ରାଜଧାନୀର ଅବହେଳିତ ସ୍ଲମ୍ କ୍ବାର୍ଟର୍ସ : ୬୦ବର୍ଷ ପରେ ବି ଘର ମାଲିକ ହୋଇପାରିଲେନି

ଭୁବନେଶ୍ବର : ଦୀର୍ଘ ୬୦ବର୍ଷ ହେଲାଣି ସରକାରଙ୍କ ଦ୍ବାରା ଗୃହ ଯୋଜନାରେ ତିଆରି ଘରେ ରହୁଛନ୍ତି। ନିଜ ଘର ହେଲେ ମଧ୍ୟ ରହିବା ପାଇଁ ବିଏମ୍‌ସିକୁ ଭଡ଼ା ଦେଇ ଚାଲିଛନ୍ତି। ରାଜଧାନୀର ମାଳିସାହି, ୟୁନିଟ୍‌-୩, ଶ୍ରୀରାମ ନଗର ଓ ହାଡ଼ି ପୋଖରୀ ଅଞ୍ଚଳରେ ପ୍ରାୟ ୨ଶହ ବାସିନ୍ଦା ଏଭଳି ଘରେ ରହୁଛନ୍ତି। ଏହା ଭିତରେ ଗୋଟିଏ ପିଢ଼ି ସଂପୂର୍ଣ୍ଣ ଚାଲିଗଲାଣି। ଘରର ମାଲିକାନା ପାଇଁ କୋର୍ଟଠାରୁ ଆରମ୍ଭ କରି ସରକାରଙ୍କ ଦ୍ବାରସ୍ଥ ହୋଇଛନ୍ତି ବାସିନ୍ଦା। କୋର୍ଟ ଆବେଦନକାରୀଙ୍କ ସପକ୍ଷରେ ରାୟ ମଧ୍ୟ ଦେଇଛନ୍ତି ମାତ୍ର ଆଜି ପର୍ଯ୍ୟନ୍ତ ଘର ମାଲିକାନା ମିଳିପାରି ନାହିଁ। ସରକାରଙ୍କ ବିଭିନ୍ନ ବିଭାଗକୁ ଦୌଡ଼ି ଦୌଡ଼ି ସ୍ଥାନୀୟ ବାସିନ୍ଦାଙ୍କୁ ସବୁଠି ନିରାଶ ହୋଇ ଫେରିବାକୁ ପଡ଼ିଛି।

ସ୍ବାଧୀନତା ପରେ ଦେଶରେ ଆରମ୍ଭ ହୋଇଥିବା ପଞ୍ଚ ବାର୍ଷିକ ଯୋଜନାରେ ବଡ଼ କାରଖାନା, ଖଣିରେ କାମ କରୁଥିବା ଲୋକମାନଙ୍କ ଘର ତିଆରି ପାଇଁ କେନ୍ଦ୍ର ସରକାର ଉଦ୍ୟୋଗିକ ରିହାତି ଆବାସିକ ଯୋଜନା ଲାଗୁ କରିଥିଲେ। ଏହାସହ ନିମ୍ନ ଆୟ ବର୍ଗ ଯୋଜନା, ମଧ୍ୟବିତ୍ତ ଆୟ ଗ୍ରୁପ୍ ଓ ପ୍ଲାଣ୍ଟେସନ୍ ହାଉସିଂ ସ୍କିମ୍ ଭଳି ଯୋଜନା କରାଯାଇଥିଲା। କେନ୍ଦ୍ର ସରକାର ୫୦ ପ୍ରତିଶତ ରିହାତି ଦେବା ସହିତ ବଳକା ୫୦ ପ୍ରତିଶତ ଟଙ୍କା ଋଣ ଆକାରରେ ରାଜ୍ୟ ସରକାରଙ୍କୁ ଦେଇଥିଲେ। ଏଥିରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଅନେକ ଘର ନିର୍ମାଣ କରାଯାଇଥିଲା। ପରବର୍ତୀ ସମୟରେ ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ବିଭିନ୍ନ କର୍ମଚାରୀଙ୍କ ପାଇଁ ହୋଇଥିବା ଏକାଧିକ ଯୋଜନାକୁ ସରକାର ଦ୍ବିତୀୟ ପଞ୍ଚ ବାର୍ଷିକ ଯୋଜନାରେ ମିଶାଇ ସମନ୍ବିତ ରିହାତି ଆବାସିକ ଯୋଜନା ଆରମ୍ଭ କରିଥିଲେ।

୧୯୬୨ ଏପ୍ରିଲ ପରଠାରୁ ଏହି ଯୋଜନାରେ ଋଣ ୩୭.୫ ପ୍ରତିଶତ ହ୍ରାସ କରାଯିବା ସହିତ ୬୨.୫ ପ୍ରତିଶତ ରିହାତି ଆକାରରେ ଦିଆଯାଇଥିଲା। ଏହି ଋଣ ଟଙ୍କାକୁ ୩୦ଟି କିସ୍ତିରେ ଓ ୫ ପ୍ରତିଶତ ସୁଧ ହାରରେ ରାଜ୍ୟମାନଙ୍କୁ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏଥିରେ ମାଳିସାହି ଓ ୟୁନିଟ୍‌-୩ରେ ସିନିୟର ଟାଇପ୍ ୬୦ଟି, ଜୁନିୟର ଟାଇପ୍ ୫୨ଟି, ୩୬ଟି ଫ୍ଲାଟ୍‌ ନିର୍ମାଣ ହୋଇଥିବା ବେଳେ ଶ୍ରୀରାମ ନଗରରେ ୧୮ଟି ଫ୍ଲାଟ୍ ଓ ହାଡ଼ି ପୋଖରୀରେ ୧୮ଟି ଫ୍ଲାଟ୍‌କୁ ମିଶାଇ ସମୁଦାୟ ୧୮୪ଟି ଘର ରାଜଧାନୀରେ ନିର୍ମାଣ କରାଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କୁ ସିନିୟର ଟାଇପ୍ ପାଇଁ ୪୧ଟଙ୍କା, ଜୁନିୟର ଟାଇପ୍ ପାଇଁ ୩୧ଟଙ୍କା ଓ ଫ୍ଲାଟ୍ ପାଇଁ ୪୬ ଟଙ୍କା ମାସକୁ ମାସ ବିଏମ୍‌ସିକୁ ଭଡ଼ା ଦେବାକୁ ପଡ଼ୁଛି।

୧୯୭୯ ମସିହାରେ କେନ୍ଦ୍ର ସରକାରଙ୍କ ପୂର୍ତ ମନ୍ତ୍ରଣାଳୟ ପକ୍ଷରୁ ସମନ୍ବିତ ରିହାତି ଆବାସିକ ଯୋଜନାରେ ନିର୍ମାଣ ହୋଇଥିବା ଘରକୁ ହିତାଧିକାରୀଙ୍କୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିଲା। ସ୍ଲମ୍ କ୍ଲିୟରାନ୍‌ସ ସ୍କିମ୍‌ରେ କେନ୍ଦ୍ର ସରକାର ରାଜଧାନୀରେ ଏହି ସମୟ ଭିତରେ ନିର୍ମାଣ ହୋଇଥିବା ଏସ୍‌-୬୦ ଘର ପାଇଁ ୧ଲକ୍ଷ ୮୫ହଜାର, ଜେ-୮୨ଟି ଘର ପାଇଁ ୧ଲକ୍ଷ ୪୦ହଜାର ୯୬୧ଟଙ୍କା ଓ ୩୬ଟି ୩ ମହଲା ଏଫ୍‌-ଟାଇପ୍ ପାଇଁ ୧ଲକ୍ଷ ୩୮ହଜାର ୬ଶହ ଟଙ୍କା ଖର୍ଚ କରିଥିଲେ। ହିତାଧିକାରୀଙ୍କ ପକ୍ଷରୁ ଦିଆଯିବାକୁ ଥିବା ଟଙ୍କା ରାଜ୍ୟ ସରକାରଙ୍କୁ ପୈଠ କରାଯାଇଛି। ୧୯୯୦ ମସିହାରୁ ଏ ବାବଦ ଟଙ୍କା ହିତାଧିକାରୀ ପୈଠ କରି ସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଏମ୍‌ସିକୁ ଘର ଭଡ଼ା ବାବଦ ଟଙ୍କା ଗଣି ଚାଲିଛନ୍ତି। ଏହାର ପ୍ରତିବାଦରେ ୨୦୦୮ ମସିହାରେ ଏହି ‌ଯୋଜନାରେ ଘର ପାଇଥିବା ଲୋକମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଚଳିତବର୍ଷ ଆରମ୍ଭରେ ହାଇକୋର୍ଟ ଏ ସଂପର୍କରେ ହିତାଧିକାରୀଙ୍କ ସପକ୍ଷରେ ରାୟ ଦେଇଥିଲେ। ହିତାଧିକାରୀଙ୍କୁ ସେମାନଙ୍କର ଘର ହସ୍ତାନ୍ତର କରିବା ପାଇଁ କୋର୍ଟ ବିଏମ୍‌ସି କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ଘର ପାଇଥିବା ହିତାଧିକାରୀ ପରେ ବିଏମ୍‌ସି କର୍ତୃପକ୍ଷଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ ହେଁ, କର୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି।

ସ୍ଥାନୀୟ ବାସିନ୍ଦା ଗୁରୁଚରଣ ସାହୁଙ୍କ କହିବା ମୁତାବକ, ସ୍ଲମ୍ କ୍ଲିୟରାନ୍‌ସ ସ୍କିମ୍‌ରେ ଦେଶବ୍ୟାପୀ ଘର ହୋଇଥିଲା। ସେହି ଅନୁସାରେ ଦ୍ବିତୀୟ ପଞ୍ଚ ବାର୍ଷିକ ଯୋଜନାରେ ରାଜଧାନୀରେ ୧୮୪ଟି ଘର ନିର୍ମାଣ କରାଯାଇଛି। ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ରାଜ୍ୟରେ ପ୍ରାୟ ୧୨ଶହ ଘର ନିର୍ମାଣ ହୋଇ ହିତାଧିକାରୀଙ୍କୁ ହସ୍ତାନ୍ତର ହୋଇଛି। ମାତ୍ର ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାରେ ରାଜଧାନୀରେ ଯେଉଁ ଘର ନିର୍ମାଣ ହୋଇଥିଲା ତାହାର ହିତାଧିକାରୀଙ୍କୁ ଆଜି ପର୍ଯ୍ୟନ୍ତ ମାଲିକାନା ମିଳିପାରି ନାହିଁ। ହିତାଧିକାରୀ ଘର ଭଡ଼ା ବାବଦ ଟଙ୍କା ବିଏମ୍‌ସିକୁ ଦେଇ ଚାଲିଛନ୍ତି। ମାତ୍ର ମାଲିକାନାସ୍ବତ୍ବ କ୍ଷେତ୍ରରେ ବିଏମ୍‌ସି କର୍ତୃପକ୍ଷ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଶ୍ରୀ ସାହୁ କହିଛନ୍ତି। ଅପରପକ୍ଷରେ ରାଜଧାନୀର ଏସବୁ ସ୍ଲମ୍ କ୍ବାର୍ଟର୍ସରୁ ମାସକୁ ମାସ ଭଡ଼ା ବାବଦ ଅର୍ଥ ଆଦାୟ କରାଯାଉଥିବା ସଂପର୍କରେ ଅଧିକାରୀମାନେ ଅବଗତ ଅଛନ୍ତି। ମାତ୍ର ଏହା ସଂପର୍କରେ କେହି ମୁହଁ ଖୋଲିବାକୁ ନାରାଜ। ବିଏମ୍‌ସିର ବହୁ ଅଧିକାରୀଙ୍କୁ ଏ ସଂପର୍କରେ ଯୋଗଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ, ଉତ୍ତର ମିଳିପାରି ନାହିଁ।

ସମ୍ବନ୍ଧିତ ଖବର