ଭୁବନେଶ୍ବରରେ ଥଇଥାନ ହେବେ ବସ୍ତିବାସିନ୍ଦା

ପୌର ନିର୍ବାଚନକୁ ଆଖି
୨୬୨୭ ପରିବାରକୁ ମିଳିବ କୋଠାଘର
ବସ୍ତି ଭଙ୍ଗା ଅଭିଯାନ ବନ୍ଦ କରିବାକୁ ଦାବି

ଚନ୍ଦ୍ରଶେଖରପୁର : ଆଗକୁ ପୌର ନିର୍ବାଚନ। କେବେ ହେବ, ସେନେଇ ତାରିଖ ଘୋଷଣା ହୋଇନି। ତା’ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ଭୁବନେଶ୍ବର ମହାନଗର ନିଗମ ଅଣ୍ଟା ଭିଡ଼ିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା‌ (ପିଏମ୍‌ଏୱାଇ)ରେ ୩ଟି ପ୍ରକଳ୍ପ ପାଇଁ ଭୁବନେଶ୍ବରର ବିଭିନ୍ନ ବସ୍ତିର ୨୬୨୭ ପରିବାରକୁ ଚିହ୍ନଟ କରାଯାଇଛି। ଯୋଗ୍ୟ ହିତାଧିକାରୀଙ୍କ ତାଲିକା ବିଏମ୍‌ସି ୱେବସାଇଟ୍‌ ଓ ବିଭିନ୍ନ ଜୋନାଲ୍‌ କାର୍ଯ୍ୟାଳୟରେ ତାଲିକା ପ୍ରକାଶ କରାଯାଇଛି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ପୌର ନିର୍ବାଚନ ପୂର୍ବରୁ ବସ୍ତିବାସିନ୍ଦାଙ୍କ ଲାଗି ଏଭଳି ବିଜ୍ଞପ୍ତି ପ୍ରକାଶ କରି ରାଜ୍ୟ ସରକାର ଥୋପ ପକାଇବାକୁ ଉଦ୍ୟମ କରିଛନ୍ତି ବୋଲି ବସ୍ତି ସୁରକ୍ଷା ମଞ୍ଚ ଅଭିଯୋଗ କରିଛି।

ମଞ୍ଚ ପକ୍ଷରୁ କୁହାଯାଇଛି ଯେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ପାଇଁ ବଜେଟ ହୋଇଥିବା ସତ୍ତ୍ୱେ ୨୦ବର୍ଷ ହେଲା ବିଜେଡି ସରକାର ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ପୌର ନିର୍ବାଚନକୁ ଆଖି ଆଗରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବସ୍ତି ଥଇଥାନ ସମ୍ପର୍କରେ ଚୂଡ଼ାନ୍ତ ହିତାଧିକାରୀ ତାଲିକା ଚୟନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେ‌ବେ ପ୍ରକୃତ ବସ୍ତିବାସିନ୍ଦା ଏହି ଥଇଥାନ ପ୍ରକ୍ରିୟାରୁ ବଞ୍ଚିତ ହେବେ। ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ବସ୍ତି ଥଇଥାନ ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର ମୋହ ସୃଷ୍ଟି କରୁଛନ୍ତି। କିନ୍ତୁ ନିର୍ବାଚନ ପରେ ସବୁ ଭୁଲି ଯାଉଛନ୍ତି।

ଗତ ୨୦ ବର୍ଷ ଭିତରେ କେବଳ ଅରବିନ୍ଦ ନଗର ଓ ମା’ ତାରିଣୀ ବସ୍ତିର ୧୭୯ ଘର ଓ ମହିଷାଖାଲ ବସ୍ତିର ୧୨୦ ଘରକୁ କୋଠା ଘର ଦେଇ ଥଇଥାନ କରାଯାଇଛି। ଅନ୍ୟ କିଛି ସ୍ଥାନରେ ଥଇଥାନ ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ବସ୍ତିବାସିନ୍ଦାଙ୍କୁ ଆଲଟମେଣ୍ଟ ନିର୍ଦ୍ଦେଶ ଦିଆଯାଉ ନାହିଁ। ୧୯୯୪ରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ପଥରବନ୍ଧ ଓ ମହିଷାଖାଲ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ଯୋଜନା ହୋଇଥିଲେ ମଧ୍ୟ ଅଦ୍ୟାବଧି ଉଭୟ ବସ୍ତିର ୧୦ ଭାଗରୁ କମ୍‌ ଲୋକଙ୍କୁ ମଧ୍ୟ ଥଇଥାନ କରାଯାଇ ନାହିଁ। ୮୦ ଭାଗ ଲୋକଙ୍କ ପାଇଁ ଘର ତିଆରି ମଧ୍ୟ ଆରମ୍ଭ ମଧ୍ୟ ହୋଇନି। କେବଳ ଭୁଆଁ ବୁଲାଇ ନିର୍ବାଚନୀ ବୈତରଣୀ ପାର ହେବାକୁ ଏଭଳି ଯୋଜନା ହୋଇଛି। ସରକାରଙ୍କ ଚକ୍ରାନ୍ତକୁ ବୁଝି ବସ୍ତିବାସିନ୍ଦା କାର୍ଯ୍ୟ କରିବାକୁ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି। ଏଥିସହ ଥଇଥାନ ପୂର୍ବରୁ ବସ୍ତି ଉଚ୍ଛେଦ ତଥା ବସ୍ତି ଭଙ୍ଗା ଅଭିଯାନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମଞ୍ଚ ପକ୍ଷରୁ ଦୃଢ଼ ଦାବି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସି ଦକ୍ଷିଣ-ପୂର୍ବ ଜୋନ୍‌ କାର୍ଯ୍ୟାଳୟର ନୋଟିସ୍‌ ଅନୁଯାୟୀ, ବିଏମ୍‌ସି ୩୦ ନମ୍ବର ୱାର୍ଡର ବିର୍ସାମୁଣ୍ଡା-୧ ବସ୍ତିର ୬୨ ପରିବାର ସମେତ ବିର୍ସାମୁଣ୍ଡା-୨ ବସ୍ତିର ୮୭, ସହିଦନଗର ତେଲୁଗୁ ବସ୍ତିର ୩୭୩, ୱାର୍ଡ ନମ୍ବର ୪୧ ଅନ୍ତର୍ଗତ ରିକ୍ସା କଲୋନିର ୫୧, ଶାନ୍ତିନଗର ଏଫ୍‌ସିଆଇ କଲୋନିର ୪୧୮ ଓ ୫୩ ନମ୍ବର ୱାର୍ଡର କଳିଙ୍ଗ ବସ୍ତିର ୪୨ ପରିବାର ସତ୍ୟନଗର ଏଏଚ୍‌ପି ପ୍ରକଳ୍ପ ପାଇଁ ମନୋନୀତ ହୋଇଛନ୍ତି। ୩୪ନମ୍ବର ୱାର୍ଡର ଦୁର୍ଗାମଣ୍ଡପ ବସ୍ତିର ୧୬୩, ଟିମ୍ବର କଲୋନିର ୧୦୮ ଓ ରାଜକୁମାର ବସ୍ତିର ୧୧୮ ପରିବାର ଶାନ୍ତିନଗର ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ୩୫ ନମ୍ବର ୱାର୍ଡର ମା’ ଭଗବତୀ ବସ୍ତିର ୧୧୩, ସୁଧାନିଶ୍ବର ବସ୍ତିର ୧୩୯, ଭଗବତୀ ବସ୍ତି-୧ର ୧୧୭ ଓ ମା’ ମଙ୍ଗଳା ବସ୍ତିର ୧୩୬ ପରିବାରକୁ ଚନ୍ଦ୍ରଶେଖରପୁର ଏଏଚ୍‌ପି ପ୍ରକଳ୍ପରେ ସାମିଲ ହୋଇଛନ୍ତି। ୪୧ ନମ୍ବର ୱାର୍ଡର ପିଏଚ୍‌ଡି ସାହି(ୟୁନିଟ୍‌-୩)ର ୬୭ ପରିବାର ଓ ତ୍ରିରଙ୍ଗା ସାହିର ୯୩ ପରିବାର ଶାନ୍ତିନଗର ଆବାସ ଯୋଜନାରେ ଘର ପାଇବାକୁ ଯୋଗ୍ୟ ହୋଇଛନ୍ତି। ଏହି ୱାର୍ଡର କାଳୀ ମନ୍ଦିର ସାଇଡ୍‌ ବସ୍ତି(ୟୁନିଟ୍‌-୨)ର ୧୨୨ ପରିବାର ସମେତ ଜନତା ଲଜ୍‌ ସାଇଡ୍‌ ବସ୍ତିର ୪୭ ଓ କାଞ୍ଜିଆହୁଦା ହରିଜନ ବସ୍ତିର ୧୫୭ପରିବାର ସତ୍ୟନଗର ଏଏଚ୍‌ପି ପ୍ରକଳ୍ପରେ ଘର ପାଇବାକୁ ମନୋନୀତ ହୋଇଛନ୍ତି। ଏହି ତାଲିକାକୁ ନେଇ ଯଦି କାହାର କୌଣସି ଆପତ୍ତି ଅଭିଯୋଗ ଥାଏ, ତେବେ ସେମାନେ ୧୫ଦିନ ତଥା ଡିସେମ୍ବର ୪ ସୁଦ୍ଧା ଦକ୍ଷିଣ ପୂର୍ବ ଜୋନ୍‌ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିବାକୁ କୁହାଯାଇଛି। ୬୨ ନମ୍ବର ୱାର୍ଡର ଭକ୍ତମଧୁ ନଗର ବସ୍ତିର ୯୮ ପରିବାର, ମା’ ତାରିଣୀ ବସ୍ତିର ୬୪ ଓ ଏକାମ୍ରଭିଲ୍ଲା ବେହେରା ବସ୍ତିର ୫୨ ପରିବାର ଚନ୍ଦ୍ରଶେଖରପୁର ଏଏଚ୍‌ପି ପ୍ରକଳ୍ପରେ ଘର ପାଇବାକୁ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର