ସ୍ଲମ୍‌ କ୍ବାର୍ଟର୍ସ ଆବଣ୍ଟନ ଫାଇଲ୍‌ ମିଳୁନି, ଘର ଘର ବୁଲି ସର୍ଭେ କରିବେ ବିଏମସି କର୍ମଚାରୀ

କେନ୍ଦ୍ର ସରକାର କରିଥିବା ସ୍ଲମ୍‌ କ୍ବାର୍ଟର୍ସକୁ ବିଏମ୍‌ସି ନିଜ କର୍ମଚାରୀଙ୍କୁ ବାଣ୍ଟି ଦେଇଛି

ଭୁବନେଶ୍ୱର: କେନ୍ଦ୍ର ସରକାର କରିଥିବା ସ୍ଲମ୍‌ କ୍ବାର୍ଟର୍ସକୁ ବିଏମ୍‌ସି ନିଜ କର୍ମଚାରୀଙ୍କୁ ବାଣ୍ଟି ଦେଇଛି। ଏ ନେଇ ମାମଲା କୋର୍ଟରେ ପହଞ୍ଚିବା ପରେ ଏବେ ତନାଘନା ହୋଇଛି। ଛୁଟି ଦିନରେ ଖୋଦ୍‌ କମିସନର ବସି ସ‌ମୀକ୍ଷା କରିଛନ୍ତି। ସ୍ଲମ୍‌ କ୍ବାର୍ଟର୍ସର ସ୍ଥିତାବସ୍ଥା କ’ଣ? କିଏ ନେଇଥିଲେ? କେଉଁ ସର୍ତ୍ତରେ ନେଇଥିଲେ? ମାମଲା ହାରି ଯାଉଥିବାରୁ ଏହି କ୍ବାର୍ଟର୍ସ ବାଣ୍ଟିବା ପଛରେ ବିଏମ୍‌ସିର କେଉଁଠି ଭୁଲ୍‌ ଥିଲା କି? ସମୀକ୍ଷା ବୈଠକରେ ଏ ସବୁର ହିସାବ ମାଗିଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ। ସମୀକ୍ଷା ବୈଠକ ସରିବା ପରେ ଏହି ସ୍ଲମ୍‌ କ୍ବାର୍ଟର୍ସର ଫାଇଲ୍‌ ଖୋଜା ହୋଇଛି। ଆଜି ବିଏମ୍‌ସି ଅଫିସ୍‌ର ପୁରୁଣା କୋଠାରେ ଦୀର୍ଘ ଦୁଇ ଘଣ୍ଟା ଧରି ନୂଆ କରି ଲ୍ୟାଣ୍ଡ୍‌ ଉପବିଭାଗ ଦାୟିତ୍ବ ନେଇଥିବା ଡେପୁଟି କମିସନର ରାଜକିଶୋର ଜେନା କର୍ମଚାରୀମାନଙ୍କ ଜରିଆରେ ଫାଇଲ୍‌ ଖୋଜିଥିଲେ ମଧ୍ୟ ମିଳି ନଥିଲା। ଏହାକୁ ନେଇ ବିଏମ୍‌ସିରେ ଏବେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ଏହି ପ୍ରସଙ୍ଗ‌ରେ ପରବର୍ତ୍ତୀ ପଦକ୍ଷେପ କ’ଣ ନେବେ, ସେ ନେଇ ଚିନ୍ତା ବଢ଼ିଛି। ଶେଷରେ ଏହି ସବୁ କ୍ବାର୍ଟର୍ସ ବୁଲି ପ୍ରତ୍ୟେକ କର୍ମଚାରୀଠାରୁ ତଥ୍ୟ ସଂଗ୍ରହ କରିବାକୁ ନିଷ୍ପତ୍ତି ହୋଇଛି। ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ସୋମବାରଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଖୋଜି ଖୋଜି ନୟାନ୍ତ ଅଧିକାରୀ
ଜାଣି ଜାଣି ହଜାଇଛନ୍ତି!
ଏଷ୍ଟାବ୍ଲିସ୍‌ମେଣ୍ଟ ଉପବିଭାଗରେ ଅଛି କାଗଜପତ୍ର

ବିଏମ୍‌ସିରୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ହଜିଯିବା ନୂଆ କଥା ନୁହେଁ। ପୂର୍ବରୁ ଇଞ୍ଜିନିୟରିଂ ଉପବିଭାଗର ବିଭିନ୍ନ ନିର୍ମାଣ କାର୍ଯ୍ୟର ଭାଉଚର୍‌ ସମ୍ବଳିତ ଫାଇଲ୍‌ ହଜିଯିବାରୁ ମାମଲା କ୍ରାଇମ୍‌ବ୍ରାଞ୍ଚକୁ ଯାଇଛି। ଏହା ପରେ ଏହି ସେକ୍ସନରୁ କୋଟି କୋଟି ଟଙ୍କାର ଫାଇଲ୍‌ ବିଏମ୍‌ସି ଲୋକାଲ୍‌ ଫଣ୍ଡ ଅଡିଟ୍‌ରେ ଦାଖଲ କରୁନଥିବା ଅଭିଯୋଗ ହୋଇଛି। ଖୋଳତାଡ଼ ପରେ ଜଣାପଡ଼ିଛି କି ବିଏମ୍‌ସି ଏହି ସବୁ ଫାଇଲ୍‌ ହଜାଇ ଦେଇଛି। ଅନିୟମିତତା ଧରାପଡ଼ିବା ଭୟରେ ଅଧିକାରୀମାନେ ଏହି ସବୁ ଫାଇଲ୍‌ ହଜାଇ ଦେଇଥିବା ଅଭିଯୋଗ ହୋଇଛି। ଅନୁରୂପ ଢଙ୍ଗରେ ସ୍ଲମ୍‌ କ୍ବାର୍ଟର୍ସ ଫାଇଲ୍‌ ହଜିଥିବା ଏବେ କମିସନର ଖୋଳତାଡ଼ କଲା ବେଳେ ସାମ୍ନାକୁ ଆସିଛି। ଏହି ସବୁ ଫାଇଲ୍‌ କିଏ କାହିଁକି ହଜାଇଲା? ନା ଆବଣ୍ଟନରେ ଅନିୟମିତତା ହୋଇଥିବାରୁ ଜାଣି ଜାଣି ହଜାଇ ଦିଆଯାଇଛି ସେ ନେଇ ଚର୍ଚ୍ଚା ଜୋର ଧରିଛି।

ଏହି ସ୍ଲମ୍‌ କ୍ବାର୍ଟର୍ସ ବାବଦରେ ଜାଣିବା ପାଇଁ ଘରକୁ ଘର ବୁଲି କ୍ବାର୍ଟର୍ସ ପାଇଥିବା କର୍ମଚାରୀ ବା ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ତଥ୍ୟ ସଂଗ୍ରହ କରିବାକୁ ବସିଛି ବିଏମ୍‌ସି। ଏହି କର୍ମଚାରୀମାନେ ସବୁ କାଗଜପତ୍ର ବିଏମ୍‌ସିକୁ ଦେବେ ତାହାର କିଛି ନିଶ୍ଚିତତା ନାହିଁ। ମୂଳ କାଗଜପତ୍ର ନ ହେଲେ ସେ ସବୁ ପରବର୍ତ୍ତୀ ସମୟରେ କୋର୍ଟରେ ପ୍ରମାଣସ୍ବରୂପ ବ୍ୟବହାର ହୋଇପାରିବ ନାହିଁ। ଏଣୁ ବିଏମ୍‌ସି ଏବେ ଦ୍ବନ୍ଦ୍ବରେ ପଡ଼ିଛି। କୌଣସି ପ୍ରକାରେ ଏହି କ୍ବାର୍ଟର୍ସ ବାବଦରେ ତଥ୍ୟ ସଂଗ୍ରହ କରିବାକୁ ନୂଆ ଅଧିକାରୀ ଲାଗି ପଡ଼ିଛନ୍ତି। କିନ୍ତୁ ବିଏମ୍‌ସିର ଏଷ୍ଟାବ୍ଲିସ୍‌ମେଣ୍ଟ ସେକ୍ସନରେ ଏହି କ୍ବାର୍ଟର୍ସର ପ୍ରମାଣ ରହିଛି। ପ୍ରତ୍ୟେକ କର୍ମଚାରୀଙ୍କର ଏହି ସେକ୍ସନରେ ଗୋଟିଏ ଗୋଟିଏ ଫାଇଲ୍‌ ରହିଛି। ଏଥିରେ ଚାକିରି ଆରମ୍ଭରୁ ଏଯାବତ୍‌ ଟିକିନିଖି କାଗଜପତ୍ର ମହଜୁଦ ଅଛି। କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀର ଦରମା ବଢ଼ିବା, କଟିବା, କାର୍ଯ୍ୟାନୁଷ୍ଠାନ ହେବା, କ୍ବାର୍ଟର୍ସ ଆଲଟ୍‌ ହେବାଠାରୁ ଆରମ୍ଭ କରି ଯାବତୀୟ ତଥ୍ୟ ଏହି ଫାଇଲ୍‌ରେ ରହିଛି। ଯାହାକୁ ଖୋଜିବା ପାଇଁ ଏଯାବତ୍‌ ଉଦ୍ୟମ ହେଉ ନାହିଁ।

ପ୍ରେମଚନ୍ଦ୍ର ଚୌଧରୀ କମିସନର ଥିବା ବେଳେ ଗାୟତ୍ରୀ ସାମନ୍ତରାୟ ମଧ୍ୟ ଏହି ଉପବିଭାଗ ଦାୟିତ୍ବରେ ରହିଥିଲେ। ମାଳିସାହି ଏସ୍‌-୩ ସ୍ଲମ୍‌ କ୍ବାର୍ଟର୍ସରେ ରହୁଥିବା ଓଜି-କମ୍‌-ପିଅନ୍‌ ଘନଶ୍ୟାମ ପଟ୍ଟନାୟକଙ୍କୁ ଅବସର ପରେ କ୍ବାର୍ଟର୍ସ ଛାଡ଼ିବାକୁ ଗାୟତ୍ରୀ ସାମନ୍ତରାୟ ଚିଠି ଲେଖିଥିଲେ। କେବଳ ଚିଠି ଲେଖି ନଥିଲେ, ବରଂ କ୍ବାର୍ଟର୍ସ ନ ଛାଡ଼ିଲେ ପେନ୍‌ସନ୍‌ ସ୍ଥଗିତ ରଖାଯିବ ବୋଲି ଚେତାବନୀ ଦେଇଥିଲେ। ଏହି ଚିଠିକୁ ଧରି ଘନଶ୍ୟାମ କୋର୍ଟରେ ପହଞ୍ଚିବା ପରେ ତତ୍‌କାଳୀନ କମିସନର ଶ୍ରୀ ଚୌଧରୀଙ୍କୁ ବ୍ୟକ୍ତିଗତ ହାଜିରା ଆଦେଶ ହୋଇଥିଲା। ଶେଷରେ ବିଏମ୍‌ସି ମାମଲା ହାରିଗଲା ଓ ବିଏମ୍‌ସି ପେନ୍‌ସନ୍‌ ଓ ଅବସରକାଳୀନ ସମସ୍ତ ବକେୟା ତୁରନ୍ତ ପ୍ରଦାନ କରିଥିଲା। ଘନଶ୍ୟାମ ଅବସର ପରେ ଆଜି ବି ସେହି କ୍ବାର୍ଟର୍ସରେ ରହିଛନ୍ତି। ଏହି ଏଷ୍ଟାବ୍ଲିସ୍‌ମେଣ୍ଟ ଉପବିଭାଗରେ ଖୋଳତାଡ଼ ହେଲେ ସ୍ଲମ୍‌ କ୍ବାର୍ଟର୍ସର ଅସଲ ରହସ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଏହି ଉପବିଭାଗ ଦାୟିତ୍ବରେ ଥିବା ଗାୟତ୍ରୀ ସାମନ୍ତରାୟଙ୍କର ବଦଳି ହୋଇଥିଲେ ମଧ୍ୟ ସେ ଗାଦି ଛାଡ଼ୁ ନାହାନ୍ତି। ପୂର୍ବରୁ ସେ ଏହି ଉପବିଭାଗ ଦାୟିତ୍ବରେ ଥିବା ବେଳେ କାଳେ ଏଥିରେ ଥିବା କେଳେଙ୍କାରୀ ପଦାରେ ପଡ଼ିଯିବ, ସେଥିପାଇଁ ଏବେ ନୂଆ କରି କମିସନର୍‌ ତାଙ୍କୁ ପୁଣିଥରେ ଏହି ଦାୟିତ୍ବ ଦେଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର