ଭୁବନେଶ୍ବର: ୨୬ ଜୁଲାଇ ୨୦୨୩। ପ୍ରଭୁ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆରମ୍ଭ ହେଲା ତ୍ରିଦିନାତ୍ମକ ଭୂମିପୂଜନ ଉତ୍ସବ। ୨୮ ତାରିଖ ଦିନ ତଥା ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତଥା ମହାପ୍ରଭୁଙ୍କ ବାହୁଡ଼ା ତିଥିରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପ (ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ୍‌)ର ଶିଳାନ୍ୟାସ କଲେ। ୨୦୨୫ ନୂଆ ବର୍ଷ ସୁଦ୍ଧା ଏକାମ୍ର ପ୍ରକଳ୍ପ କାମ ଶେଷ ହେବ ବୋଲି କୁହାଗଲା। କିନ୍ତୁ ବର୍ଷ ଶେଷ ହେବାକୁ ବସିଥିବା ବେଳେ ଏପର୍ଯ୍ୟନ୍ତ ଅଧିକାଂଶ କାମ ଆରମ୍ଭ ହୋଇନାହିଁ। ଯେଉଁ କିଛି କାମ ଆରମ୍ଭ ହୋଇଛି ସେସବୁ ମନ୍ଥର ଗତିରେ ଚାଲିଛି। ଏକାମ୍ର କ୍ଷେତ୍ରର ସୁବିଧା ଏବଂ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନା ତଥା 'ଏକାମ୍ର ପ୍ରକଳ୍ପ' ୨୦୧୯ରେ ଆରମ୍ଭ କରାଯାଇଥିଲା। ହେଲେ ବିଭିନ୍ନ କାରଣବଶତଃ ପ୍ରକଳ୍ପ କାମ ଆଗେଇ ପାରିନଥିଲା। ଭୂମିପୂଜନ ପରେ ଯେଉଁ ଆଶା ସଂଚାର ହୋଇଥିଲା ବର୍ତ୍ତମାନର ପାରିପାର୍ଶ୍ବିକ ବ୍ୟବସ୍ଥା ସେ ଆଶାକୁ ମାରି ଦେଉଛି। ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ଅଧୀନରେ ପ୍ରାୟ ୨୦୦ କୋଟି ଟଙ୍କାର ଏହି ପ୍ରକଳ୍ପ କାମ କରାଯାଉଛି। ରାଞ୍ଚିର ବିପିସି ଇନ୍‌ଫ୍ରା ପ୍ରୋଜେକ୍ଟ ଫ୍ରା.ଲି.କୁ ଏହି କାମ ଦିଆଯାଇଛି। ଏକାମ୍ର ପ୍ରକଳ୍ପକୁ ୭ଟି ବିଭାଗରେ ବିଭକ୍ତ କରାଯାଇଥିଲା। ରାସ୍ତା ଓ ପାର୍କିଂ, ଫ୍ଲାଜା, ପ୍ରସସ୍ଥ ସ୍ଥାନ, ମନ୍ଦିର ପାଇଁ ସମସ୍ତ ସୁବିଧା ସହ ସହଜ ଦର୍ଶନ ବ୍ୟବସ୍ଥା, ଭଜନ ମଣ୍ଡପ, ସୂଚନା କେନ୍ଦ୍ର ଓ ଅନନ୍ତ ବାସୁଦେବ ରୋଷଘର ଇତ୍ୟାଦି ଯୋଜନା କରାଯାଇଥିଲା।

Advertisment

ଏଥିରେ ଯାନବାହନ ଚଳାଚଳକୁ ସୁଗମ କରିବା ନିମନ୍ତେ ୧୨ରୁ ୧୮ ମିଟର ଚଉଡ଼ା ରାସ୍ତା, ପଥଚାରୀଙ୍କ ପାଇଁ ୪ରୁ ୧୦ ମିଟର ଚଉଡ଼ା ଚଲାପଥ ଏବଂ ପାର୍କିଂ ବ୍ୟବସ୍ଥା ସହ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଆନ୍ତଃସଂଯୋଗ କରୁଥିବା ମୁକ୍ତସ୍ଥାନ, ୩୦୦ ବର୍ଗମିଟରର ଦର୍ଶନ ସୁବିଧା, ଜରୁରୀକାଳୀନ ସେବା ନିମନ୍ତେ ୧୬୦୦ ବର୍ଗମିଟରର ସୂଚନା ଓ ନିୟନ୍ତ୍ରଣ କେନ୍ଦ୍ର, ବିନ୍ଦୁସାଗର ଚତୁଃପାର୍ଶ୍ବରେ ଉତ୍ସର୍ଗୀକୃତ ଚଲାପଥ ନିର୍ମାଣ ପାଇଁ ଯୋଜନା ରହିଛି। କିନ୍ତୁ ବର୍ଷକ ଭିତରେ କେବଳ ତାଳେଶ୍ବରରୁ କୋଟିତୀର୍ଥେଶ୍ବର ରାସ୍ତା ଓ ବକ୍ସ ଡ୍ରେନ୍‌ କାମ, ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖ ପାର୍କିଂ ନିକଟରେ ଶୌଚାଳୟ ନିର୍ମାଣ କାମ ଅଧା ହୋଇଛି। ସାନିଟୋରିୟମ୍‌ ଛକ ନିକଟରେ ବହୁତଳ ପାର୍କିଂ ଓ ଥାନା ନିର୍ମାଣ କାମ ପାଇଁ କେବଳ ଖାଲୁଆ ଅଞ୍ଚଳକୁ ପୋତା ଯାଇଛି। ଏପର୍ଯ୍ୟନ୍ତ ନିର୍ମାଣ କାମ ଆରମ୍ଭ ହୋଇନାହିଁ। ଲିଙ୍ଗରାଜ ଏଣ୍ଟ୍ରାନ୍ସ ପ୍ଲାଜା, କେଦାରଗୌରୀ ପ୍ଲାଜା, ଅନନ୍ତବାସୁଦେବ ଫ୍ଲାଜା, ଲିଙ୍ଗରାଜ ହାଟ, ଭଜନମଣ୍ଡପ, ଅନନ୍ତବାସୁଦେବ ରୋଷଶାଳା, ବିନ୍ଦୁସାଗର ଚତୃପାର୍ଶ୍ବରେ ପାଦଚଲା ରାସ୍ତା, ଲିଙ୍ଗରାଜ ମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ ଭଳି ଆଖିଦୃଶିଆ କାମ ଆରମ୍ଭ ହୋଇନାହିଁ।

ବିଭିନ୍ନ ସ୍ମାରକୀ, ପବିତ୍ର ପୁଷ୍କରିଣୀ ଓ ଅନ୍ୟାନ୍ୟ ଜଳାଶୟର ପୁନରୁଦ୍ଧାର ସମେତ ଶ୍ରୀଲିଙ୍ଗରାଜଙ୍କ ଚତୁଃପାର୍ଶ୍ବର ୮୦ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ ରଖାଯାଇଛି। ହେଲେ ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜମି ଯୋଗାଇ ଦିଆଯାଇନାହିଁ। ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନେତା ଭିକେ ପାଣ୍ଡିଆନ୍‌ ଅଧିକାଂଶ ସମୟରେ ଏକାମ୍ର ପ୍ରକଳ୍ପ ସମୀକ୍ଷା କରି ୨୦୨୫ ପହିଲାରେ କାମ ସରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରୁଥିଲେ। ତଥାପି ମଧ୍ୟ ବର୍ଷକ ମଧ୍ୟରେ କାମ ସେତେଟା ଆଗେଇ ପାରିନଥିଲା। ରାଜ୍ୟରେ ସରକାର ବଦଳିବା ପରେ ଏବେ ଯେମିତି ପ୍ରକଳ୍ପ କାମ ଆହୁରି ମନ୍ଥର ହୋଇଯାଇଛି।