ବିଏମ୍‌ସି ଜୋନ୍‌ କାର୍ଯ୍ୟାଳୟ ଘେରିଲେ ବସ୍ତି ବାସିନ୍ଦା

ଚନ୍ଦ୍ରଶେଖରପୁର : ନୂତନ ରାସନ୍ କାର୍ଡ ପ୍ରଦାନ, ଉଠା ଦୋକାନୀଙ୍କୁ ସହାୟତା ଓ ସରକାରୀ କାମରେ ବସ୍ତିବାସିନ୍ଦାଙ୍କୁ କର୍ମ ନିଯୁକ୍ତି ଦେବା ଦାବି କରି ଆଜି ବସ୍ତିବାସିନ୍ଦାମାନେ ଉତ୍ତର ଭୁବନେଶ୍ବର ବିଏମ୍‌ସି ଜୋନ୍‌ କାର୍ଯ୍ୟାଳୟ ଘେରାଉ କରିଥିଲେ। ନାଲ୍‌କୋ ଛକ ସାମନ୍ତବିହାରସ୍ଥିତ ଏହି କାର୍ଯ୍ୟାଳୟକୁ ଆଜି ୧୩ ଓ ୧୪ ୱାର୍ଡର ବସ୍ତିବାସିନ୍ଦାମାନେ ଘେରାଉ କରିଥିଲେ। ଦାବିଗୁଡ଼ିକ ପ୍ରତି ଧ୍ୟାନ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣାରୁ ହଟିଥିଲେ।

ରାଜେନ୍ଦ୍ର ନାୟକଙ୍କ ନେତୃତ୍ବରେ ପାଖାପାଖି ୨୦୦ରୁ ଅଧିକ ବସ୍ତିବାସିନ୍ଦା ଧାରଣା ଦେଇଥିଲେ। ରାଜେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ଏହି ଅଞ୍ଚଳରେ ରାସନ୍‌ କାର୍ଡ ପ୍ରଦାନରେ ବହୁ ଅନିୟମିତା ହୋଇଛି। ଅସାଧୁ ଉପାୟରେ ଅନେକ ଧନୀ ଲୋକ ରାସନ୍‌ କାର୍ଡ ହାତେଇଛନ୍ତି। ଅଥଚ ପ୍ରକୃତ ଗରିବ ଖଟିଖିଆ ଯୋଗ୍ୟ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ହୋ‌ଇଛନ୍ତି। ସେହିଭଳି ବସ୍ତିକୁ ୟୁଡବ୍ଲୁଆଇ୍ ପ୍ରୋଜେକ୍ଟ ଦ୍ବାରା ଅନୁମୋଦିତ ହୋଇଥିବା କାର୍ଯ୍ୟରେ ବାହାର ଶ୍ରମିକଙ୍କୁ ନିଯୁକ୍ତି ମିଳିଛି। ସ୍ଥାନୀୟ ବସ୍ତିବାସନ୍ଦାଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ଏହା ପ୍ରକୃଷ୍ଟ ମାଧ୍ୟମ ହୋଇଥିଲେ ହେଁ ସେମାନଙ୍କୁ ବଞ୍ଚିତ କରାଯାଇଛି। ଏହି ଦୁଇ ୱାର୍ଡ ଅଧୀନରେ ଥିବା ଉଠା ଦୋକାନୀମାନଙ୍କୁ କରୋନା ସହାୟତା ପ୍ରଦାନରେ ପାତରଅନ୍ତର କରାଯାଇଛି। ଉଠା ଦୋକାନୀମାନଙ୍କୁ ଠିକ୍‌ ଭାବେ ଚିହ୍ନଟ କରାଯାଇନଥିବାରୁ ବହୁ ଗରିବ ବେପାରୀ ଏହି ସରକାରୀ ସହାୟତାରୁ ବାଦ୍ ପଡ଼ିଛନ୍ତି। ଏସବୁ ଅଭିଯୋଗ ସମ୍ବଳିତ ଦାବି ପତ୍ରକୁ ବସ୍ତିବାସିନ୍ଦାମାନେ ଜୋନାଲ ଡେପୁଟି କମିସନର୍‌ ପ୍ରମୋଦ ପୃଷ୍ଟିଙ୍କୁ ପ୍ରଦାନ କରିଥିଲେ। ଉପଯୁକ୍ତ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତଶ୍ରୁତି ଦେବା ପରେ ବସ୍ତିବାସିନ୍ଦାମାନେ ଧାରଣାରୁ ହଟିଥିଲେ।

ସମ୍ବନ୍ଧିତ ଖବର