ନିଶା ବେପାରୀଙ୍କ ବିରୋଧରେ ତାତିଲେ ବସ୍ତି ବାସିନ୍ଦା

ଭୁବନେଶ୍ବର : ରାଜଧାନୀର ବସ୍ତିମାନଙ୍କରେ ଚାଲିଛି ବେଧଡ଼କ ନିଶା ବେପାର। ଏହା ସହ ନିଶା ସେବନ ଦ୍ବାରା ବସ୍ତିର ଯୁବକମାନେ ବିଭିନ୍ନ ଅପରାଧରେ ଲିପ୍ତ ହେଉଥିବା ଅଭିଯୋଗ ହେଉଛି। ଏହାର ପ୍ରତିବାଦରେ ଶନିବାର ଶିଶୁଭବନ ନିକଟସ୍ଥ କେଦାରପଲ୍ଲୀ ବସ୍ତି ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। ନିଶା ବେପାର ଉପରେ ରୋକ୍‌ ଲଗାଇବା ପାଇଁ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ସୂଚନା ଅନୁସାରେ ଅପରାହ୍ନ ୩ଟା ସମୟରେ ଏକ ଘରୋଇ ସଂସ୍ଥାର କର୍ମଚାରୀ ଅଭିମନ୍ୟୁ ସ୍ବାଇଁ(୬୫) ବସ୍ତି ଅଞ୍ଚଳରୁ କମ୍ପାନି ଟଙ୍କା ଅସୁଲ କରି ଫେରୁଥିବା ସମୟରେ କିଛି ନିଶାଶକ୍ତ ଯୁବକ ତାଙ୍କଠାରୁ ପ୍ରାୟ ୩୫୦୦ ଟଙ୍କା ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଥିଲେ। ଏହାକୁ କେନ୍ଦ୍ର କରି ସ୍ଥାନୀୟ ବାସିନ୍ଦା ବସ୍ତି ଅଞ୍ଚଳରେ ନିଶା କରବାର ରୋକିବାକୁ ଦାବିରେ ରାସ୍ତାକୁ ଓହ୍ଲାଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସଂପୃକ୍ତ ଅଭିଯୁକ୍ତର ପରିବାର ଅଭିମନ୍ୟୁଙ୍କୁ କିଛି ଟଙ୍କା ଫେରାଇବା ପରେ ବସ୍ତିବାସିନ୍ଦା ଆନ୍ଦୋଳନରୁ ଓହରିଥିଲେ। ପରେ ବସ୍ତିବାସିନ୍ଦା ଅଭିଯୁକ୍ତଙ୍କୁ ଧରି ଶ୍ରୀଲିଙ୍ଗରାଜ ଥାନାକୁ ଆଣିଥିଲେ। କିନ୍ତୁ ପୁଲିସ ଏହା ତାଙ୍କ ଥାନା ଅଅଧୀନର ଘଟଣା ନୁହେଁ ବୋଲି କହି ଅଭିଯୁକ୍ତଙ୍କ ସହ ବସ୍ତିବାସିନ୍ଦାଙ୍କୁ ଫେରାଇ ଦେଇଥିଲା। ପରେ ବସ୍ତିବାସିନ୍ଦା କ୍ୟାପିଟାଲ ଥାନାକୁ ନେବା ବାଟରେ ସୁଯୋଗ ଦେଖି ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବସ୍ତି ବାସିନ୍ଦା ସହଦେବ ନାୟକ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଯୁବକ ସାଗର ନାୟକ କହିଛନ୍ତି ଯେ ଗତ କିଛି ଦିନ ହେବ ରାଜଧାନୀର ବସ୍ତି ଅଞ୍ଚଳରେ ନିଶା କାରବାର ବୃଦ୍ଧି ଘଟିବା ଫଳରେ ଅପରାଧ ବଢ଼ୁଛି। ତାଙ୍କ ବସ୍ତିରେ ମଧ୍ୟ ନିଶା କାରବାର ବେଧଡ଼କ ଭାବେ ବୃଦ୍ଧି ପାଇଛି। ଏହାର ବିରୋଧ କଲେ ନିଶାବେପାରୀମାନେ ଆକ୍ରମଣ କରୁଛନ୍ତି। ଅଭିଯୁକ୍ତମାନେ ଗୁଣ୍ଡା ଶ୍ରେଣୀୟ ହୋଇଥିବାରୁ କେହି ଅଭିଯୋଗ କରିବାକୁ ସାହସ କରୁନାହାନ୍ତି। ପୂର୍ବରୁ ବସ୍ତି ବାସିନ୍ଦା ଏକତ୍ରିତ ହୋଇ ପୁଲିସ କମିସନରଙ୍କଠାରୁ ଆରମ୍ଭ କରି ଗୃହ ସଚିବ ଓ ୫-ଟି ସଚିବଙ୍କୁ ଚିଠି ଲେଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହା ଉପରେ ରୋକ୍‌ ଲଗାଇବା ପାଇଁ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର