ପାଣି ପାଇଁ ବସ୍ତି ବାସିନ୍ଦାଙ୍କ ରାସ୍ତା ଅବରୋଧ

ଶୈଳଶ୍ରୀବିହାର ପିଏଚ୍‌ଡି ସେକ୍ସନ୍‌ର ଅବହେଳା ଅଭିଯୋଗ

ଚନ୍ଦ୍ରଶେଖରପୁର : ଦିନତମାମ ବସ୍ତିକୁ ପାଣି ଆସିଲାନି। ତେଣୁ ସ୍ଥାନୀୟ ନୀଳପଡ଼ିଆ ବସ୍ତିର ଶତାଧିକ ମହିଳାଙ୍କ ପକ୍ଷରୁ ଡମଣା ଛକରେ ଆଜି ସନ୍ଧ୍ୟାରେ ରାସ୍ତା ଅବରୋଧ କରିଥିଲେ। ପାଖାପାଖି ଚାରି ଘଣ୍ଟା ଧରି ରାସ୍ତାର ଗୋଟିଏ ପାଖ ଅବରୋଧ ହେବା ଫଳରେ ଡମଣାରୁ ଶୈଳଶ୍ରୀବିହାର ମୁଖ୍ୟ ରାସ୍ତାରେ ଯାତାୟତ ଠପ୍‌ ହୋଇଯାଇଥିଲା।

ଓ୍ଵାର୍ଡ଼ ୬ ଅଧୀନରେ ଥିବା ଡମଣା ଛକ ନିକଟସ୍ଥ ନୀଳପଡ଼ିଆ ବସ୍ତିରେ ଆଜି ସକାଳୁ ପାଇପ ପାଣି ଆସିନଥିଲା। ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ସମ୍ପନ୍ନ କରିବା ତଥା ପାନୀୟ ଜଳ ଅଭାବରୁ ଶତାଧିକ ବସ୍ତି ବାସିନ୍ଦା ହାତରେ ବାଲ୍‌ଟି, ଗରା ଆଦି ଧରି ଡମଣା – ଶୈଳଶ୍ରୀବିହାର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ସ୍ଥାନୀୟ ଜନପ୍ରତିନିଧିଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ ସମସ୍ୟାର କୌଣସି ସମାଧାନ ନହେବାରୁ ଏପରି ପଦକ୍ଷେପ ନେଇଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଏହାସହିତ ଶୈଳଶ୍ରୀବିହାର ପିଏଚ୍‌ଡି ସେକ୍ସନ୍‌ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା କାରଣରୁ ମଧ୍ୟ ଏହି ସମସ୍ୟା ଉପୁଜିଥିବା ଅବରୋଧର ନେତୃତ୍ୱ ନେଇଥିବା ମାନସୀ ମଞ୍ଜରୀ ରାୟ ଅଭିଯୋଗ କରିଛନ୍ତି।

ଏ ନେଇ ଆଜି ସନ୍ଧ୍ୟାରେ ସେହି ଅଞ୍ଚଳରେ ଅଭାବନୀୟ ପରିସ୍ଥିତି ଉପୁଜିଥିଲା। ଦିନତମାମ ପାଣି ଆସିନଥିଲେ ମଧ୍ୟ ଜନପ୍ରତିନିଧି କିମ୍ବା ବିଭାଗୀୟ କୌଣସି ଅଧିକାରୀଙ୍କ ନିରବତା ବସ୍ତିବାସିନ୍ଦାଙ୍କୁ ବ୍ୟଥିତ କରିଥିବା ଅଭିଯୋଗ ହୋଇଛି। ତେବେ ପିଏଚ୍‌ଡି ବିଭାଗ ଏସ୍‌ଡିଓଙ୍କ ହସ୍ତକ୍ଷେପ ଫଳରେ ବସ୍ତିକୁ ପାଣି ଯୋଗାଣ ଆରମ୍ଭ ହୋଇଥିଲା। ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଅବରୋଧସ୍ଥଳରେ ଚନ୍ଦ୍ରଶେଖରପୁର ପୁଲିସ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।

ଏହି ବସ୍ତିକୁ ଘାଟିକିଆରୁ ପାଣି ଆସିଥାଏ। ମାତ୍ର ଆଜି ଘାଟିକିଆରେ ବିଦ୍ୟୁତ କାଟ୍‌ ହୋଇଥିବାରୁ ପାଣି ଯୋଗାଣ ସମ୍ଭବ ହୋଇନଥିଲା। କିନ୍ତୁ ପରେ ବିଭାଗ ପକ୍ଷରୁ ବସ୍ତିକୁ ପାଣି ଯୋଗାଣ କରାଯାଇଥିବା ପିଏଚ୍‌ଡି ବିଭାଗ ଏସ୍‌ଡିଓ ବିରଞ୍ଚି ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର