କଚ୍ଛପ ଗତିରେ ଦୟାନଦୀ ବନ୍ଧ ସୁଦୃଢ଼ୀକରଣ କାମ

ଧଉଳି: ଭୁବନେଶ୍ୱର ଉପକଣ୍ଠ ଦୟାନଦୀର ବାମପାର୍ଶ୍ୱ ବନ୍ଧର ଉଭୟ ପାର୍ଶ୍ୱ ସଂପ୍ରସାଣ ଓ ସୁଦୃଢ଼ୀକରଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ଇତିମଧ୍ୟରେ ବର୍ଷେ ତିନିମାସ ସମୟ ବିତି ଯାଇଥିଲେ ମଧ୍ୟ ପୂରା ରାସ୍ତାର ୩୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଏଯାଏ ଶେଷ ହୋଇପାରିନି। ଅନ୍ୟପକ୍ଷରେ ପିଚୁ ରାସ୍ତା ଉପରେ ଟ୍ରିପ୍‌ ଟ୍ରିପ୍‌ ମାଟି ଗଦା ହୋଇ ରହିବା ଦ୍ୱାରା ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏ ନେଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ପାଣିପାଗ କାର୍ଯ୍ୟାଳୟର ସୂଚନାନୁଯାୟୀ ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟରେ ମୌସୁମି ଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ଏହା ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖାଲି ସେତିକି ନୁହେଁ, ଉପରୋକ୍ତ ଦୁର୍ବଳ ନଦୀବନ୍ଧ କାମରେ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ବନ୍ୟା ଆସିଲେ ପରିସ୍ଥିତି ଅଧିକ ଭୟାନକ ହେବ ବୋଲି ନିକଟସ୍ଥ ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଉତ୍ତରା ଜଳସେଚନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଉକ୍ତ ନଦୀବନ୍ଧର ଦୁଇକିମି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ପାଖାପାଖି ୮ ଫୁଟ ଚଉଡ଼ା କରିବା ପାଇଁ ଗତବର୍ଷଠାରୁ ଦୁଇଟି ପର୍ଯ୍ୟାୟରେ ୭୦ ଲକ୍ଷ ଟଙ୍କା ମଂଜୁର ହୋଇଛି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ମାତ୍ର ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ କାମ ଠିକ୍‌ ଭାବରେ ତଦାରଖ କରୁ ନଥିବାରୁ ଠିକାଦାର ମନମୁଖୀ କାମ କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ମାଟି ସମସ୍ୟା ଯୋଗୁଁ କାମରେ ବିଳମ୍ବ ହୋଇଛି , ବର୍ଷା ପୂର୍ବରୁ କାମ ଶେଷ କରାଯିବା ପାଇଁ ଚେଷ୍ଟା ଚାଲିଥିବା ସହକାରୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର