ଆସୁଛି ବାତ୍ୟା ‘ଅମ୍ଫାନ୍‌’, ଭୟରେ ବସ୍ତିବାସିନ୍ଦା‌

ଚନ୍ଦ୍ରଶେଖରପୁର : ୨୦୧୯ର ବାତ୍ୟା ‘ଫନି’ର ଭୟ ଆଜି ପର୍ଯ୍ୟନ୍ତ ମନରୁ ଲିଭିନି। ସେଦିନର କଥା ମନେ ପଡ଼ିଲେ ଦେହ ଶିହରି ଉଠେ। ସକାଳୁ ହୁ’ ହୁ’ ହୋଇ କୁଆଡ଼ୁ ମାଡ଼ି ଆସିଥିଲା ଏହି ବାତ୍ୟା। ଆମ ବସ୍ତିକୁ ଛିନ୍‌ଛତର କରିଦେଇଥିଲା। ଦିନେ କି ଦୁଇ ଦିନ ନୁହେଁ, ମାସାଧିକ କାଳ ଘର ବାହାରେ ରହିବାକୁ ପଡ଼ିଥିଲା। ଓଳିଏ ଖାଇଲେ ଆଉ ଓଳିଏ ଉପବାସ ରହିବାକୁ ପଡ଼ିଥିଲା। ଘର ସଜାଡ଼ିବାକୁ ବି ବହୁ ଦିନ ଲାଗି ଯାଇଥିଲା। ଏବେ ବାତ୍ୟା ଆସୁଥିବାର ଶୁଣି ଆଖିରେ ନିଦ ନାହିଁ। ଭଗବାନ କରନ୍ତୁ ଭୁବନେଶ୍ବରକୁ ଆଉ ସେଭଳି ବାତ୍ୟା ନ ଆସୁ। ବାତ୍ୟା ‘ଅମ୍ଫାନ୍‌’ ଆସୁଥିବାର ଶୁଣି ସାଲିଆସାହି ବାସିନ୍ଦା ମନୋହର ଦୋରା ଏଭଳି ଢଙ୍ଗରେ ନିଜର ମତବ୍ୟକ୍ତ କରିଛନ୍ତି। କେବଳ ମନୋହର ନୁହଁନ୍ତି, ତାଙ୍କ ଭଳି ଅନେକ ବସ୍ତିବାସିନ୍ଦା ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି।

ବାତ୍ୟାର ଗତି କେଉଁଆଡ଼େ ହେବ ତାହା ଏପର୍ଯ୍ୟନ୍ତ ବି ସ୍ପଷ୍ଟ ହୋଇ ନାହିଁ। କେତେବେ‌ଳେ ଓଡ଼ିଶା ଉପକୂଳରେ ମାଡ଼ ହେବ ବୋଲି କୁହାଯାଉଛି ତ ଆଉ କେତେବେଳେ ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ସ୍ଥଳଭାବ ଛୁଇଁବ ବୋଲି ଆକଳନ କରାଯାଉଛି। ଏହାକୁ ନେଇ ସହରର ବସ୍ତିବାସିନ୍ଦା ଏବେ ଭୟରେ ଦିନ କାଟୁଥିବା ଦେଖିବାକୁ ମିଳିଛି। କାରଣ ବର୍ଷକ ତଳେ ବାତ୍ୟା ‘ଫନି’ରେ ଯେଉଁ ‌କ୍ଷତି ହୋଇଥିଲା ତାହାର ଭରଣା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଏବେ କରୋନା ଯୋଗୁଁ ଦୁଇ ମାସ ହେଲା ସମସ୍ତଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଏଭଳି ସମୟରେ ବାତ୍ୟା ‘ଅମ୍ଫାନ’ ଯଦି ଓଡ଼ିଶା ଉପକୂଳକୁ ମାଡ଼ କରେ ତାହାର ପ୍ରଭାବ ଭୁବନେଶ୍ବର ଉପରେ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

୨୦୧୯ ମେ’ ୩ରେ ଓଡ଼ିଶା ଦେଖିଥିଲା ‘ଫନି’ର କରାଳ ରୂପ। ଶ୍ରୀକ୍ଷେତ୍ର ପୁରୀରେ ବାତ୍ୟା ମାଡ଼ କରିଥିଲେ ମଧ୍ୟ ଐତିହ୍ୟ ସହର ଭୁବନେଶ୍ବରର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଇତିମଧ୍ୟ‌ରେ ପ୍ରଳୟଙ୍କରୀ ବାତ୍ୟାକୁ ବର୍ଷେ ପୂରିଥିଲେ ହେଁ ସେଦିନର ସେହି ସକାଳର କରାଳ ଚିତ୍ର ଆଜି ବି କାହା ମନରୁ ଲିଭିନି। ସାରା ସହରକୁ ଛାରଖାର କରିଦେଇଥିଲା ବାତ୍ୟା ଫନି। ସହରର ସବୁ ବସ୍ତି କିଛି ନା କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା ଯେ ଏପର୍ଯ୍ୟନ୍ତ କ୍ଷତିପୂରଣ ମିଳିପାରି ନାହିଁ।

ଏବେ ବାତ୍ୟା ‘ଅମ୍ଫାନ’ ଆସୁଥିବା ଶୁଣି ବସ୍ତିବାସିନ୍ଦା ଭୟଭୀତ ହୋଇପଡ଼ିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ଦୋକାନ ଆଗରେ ଭିଡ଼ ଦେଖିବାକୁ ମିଳିଥିଲା। ମଙ୍ଗଳା ବସ୍ତି, ଈଶାନେଶ୍ବର ବସ୍ତି, ପଣ୍ଡା ପାର୍କ ବସ୍ତି, ଚିରଗାଲାଟୋଲା ବସ୍ତି, ଚୁନୁକୋଳି ବସ୍ତି, ନୀଳାଦ୍ରିବିହାରର ଜାରପା ବସ୍ତି, କନ୍ୟାଶ୍ରମ ବସ୍ତି, ବିର୍ଶା ମୁଣ୍ଡା ବସ୍ତି, ହାତିଆସୁଣି ବସ୍ତି, ପାତ୍ର ସାହି, ତାରିଣୀ ବସ୍ତି, ଧିରିକୁଟି ବସ୍ତି ବାସିନ୍ଦାମାନେ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ନିଜର ଘର ସଜାଡ଼ୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର