ଜୋରଦାର ପ୍ରତିବାଦ, ଭଙ୍ଗା ହେଲାନି ବସ୍ତି, ପ୍ରଶାସନ ସହିତ ମୁହାଁମୁହିଁ ହୋଇପାରନ୍ତି ବସ୍ତି ବାସିନ୍ଦା

ଭୁବନେଶ୍ବର : ଖାରବେଳନଗର ଥାନା ଅଧୀନ ବିଧାୟକ କଲୋନି ଭିତରେ ଥିବା ରାମପୁର (ବି) ବସ୍ତିକୁ ଭାଙ୍ଗିବାକୁ ଆସିଥିବା ବିଏମ୍‌ସି, ବିଡିଏ ଓ ଜିଏ କର୍ମଚାରୀକୁ ଆଜି ଜୋରଦାର ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ଶେଷରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ବାଧ୍ୟ ହୋଇ ପ୍ରଶାସନର ଉଚ୍ଛେଦ ଗାଡ଼ି ଫେରି ଯାଇଛି। କିନ୍ତୁ ଆସନ୍ତାକାଲି ବସ୍ତି ଉଚ୍ଛେଦ କରାଯିବ ବୋଲି ଅପରାହ୍‌ଣରେ ପ୍ରଶାସନ ପକ୍ଷରୁ ମାଇକ୍‌ ଯୋଗେ ପ୍ରଚାର କରାଯାଇଛି। ଏହାକୁ ନେଇ ବସ୍ତିରେ ଭୟ, ଆତଙ୍କ ଓ ଉତ୍ତେଜନା ପ୍ରକାଶ ପାଇଛି। ଆସନ୍ତାକାଲି ବସ୍ତିବାସିନ୍ଦା ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ପୁଲିସ ସହଯୋଗରେ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ସୂଚନା ମିଳିଛି। ବସ୍ତିବାସିନ୍ଦା ଆଜି ରାତିରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଭେଟି ବସ୍ତି ଉଚ୍ଛେଦ ନ କରିବାକୁ ଅନୁରୋଧ କରିଛନ୍ତି।

ବସ୍ତିବାସିନ୍ଦାଙ୍କ କହିବା ମୁତାବକ, ଦୀର୍ଘ ୫୦ ବର୍ଷ ତଳୁ ସେମାନେ ଏହି ବସ୍ତିରେ ପିଲା ଛୁଆ ଧରି ଅଛନ୍ତି। ବାପ, ଜେଜ ବାପା ଅମଳରୁ ଏହି ବସ୍ତି ଗଢ଼ି ଉଠିଛି। ବସ୍ତିରେ ରହୁଥିବା ୮୦ ଘରରୁ ଅଧିକାଂଶ ଦିନ ମଜୁରିଆ। ତେବେ ହଠାତ୍ ଗତକାଲି ପ୍ରଶାସନ ପକ୍ଷରୁ ବସ୍ତି ଉଚ୍ଛେଦ କରାଯିବ ବୋଲି ପ୍ରଚାର କରାଯିବା ପରେ ଆଜି ଉଚ୍ଛେଦ ଗାଡ଼ି ପହଞ୍ଚିଥିଲା। ବସ୍ତିବାସିନ୍ଦାଙ୍କ କହିବା ମୁତାବକ ସେମାନଙ୍କୁ ଅନ୍ୟତ୍ର ଥଇଥାନ ନ କରାଯାଇ ଏଭଳି ଉଚ୍ଛେଦ ବେଆଇନ ଅଟେ। ସେହିପରି ଗୋଟିଏ ଦିନ ସମୟ ଦେଇ ବସ୍ତି ଉଚ୍ଛେଦ କରିବାକୁ ପ୍ରଶାସନ ଗାଡ଼ି ଧରି ପହଞ୍ଚିବାକୁ ମଧ୍ୟ ବସ୍ତି ବାସିନ୍ଦା ବିରୋଧ କରିଥିଲେ। ବୁଲ୍‌ଡୋଜର୍‌ ଲଗାଇ ଦୁଇଟି ଘର ଭଙ୍ଗାଯିବା ପରେ ବସ୍ତିରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ତୁରନ୍ତ ବସ୍ତିବାସିନ୍ଦା ଏକାଠି ହୋଇ ପ୍ରବଳ ବିରୋଧ କରିଥିଲେ। ପରେ ବାସିନ୍ଦାମାନେ ସ୍ଥାନୀୟ ପୂର୍ବତନ କର୍ପୋରେଟର୍‌ ଓ ବିଧାୟକଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି।

ତେବେ ଆସନ୍ତାକାଲି ଯଦି ପ୍ରଶାସନ ପକ୍ଷରୁ ବସ୍ତି ଉଚ୍ଛେଦ କରାଯିବାକୁ କେହି ଆସନ୍ତି ପରିସ୍ଥିତି ସାଂଘାତିକ ହେବାର ଆଶଙ୍କା ରହିଛି ବୋଲି କେତେକ ଲୋକ କହିଛନ୍ତି।

ସମ୍ବନ୍ଧିତ ଖବର