ଓଡ଼ିଶା ବସ୍ତି ସଂଘର୍ଷ ସମିତିର ଚେତାବନୀ : ସପ୍ତାହକ ମଧ୍ୟରେ ୫ ମହାନଗରର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦିଅ

ଭୁବନେଶ୍ୱର : ଆସନ୍ତା ୭ଦିନ ମଧ୍ୟରେ ରାଜ୍ୟର ୫ ମହାନଗର ନିଗମରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କରିବାକୁ ଦାବି କରିଛି ଓଡ଼ିଶା ବସ୍ତି ସଂଘର୍ଷ ସମିତି। ନଚେତ୍‌ ନବୀନ ନିବାସ ଘେରାଉ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜି ସମିତି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ପ୍ରତାପ ସାହୁ କହିଲେ, ଗତବର୍ଷ ଓଡ଼ିଶା ବସ୍ତିବାସିନ୍ଦା ଜମି ଅଧିକାର ଆଇନରେ ଏନ୍‌ଏପସି, ମ୍ୟୁନସିପାଲଟି ଓ ବିଜ୍ଞାପତି ଅଞ୍ଚଳ ଗୁଡ଼ିକରେ ବସ୍ତିବାସିନ୍ଦାମାନଙ୍କୁ ଜମି ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଶୁଭାରମ୍ଭ ହୋଇଥିବା ‘ଜାଗା’ ଯୋଜନାରେ ୫ଟି ମହାନଗରର ବସ୍ତିବାସିନ୍ଦା ଉପକୃତ ହେବେ ନାହିଁ। ପୂର୍ବରୁ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ମ୍ୟୁନସିପାଲଟିରେ ରହୁଥିବା ବସ୍ତିବାସିନ୍ଦାମାନେ ଜମି ପଟ୍ଟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ହଜାର ହଜାର ସଂଖ୍ୟାରେ ଆବେଦନ କରିଥିଲେ। ମାତ୍ର ରାଜ୍ୟ ସରକାର ନୂତନ ଆଇନରେ କେବଳ ମ୍ୟୁନସିପାଲିଟି ଓ ବିଜ୍ଞାପତି ଅଞ୍ଚଳ ପରିଷଦରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କରିବା ଭଳି ଦୁର୍ଭାଗ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ତେଣୁ ଭୁବନେଶ୍ୱର ସମେତ ଅନ୍ୟ ମହାନଗରରେ ଥିବା ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦାବି ନେଇ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତ। ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ବସ୍ତି ଉନ୍ନୟନ ପରିଷଦର ରଂଜୁଲତା ମହାପାତ୍ର, ସଂଯୁକ୍ତା ପାଣିଗ୍ରାହୀ, ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ, ସୁଧୀର ମହାନ୍ତି, ପ୍ରଶାନ୍ତ କୁମାର ବେହେରା, ସୁକାନ୍ତ ମହାନ୍ତି, ପ୍ରଫୁଲ୍ଲ ପରିଡ଼ା, ଶ୍ରୀକାନ୍ତ ପାକଳ, ଶୈଳଜା ସାମଲ ଓ ସୀମାଞ୍ଚଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର