ଭୁବନେଶ୍ବର : ସମୟ ରାତି ୧୨ଟା ୪୫। ସ୍ଥାନ ସିଆର୍ପି ଛକ ନିକଟସ୍ଥ ମୁଣ୍ଡାସାହି ବସ୍ତି ସମ୍ମୁଖ ଫୁଟ୍ପାଥ୍। ଜଣେ ବ୍ୟକ୍ତି ଫୁଟ୍ପାଥ୍ କଡ଼ ମୁଖ୍ୟରାସ୍ତା ଉପରେ ଲମ୍ବ ହୋଇ ଶୋଇଥାଆନ୍ତି। କିଏ ଭୁଲ୍ ରୁଟ୍ରେ ୮୦ କିଲୋମିଟର ବେଗରେ ମାଡ଼ି ଆସୁଥାଏ ତ ଆଉ କାହାର କାର୍ର ବେଗ ୧୦୦ ଟପିଯାଇଥାଏ। ଅର୍ଥାତ କୌଣସି ଗାଡ଼ି ଚାଳକ ଟିକେ ନିୟନ୍ତ୍ରଣ ହରାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଚଢ଼ିଯିବାର ଢେର୍ ଆଶଙ୍କା ଥିଲା। ଏହି ଘଟଣା ଆମକୁ ଯେତିକି ଆନ୍ଦୋଳିତ କରିଥିଲା, ତା’ଠୁ ଆହୁରି ଶୋଚନୀୟ ମନେ ହୋଇଥିଲା ଫୁଟ୍ପାଥ୍ ଉପରେ ଶୋଇ ରହିଥିବା ୩୦ରୁ ଅଧିକ ବ୍ୟକ୍ତିବିଶେଷଙ୍କ ମୁଣ୍ଡ ଉପରେ ଝୁଲୁଥିବା ଦୁର୍ଘଟଣାର ଖଣ୍ଡା ଦେଖି। ଗାଡ଼ିଗୁଡ଼ିକର ବେଗ ଏମିତି ଥିଲା ଯେ, ଯେକୌଣସି ମୁହୂର୍ତରେ ଦୁର୍ଘଟଣାର ଆଶଙ୍କା ରହୁଥିଲା।
ସମସ୍ତେ ନିଘୋଡ଼ ନିଦରେ ଶୋଇ ରହିଥିଲେ। ଶୋଇଥିବା ଅବସ୍ଥାରେ କାହାର ମୁଣ୍ଡ ତ କାହାର ଗୋଡ଼ ରାସ୍ତାକଡ଼କୁ ଝୁଲି ରହିଥିଲା। ବସ୍ତି ସମ୍ମୁଖ ରାସ୍ତାରେ ଅନ୍ଧାର ରାଜ କରୁଥିଲା। କେହିକେହି ମଶାରି ଟାଙ୍ଗି ଶୋଇଥିଲେ ତ ଆଉ କେହି ଫୁଟ୍ପାଥ ଉପରେ ଖଟିଆ ପକେଇ ତା ଉପରେ ମଶାରି ଟାଙ୍ଗି ଶୋଇଥିଲେ। ଫୁଟ୍ପାଥ୍ର ଅପରପାର୍ଶ୍ବରେ ଓଭରବ୍ରିଜ୍କୁ ଲାଗି ରହିଥିବା ପିଣ୍ଡିଭଳି ୩ ଫୁଟିଆ ପାଥ୍ ଉପରେ ମଧ୍ୟ ଅନେକ ଲମ୍ବ ହୋଇ ନିଶ୍ଚିନ୍ତରେ ଶୋଇ ଯାଇଥିଲେ। ଅସହ୍ୟ ଗୁଳୁଗୁଳି ଯୋଗୁ ଘରେ ଶୋଇ ହେଉ ନଥିବାରୁ ଅନେକ ଫୁଟ୍ପାଥ୍କୁ ରାତିରେ ଶୋଇବା ପାଇଁ ବାଛି ନେଇଥିଲେ। ଏଭଳି ବିପଜ୍ଜନକ ସ୍ଥିତିରେ ଶୋଇ ରହିଥିଲେ ହେଁ ଆସନ୍ନ ବିପଦକୁ ନେଇ କେହି ବି ସେମାନଙ୍କୁ ସଚେତନ କରାଉ ନଥିଲେ।
/sambad/media/post_attachments/wp-content/uploads/2019/06/sl-300x169.jpg)
