ଉଠା ଦୋକାନୀ ଓ ବସ୍ତି ବାସିନ୍ଦାଙ୍କ ବିଏମ୍‌ସି ଘେରାଉ

ଭୁବନେଶ୍ୱର: ସ୍ମାର୍ଟସେିଟି ନାଁରେ ଉଠାଦୋକାନ ଭଙ୍ଗା ଓ ବସ୍ତି ଉଚ୍ଛେଦ ବନ୍ଦ କରି ରାଜଧାନୀର ଉଠା ଦୋକାନୀ ଓ ବସ୍ତି ବାସିନ୍ଦାମାନଙ୍କର ସର୍ଭେ ଓ ଥଇଥାନ ଦାବିରେ ଏଆଇଟିୟୁସି ସହ ଅନୁବନ୍ଧିତ ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାହୟୀ ସଂଘ ଓ ବସ୍ତି ଉନ୍ନୟନ ମହାସଂଘ ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯିବା ସଙ୍ଗେ ସଙ୍ଗେ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ଶତାଧିକ ଉଠାଦୋକାନୀ ଓ ବସ୍ତିବିସିନ୍ଦା ସିପିଆଇ ରାଜ୍ୟଦପ୍ତର ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଓ କଳ୍ପନା ଛକ ଅତିକ୍ରମ କରି ବିଏମ୍‌ସି ଅଫିସ୍‌ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ବିକ୍ଷୋଭକାରୀମାନଙ୍କୁ ଉଭୟ ସଂଘଠନର ସଭାପତି ସୁର ଜେନା ଓ ଜୟନ୍ତ ଦାସ ଉଦ୍‌ବୋଧନ ଦେଇ ସର୍ଭେ ନ ସରିବା ପର୍ଯ୍ୟନ୍ତ ଉଠାଦୋକାନ ଉଚ୍ଛେଦ ଓ ବସ୍ତିଭଙ୍ଗା ବନ୍ଦ କରିବା ସର୍ଭେ ପରେ ସେମାନଙ୍କ ନାମ ଅନ୍‌ଲାଇନ୍‌ରେ ଛାଡ଼ିବା ଏବଂ ସେମାନଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ କରିବା ପାଇଁ ଦାବି କରିଥିଲେ। ବିକ୍ଷୋଭ ପରେ ଏକ ୧୨ ଜଣିଆ ପ୍ରତିନିଧି ଦଳ ବିଏମ୍‌ସି କମିସନର ଓ ସ୍ମାର୍ଟ ସିଟିର ଡେପୁଟି କମିସନର୍‌ଙ୍କୁ ଭେଟି ଦାବିପତ୍ର ଦେବା ସହିତ ଆଲୋଚନା କରିଥିଲେ। ଏଥିରେ ଓ୍ଵାର୍ଡ ନଂ ୪୧, ୩୦ ଓ ୫୩ ଅଞ୍ଚଳରେ ଥିବା ଉଠାଦୋକାନୀ ଓ ବସ୍ତିବିସିନ୍ଦାଙ୍କ ସର୍ଭେ ଓ ଥଇଥାନକୁ ଅଗ୍ରାଧିକାର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଦାମୋଦର ମହାପାତ୍ର, କୈଳାସ ପୁହାଣ, ବାସନ୍ତୀ ପ୍ରଧାନ, ରୀତା ସେଠୀ, ମମତା ବରାଳ, ବାମଦେବ ଜେନା, ଜଗନ୍ନାଥ ପ୍ରଧାନ, ଛେତମ୍ବର ଭୋଇ ଭରତ ବେହେରା, ଲୋକନାଥ ଭୋଇ ଓ ପ୍ରଦୀପ ଦାସ ପ୍ରମୁଖ ବିକ୍ଷୋଭ ଓ ଘେରାଉର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର