ଖଣ୍ଡଗିରି: କଳିଙ୍ଗ ଷ୍ଟୁଡିଓ ଛକ ନିକଟରୁ ନାକା ଗେଟ୍‌ ପର୍ଯ୍ୟନ୍ତ ରାସ୍ତାର ବାମ ପାର୍ଶ୍ବରେ ରହିଥିବା ଚାଳସାହିବସ୍ତିରେ ଏବେ ଝାଡ଼ାବାନ୍ତି ସହିତ ଜଳବାହିତ ରୋଗ ହେବାର ଆଶଙ୍କା ରହିଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତା କଡ଼ରେ ଡ୍ରେନ୍‌ କାମ ଠିକ୍ ଭାବରେ ହୋଇ ନଥିବାରୁ ରାସ୍ତା ଉପରେ ବର୍ଜ୍ୟପାଣି ଭାସୁଛି। ଫଳରେ ପୂରା ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁଠି ଜଳଯୋଗାଣ ପାଇପ୍‌ ରହିଛି ତାହା ନିକଟରେ ବର୍ଜ୍ୟପାଣି ଜମା ହୋଇ ରହୁଛି। ବସ୍ତିରେ ସର୍ବାଧିକ ଗୁପ୍‌ଚୁପ୍‌, ଚାଟ୍‌ ଓ ମୋମୋ ବ୍ୟବସାୟୀ ରହୁଛନ୍ତି। ସେମାନେ ପ୍ରତ୍ୟହ କଳିଙ୍ଗ ଷ୍ଟୁଡିଓ ଛକ, ଘାଟିକିଆ, କଳିଙ୍ଗବିହାର, ଆଇଗିଣିଆ, ସମ୍‌ ହସ୍ପିଟାଲ୍‌ ଆଦି ଅଞ୍ଚଳରେ ବ୍ୟବସାୟ କରନ୍ତି। ଏଭଳି ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବାରୁ ଥରେ ବସ୍ତିରେ ଝାଡ଼ାବାନ୍ତି ବ୍ୟାପିଲେ ପୂରା ଅଞ୍ଚଳକୁ ବ୍ୟାପିବା ଆଶଙ୍କାକୁ ବଢ଼ାଇ ଦେଇଛି। ଏନେଇ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, ଏହି ଦୁଇ ‌କିଲୋମିଟର ବିଶି‌ଷ୍ଟ ରାସ୍ତା କଡ଼ରେ ଥିବା ବସ୍ତିରେ ୮ଶହରୁ ଅଧିକ ପରିବାର ବସବାସ କରୁଛନ୍ତି। ରାସ୍ତାକଡ଼କୁ ଲାଗି ବସ୍ତିଟି ଗଢ଼ିଉଠିବା ଫଳରେ ଏଠାରେ ଡ୍ରେନେଜ୍‌ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ୮ମାସ ହେଲା ଡ୍ରେନ୍‌ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଫଳରେ ବର୍ଷାଦିନେ ଡ୍ରେନ୍‌ପାଣି ଘର ଭିତରକୁ ପଶୁଛି। ଏଭଳି ପରିସ୍ଥିତିରେ ଏଠାରୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇ ସମଗ୍ର ରାଜଧାନୀ ବାସିନ୍ଦା ଗ୍ରହଣ କରିବା ଦ୍ବାରା ଝାଡ଼ାବାନ୍ତି ବ୍ୟାପିବା ଆଶଙ୍କା ଦେଖ‌‌ାଦେଇଛି। କେବଳ ଚାଳସ‌ାହିବସ୍ତି ନୁହେଁ, ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ବସ୍ତିରେ ଏତାଦୃଶ ସମସ୍ୟା ଦେଖାଦେଇଛି।
ଏ ସମ୍ପର୍କରେ ସ୍ଥାନୀୟ କର୍ପୋରେଟର୍‌ କହିଛନ୍ତି ଯେ ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ଆସୁଥିବାରୁ ବିଏମ୍‌ସି କିଛି କରିପାରୁନାହିଁ। ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ ସତ୍ତ୍ବେ ଡ୍ରେନ୍‌ ନିର୍ମାଣରେ ଅଗ୍ରଗତି ନାହିଁ। ସେହିପରି ଆବାସିକ କଲୋନିରେ ସର୍ବାଧିକ ବରିଷ୍ଠ ନାଗରିକ ରହୁଥିବାରୁ ଏହା ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ। ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଆଦିର ନିୟମିତ ଯାଞ୍ଚ କରିବାକୁ କେ-୪ ଆବାସିକ କଲ୍ୟାଣ ସଂଘ ସଭାପତି ମହେଶ୍ୱର ସାହୁ ଦାବି କରିଛନ୍ତି। ଏବେଠାରୁ ସ୍ଥିତି ନିୟନ୍ତ୍ରଣ ନହେଲେ ଆଗକୁ ସ୍ଥିତି ବିଗିଡ଼ିବ ‌ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।