ଆଶାକର୍ମୀଙ୍କ କଥା ମାନୁନାହାନ୍ତି ବସ୍ତି ବାସିନ୍ଦା

ଚନ୍ଦ୍ରଶେଖରପୁର : ବସ୍ତିରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ନେଇ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଅମାନିଆ ଲୋକ ସରାକାରୀ ନିମୟକୁ ମାନିବା ପାଇଁ ନାରାଜ। ଯାହାକୁ ନେଇ ଦିନକୁ ଦିନ ବସ୍ତିରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ସଚେତନତା ଓ ଅନ୍ୟପଟେ ଲୋକମାନଙ୍କୁ ଘର ଘର ବୁଲି ବୁଝାଇବା ପାଇଁ ଯାଉଥିବା ବେଳେ ସ୍ଥାନୀୟ ଆଶାକର୍ମୀମାନଙ୍କୁ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି। ଏପରି ସମୟରେ ବସ୍ତି ବାସିନ୍ଦା ଆଶା ଦିଦିମାନଙ୍କୁ ସହଯୋଗ କରିବା ଦୂରର କଥା, ପାଲଟା ଦୁର୍ବ୍ୟବହାର କରୁଛନ୍ତି। ଏପରି ଅଭିଯୋଗ ଆସିଛି ମଞ୍ଚେଶ୍ବର ଅଞ୍ଚଳରୁ।

ଉକ୍ତ ଅଞ୍ଚଳରେ ଥିବା ଧିରିକୁଟି, ଲାଇନ୍‌ ସାହି, ପାତ୍ର ସାହି, ଆଦିମାତା ବସ୍ତି ଓ ସୈନିକ ସ୍କୁଲ୍ ପଡ଼ିଆ ବସ୍ତିରେ ଆଶା ଦିଦିମାନେ ଘରଘର ବୁଲି ଲୋକମାନଙ୍କ ନିତିଦିନିଆ କାରବାର ଉପରେ ନଜର ରଖୁଛନ୍ତି। ଏହି ସବୁ ବସ୍ତିରେ ବ୍ରହ୍ମପୁର ଓ ଗଞ୍ଜାମର ଜିଲ୍ଲାର ଲୋକ ରହୁଥିବା ବ‌େଳେ ଆଶା ଦିଦି ସେମାନଙ୍କ ଘରକୁ କେହି ଯିବା କିମ୍ବା ସେମାନେ କୁଆଡ଼େ ବୁଲିବାକୁ ଗଲେ ବାରଣ କରୁଛନ୍ତି। ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଉଥିଲେ ମଧ୍ୟ କିଛି ଦିନ ପୂର୍ବେ କିଛି ପରିବାର ସଦସ୍ୟ ଗଞ୍ଜାମ ଯାଇ ‌ଦୁଇ ଦିନ ରହି ଫେରିଥିଲେ। ସେମାନଙ୍କୁ କ୍ବାରାଣ୍ଟିନ୍‌ରେ ରହିବା ପାଇଁ କୁହାଯିବାରୁ ପ୍ରଥମେ ପରିବାର ‌ଲୋକ ଆଶା ଦିଦିମାନଙ୍କ ସହ ବଚସା କରି ପରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହଯୋଗରେ ସରକାରୀ ସଂଗରୋଧ କେନ୍ଦ୍ରକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଆଜି ଏକାଧିକ ଲୋକ କରୋନା ଚିହ୍ନଟ ହୋଇଛନ୍ତି। ସେହିଭଳି ସେହି ବସ୍ତିର କିଛି ଲୋକ ଯାଜପୁର ଜିଲ୍ଲା ଯାଇ ସେଠାରେ କିଛି ଦିନ ରହି ଫେରିଥିବା ବେଳେ ସେମାନଙ୍କୁ ଆଶା ଦିଦିମାନେ ସଂଗରୋଧ କେନ୍ଦ୍ରରେ ରହିବା ପାଇଁ ନିର୍ଦେଶ ଦେଇଥିଲେ। ସେମାନେ ବସ୍ତି ଛାଡ଼ି କେଉଁଆଡ଼େ ଫେରାର୍ ହୋଇଯାଇଥିଲେ। ଏନେଇ ଆଶା ଦିଦି ସ୍ଥାନୀୟ ଲୋକ ପ୍ରତିନିଧି ଓ ବିଏମ୍‌ସି ଆଧିକାରୀଙ୍କ ସହଯୋଗରେ ଆଜି ଦିନ ତମାମ ବସ୍ତିର ଘରକୁ ଘର ବୁଲି ସେହି ପରିବାର ଲୋକଙ୍କୁ ଖୋଜାଖୋଜି କରିଥିଲେ।

ସମ୍ବନ୍ଧିତ ଖବର