ଭୁବନେଶ୍ବର ଭଳି ମେଟ୍ରୋ ସିଟିର ଶୂନଶାନ ରାତିରେ ଗାଡ଼ିର ବେଗ ୧୦୦ ଟପିଯିବା ଏକ ମାମୁଲି କଥା। ଖାସ୍ ଏଇଥି ପାଇଁ ବିଳମ୍ବିତ ରାତିରେ ଫୁଟପାଥ୍ କିମ୍ବା ଡିଭାଇଡର୍ ଉପରକୁ ଗାଡ଼ି ଚଢ଼ିଯିବା ସହ ଅନେକ ମୃତ୍ୟୁ ବରଣ କରିଛନ୍ତି। ମେଟ୍ରୋ ସିଟିରେ ଏହା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ମୁଖ୍ୟତଃ ଜୁନ୍ ମାସର ତାପମାତ୍ରା ଏତେ ଅସହ୍ୟ ହେଉଛି ଯେ ଅନେକ ବସ୍ତିବାସିନ୍ଦା ଘର ଅପେକ୍ଷା ଫୁଟ୍ପାଥରେ ଶୋଇବାକୁ ବାଛି ନେଇଛନ୍ତି। କିଛି ନିରାଶ୍ରିତ ଲୋକେ ମଧ୍ୟ ଫୁଟପାଥ୍କୁ ଆପଣେଇ ନେଇଛନ୍ତି। ଫଳରେ ଏହି ଜୁନ୍ ମାସରେ ଦେଶର ୩ଟି ସ୍ଥାନରେ ଅତ୍ୟନ୍ତ ଭୟଙ୍କର ଦୁର୍ଘଟଣା ଘଟିଛି। ଗତ ଜୁନ୍ ୧୨ ତାରିଖରେ ହାଇଦ୍ରାବାଦର ସାଙ୍ଗାରେଡ୍ଡି ଜିଲ୍ଲାରେ ଫୁଟ୍ପାଥରେ ନିଜ ମା’ ଓ ଜେଜେ ମା’ଙ୍କ ସହ ଶୋଇଥିବା ୫ମାସର ପିଲା ଉପରେ ଭୋର ପ୍ରାୟ ସାଢ଼େ ୪ଟାରେ କାର୍ ଚଢ଼ିଯିବାରୁ ପିଲାଟିର ମୃତ୍ୟୁ ହୋଇଥିଲା। ଜୁନ୍ ୯ ତାରିଖରେ ନୂଆଦିଲ୍ଲୀର ସୁବୁର୍ବଠାରେ ଟିମୁକ୍ଟୁ ହୋଟେଲ୍ ନିକଟରେ ୨ ମହିଳା ଫୁଟ୍ପାଥ୍ ଉପରେ ଶୋଇଥିବା ବେଳେ ରାତି ସାଢ଼େ ୯ଟାରେ ଏକ ତେଲ ଟ୍ୟାଙ୍କର ଚଢ଼ିଯିବାରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସେହିଭଳି ଜୁନ୍ ୮ ତାରିଖ ବିଳମ୍ବିତ ରାତିରେ ନାଭି ମୁମ୍ବାଇର ପାମ୍ ବିଚ୍ ରୋଡ୍ରେ ଫୁଟ୍ପାଥ୍ରେ ଶୋଇଥିବା ବେଳେ ମା’ ପୁଅଙ୍କ ଉପରେ କାର୍ ଚଢ଼ିଯିବାରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମାତ୍ର ବାରମ୍ବାର ଏପରି ଦୁର୍ଘଟଣା ଘଟିବା ସତ୍ତ୍ବେ ଭୁବନେଶ୍ବର ଭଳି ସହରରେ ଫୁଟପାଥ ହିଁ ଅନେକଙ୍କର ମୁକ୍ତାକାଶ ଶୟନସ୍ଥଳୀ ପାଲଟିଛି।
/sambad/media/post_attachments/wp-content/uploads/2019/06/s2-1-1.jpg)
ଗୁଳୁଗୁଳି ଓ ଅସହ୍ୟ ତାତି ଯୋଗୁ ଏବେ ମୁଣ୍ଡା ସାହିର ପ୍ରାୟ ୩୦ରୁ ଅଧିକ ବ୍ୟକ୍ତି ରାସ୍ତାକଡ଼ ଫୁଟ୍ପାଥରେ ଶୋଉଛନ୍ତି। ଫଳରେ ଏହି ବାଟ ଦେଇ ଯାଉଥିବା ଗାଡ଼ି ଚାଳକ ଟିକେ ନିୟନ୍ତ୍ରଣ ହରାଇଲେ କିମ୍ବା ଅସାବଧାନ ହେଲେ ‘ହିଟ୍ ଆଣ୍ଡ୍ ରନ୍’ ଭଳି ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୧୮ ମସିହାର ରେକର୍ଡ କହୁଛି ଓଡ଼ିଶାରେ ୨ ହଜାର ୧୮୩ଟି ହିଟ୍ ଆଣ୍ଡ୍ ରନ୍ ଦୁର୍ଘଟଣା ସଂଘଟିତ ହୋଇଥିବା ବେଳେ ସେଥିମଧ୍ୟରୁ ୧୦୮୪ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୧୭୪ ଜଣ ଗୁରୁତର ଆହତ ହୋଇଥିଲେ। ଏଥିରୁ ବି କିଛି ଶିକ୍ଷା ମିଳିଲା ନାହିଁ।
ଓଭରବ୍ରିଜ୍ ହେବା ପରେ ଛୋଟମୋଟ ଗାଡ଼ି ସାମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼େଇବା ପାଇଁ ତଳ ରାସ୍ତାରେ ଯିବାକୁ ପସନ୍ଦ କରୁଛନ୍ତି। ତେଣୁ ଗାଡ଼ିର ସଂଖ୍ୟା କମିଛି ବୋଲି କହିହେବ ନାହିଁ। ଏଥିସହ ସିଆର୍ପି ଛକରେ ଏକ ଫାଷ୍ଟଫୁଡ୍ ଦୋକାନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବାରୁ ସେଠାରେ ଶହଶହ ଗାଡ଼ି ଲାଗୁଛି। ଅନେକ ସମୟରେ କିଛି ଗାଡ଼ି ମୁଣ୍ଡାସାହି ସମ୍ମୁଖ ମୁଖ୍ୟ ରାସ୍ତା ଦେଇ ଯାଆସ କରୁଛି। ଦୁଇ ଚକିଆଠୁ ନେଇ ୪ ଚକିଆ ପର୍ଯ୍ୟନ୍ତ ବହୁ ଗାଡ଼ି ଦ୍ରୁତ ବେଗରେ ଯାତାୟାତ କରୁଛି। ଏହା ଯେ କିଛି ନିରୀହ ବସ୍ତିବାସିନ୍ଦାଙ୍କ ଜୀବନକୁ ନିମିଷେକେ ବିପଦକୁ ଟାଣି ନେଇନଯିବ କହିହେବନାହିଁ। ଏନେଇ ମାନବାଧିକାର ଆଇନଜୀବୀ ବିଶ୍ବପ୍ରିୟ କାନୁନ୍ଗୋ କହିଛନ୍ତି, କିଛି ବସ୍ତି ବାସିନ୍ଦା ହୁଏତ ଅସହ୍ୟ ଗରମ ଯୋଗୁ ଫୁଟପାଥରେ ଶୋଉଛନ୍ତି। ମାତ୍ର ବାସ୍ତବ କଥା ହେଉଛି ଏବେ ବି ପାଖାପାଖି ୩ ହଜାର ନିରାଶ୍ରିତ ବିପଜ୍ଜନକ ଅବସ୍ଥାରେ ବାହାରେ ଶୋଉଛନ୍ତି ଏବଂ ଜୀବନ ବିତାଉଛନ୍ତି। ସୁପ୍ରିମକୋର୍ଟର ନିର୍ଦେଶ ମୁତାବକ ଏହି ନିରାଶ୍ରିତମାନଙ୍କୁ ନିରାପଦ ଜୀବନ ଜୀଇବା ପାଇଁ ଆବଶ୍ୟକ ଆଶ୍ରୟସ୍ଥଳୀ ଯୋଗାଇ ଦେବା ସରକାରଙ୍କ ଦାୟିତ୍ବ। ମାତ୍ର ତାହା ଯେତିକି ପରିମାଣରେ ହେବା କଥା ତାହା ହୋଇନାହିଁ। ଫଳରେ ଅନେକ ନିରାଶ୍ରିତ ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ହେଉଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Slums-People-Sleeps-on-Footpath_Thumbnail.jpg)