ଝୁମ୍ପୁଡ଼ି ଘର: ମାସକୁ ବିଦ୍ୟୁତ ବିଲ୍ ୨୯,୫୨୨ ଟଙ୍କା

ଚନ୍ଦ୍ରଶେଖରପୁର: ବିଦ୍ୟୁତ୍ ବିତରଣ ଦାୟିତ୍ବ ରାଜ୍ୟ ସରକାର ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିବା ପରେ ବିଜୁଳି କାଟ୍ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସେହିଭଳି ବିଦ୍ୟୁତ ମିଟରରେ ମଧ୍ୟ ଗୋଳମାଳିଆ‌ ଉପଭୋକ୍ତାଙ୍କ ହୋସ୍‌ ଉଡ଼ାଇ ଦେଉଛି। ଏଭଳି ଏକ ଘଟଣା ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ଈଶାନେଶ୍ବର ବସ୍ତିରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ଝୁମ୍ପୁଡ଼ି ଘରେ ଗତ ମାସରେ ବିଦ୍ୟୁତ୍ ବିଲ୍ ଆସିଛି ୨୯ହଜାର ୫ଶହ ୨୨ଟଙ୍କା। ଯାହାକୁ ନେଇ ଚିନ୍ତାରେ ଗ୍ରାହକ ଜଗନ୍ନାଥ ଦାସ। ଗତ ମାସ ଗୁଡ଼ିକରେ ମାସକୁ ଦେଢ଼ ଶହରୁ ଦୁଇ ଶହ ଟଙ୍କା ପଇଠ କରୁଥିବା ଶ୍ରୀ ଦାସଙ୍କ ଛାତିରେ ଏହାକୁ ନେଇ ଛନକା ପଶିଯାଇଛି। ଏନେଇ ସେ ବିଦ୍ୟୁତ୍ ବିତରଣ କମ୍ପାନି କାର୍ଯ୍ୟାଳୟକୁ ଯାଇ ସମ୍ପୃକ୍ତ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ମାତ୍ର କୌଣସି ସନ୍ତୋଷଜନକ ଉତ୍ତର ମିଳିନାହିଁ। ମିଟରରେ ବୋଧହୁଏ କିଛି ତ୍ରୁଟି ଥାଇ ପାରେ କିମ୍ବା ଅନ୍ୟ କିଛି ସମସ୍ୟା ରହିଥାଇ ପାରେ ‌ବୋଲି ଦର୍ଶାଇ ମୁଖ୍ୟ କାର୍ଯ୍ୟାଳୟ ଅଧିକାରୀଙ୍କୁ ଭେଟି ଆଲୋଚନା କରିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଛି। ଏମିତି ଭୁଲ୍‌ କରୋନା କାଳରେ ହୃଦ୍‌ଘାତ କରିଦେବ ବୋଲି କହିଛନ୍ତି ଗ୍ରାହକଙ୍କ ପରିବାର ଲୋକ।

ଅନ୍ୟପକ୍ଷରେ ଜଗନ୍ନାଥ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହେବାପାଇଁ ସ୍ଥିର କରିଛନ୍ତି। ବିଦ୍ୟୁତ ଚୋରି କିମ୍ବା ଠିକ୍ ସମୟରେ ଅର୍ଥ ପଇଠ ନକଲେ ଜରିମାନାର ବ୍ୟବସ୍ଥା ରହିଛି। ହେଲେ କମ୍ପାନିର ଏପରି ବେପରୁଆ କାର୍ଯ୍ୟ ପାଇଁ କି ଦଣ୍ଡ ବ୍ୟବସ୍ଥା କରାଯାଇଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର