହିଛନ୍ତି।

ଏମ୍‌ସ ଭୁବନେଶ୍ବରରେ ସଂକଟାପନ୍ନ ଅବସ୍ଥାରେ ଥିବା ଅମ୍ରିତଙ୍କୁ ଏକ୍‌ମୋ ଚିକିତ୍ସା ପାଇଁ ନିକଟରେ ଏଆରଲିଫ୍ଟ କରି ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ଫୁସ୍‌ଫୁସ୍‌ ସଂକ୍ରମିତ ହୋଇ ବହୁ ପରିମାଣରେ ନଷ୍ଟ ‌ହୋଇଯାଇଥିବାରୁ ଅମ୍ରିତ ଗୁରୁତର ହୋଇପଡ଼ିଥିଲେ। ତେବେ ଆପୋଲୋରେ ଭର୍ତ୍ତି ହେବା ପରେ ତାଙ୍କ ଏକ୍‌ମୋ ମେସିନରେ ରଖାଯିବା ସହ ତାଙ୍କର ଟ୍ରାକୋଷ୍ଟମି ଅପରେସନ୍‌ ହୋଇଥିଲା। ବିଭିନ୍ନ ପରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ ୧୪ ଦିନ ନିରୀକ୍ଷଣରେ ରଖିଛନ୍ତି। ଏହାରି ଭିତରେ ଏକ ସାମାନ୍ୟ ଆଶ୍ବସ୍ତ କଲା ଭଳି ଖବର ଆସିଛି।

ଅମ୍ରିତଙ୍କ ଭିଣୋଇ ଚିଦାନନ୍ଦ ତରାଇ କହିବାନୁଯାୟୀ, ଅମ୍ରିତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସୁଛି। ସେ ହାତ ଗୋଡ଼ ହଲାଇ ପାରୁଛନ୍ତି ଏବଂ କଥା ହେବା ସମୟରେ ଆଖିଠାର ମାଧ୍ୟମରେ ପ୍ରତିକ୍ରିୟା ଦେଉଛନ୍ତି। ଅମ୍ରିତ ୫୦ ପ୍ରତିଶତ ଭେଣ୍ଟିଲେଟର୍‌ରେ ରହିଥିବା ବେଳେ ଭେଣ୍ଟିଲେଟର୍‌ ସମ୍ପୂୂର୍ଣ୍ଣ ହଟାଇବା ପାଇଁ ଚାହୁଛନ୍ତି ଡାକ୍ତରୀଦଳ। କିନ୍ତୁ ଅମ୍ରିତ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଏକ୍‌ମୋରେ ରହିବେ ବୋଲି ଡାକ୍ତର କହିଛନ୍ତି। ୨ ସପ୍ତାହ ନିରୀକ୍ଷଣ ପରେ ଅମ୍ରିତଙ୍କ ସୁସ୍ଥତା ନେଇ କିିଛି କହି ହେବ ଏବଂ ଦରକାର ହେଲେ ଫୁସ୍‌ଫୁସ୍ ପ୍ରତିରୋପଣ ମଧ୍ୟ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ ପରିବାରଲୋକଙ୍କୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଅମ୍ରିତଙ୍କ ଉନ୍ନତ ଚିକିତ୍ସା ପାଇଁ ତାଙ୍କ ଭଉଣୀ ମନୀଷା ଓ ସାଙ୍ଗମାନେ ମିଲାପ ଫଣ୍ଡ ରେଜର୍ ଜରିଆରେ ଅର୍ଥ ଯୋଗାଡ଼ କରିବାରେ ଲାଗି ପଡ଼ିଥି‌ଲେ। ସମ୍ବାଦ ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଲୋକଙ୍କ ସହାୟତାର ହାତ ଲମ୍ବିଥିଲା। ଏ ପର୍ଯ୍ୟନ୍ତ ମିଲାପ ଫଣ୍ଡ ରେଜର୍ ମାଧ୍ୟମରେ ୯୨୨୮ଜଣ ୯୬,୪୪,୧୮୯ଟଙ୍କା ଦାନ କରିଛନ୍ତି। ଅମ୍ରିତଙ୍କ ଚିକିତ୍ସା ଲାଗି ଆଗକୁ ଆହୁରି ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ସହାୟତା କରିିବାକୁ ଚାହୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମନୀଷା ପ୍ରଧାନଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର- ୨୦୦୫୮୬୭୮୭୪୧, (ଆଇଏଫଏସସି କୋର୍ଡ-ଏସବିଆଇଏନ୍୦୦୦୫୪୫୭, ଶାଖା-ଖୋଡ଼ାସିଂ)ରେ ଅର୍ଥ ପଠାଇ ପାରିବେ।

ସମ୍ବନ୍ଧିତ ଖବର