ଖଣ୍ଡଗିରି: ବିକାଶରେ ବାଧକ ସାଜିଛି ବସ୍ତି। ଉଚ୍ଛେଦ ପରେ ସରକାରୀ ଜମିକୁ ସୁରକ୍ଷା ଦେଇ ପାରୁ ନଥିବାରୁ ପୁଣି ଜବରଦଖଲ ହେଉଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର(ବିପିଆଇଏ) ସମ୍ପ୍ରସାରଣ ପାଇଁ ଗଣ୍ଡମୁଣ୍ଡା ବସ୍ତି ହଟାଇବାକୁ ନେଇ ବିଚିତ୍ର ପରିସ୍ଥିତି ଛିଡ଼ା ହୋଇଛି। ପୂର୍ବରୁ ଯେତିକି ଘର ହଟାଇଥିଲେ ସେସବୁ ସୁରକ୍ଷା ଦେଇ ନ ପାରିବାରୁ ପୁଣି ଜବରଦଖଲ ହୋଇଯାଇଛି। ଏବେ ସେଠାରୁ ୧୧ଟି ଘର ହଟାଇବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ସରକାରଙ୍କୁ ଚିଠି ଲେଖିଛନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଏମ୍ସି ଏହାର ଅନୁଧ୍ୟାନ କଲା ବେଳେ ବିଚିତ୍ର ତଥ୍ୟ ସାମ୍ନାକୁ ଆସିଛି। ପୂର୍ବରୁ ଯେଉଁମାନଙ୍କୁ ଉଚ୍ଛେଦ କରାଯାଇଥିଲା ଏବେ ସେ ସବୁ ଜାଗା ପୁଣି ଦଖଲ ହୋଇଯାଇଛି। କେଉଁଠି ମୂଳ ଲୋକ ମରିଯିବା ପରେ ପୁଅ ବୋହୂ ରହୁଥିବା ବେଳେ କେଉଁଠି ଭଡ଼ା ଲାଗିଛି। ଯଦି ୧୧ ପରିବାରଙ୍କୁ ହଟାଯାଏ ତେବେ ବି ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟ ପୂରଣ ହେବ ନାହିଁ। ଏଣୁ ବିଏମ୍ସିର ଅକଲ ଗୁଡ଼ୁମ୍ ହୋଇଛି।
ୱାର୍ଡ ୫୦ରେ ଥିବା ଗଣ୍ଡମୁଣ୍ଡା ବସ୍ତି ହଟାଇବା ପରେ ହିଁ ବିମାନବନ୍ଦରର ସମ୍ପ୍ରସାରଣ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ ହେବ। ଏଣୁ ଏହି ମର୍ମରେ ବିମାନବନ୍ଦର କତ୍ତୃପକ୍ଷ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଛନ୍ତି। ଥରେ ନୁହେଁ, ବରଂ ବାରମ୍ବାର ଜଣାଇଛନ୍ତି। ବସ୍ତିଗୁଡ଼ିକ ବିଏମ୍ସି ଅଧୀନରେ ଥିବାରୁ ବିଭାଗ ମଧ୍ୟ ନିୟମିତ ବ୍ୟବଧାନରେ ବିଏମ୍ସିକୁ ବସ୍ତି ହଟାଇବାକୁ ଚିଠି ଲେଖୁଛି। ହେଲେ ସମସ୍ୟାର ସମାଧାନ ହୋଇ ପାରୁନି। ବାସ୍ତବରେ ଏଠାରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରୁ ୨୭ ପରିବାରଙ୍କୁ ହଟାଇବା ପାଇଁ ସ୍ଥିର କରାଯାଇଥିଲା। କୋର୍ଟ ମାମଲା ଓ ଅନ୍ୟ କେତେକ କାରଣ ପାଇଁ ୧୧ଟି ଘର ରହିଯାଇଥିଲା। ଏବେ ଏମାନଙ୍କୁ ହଟାଇବା ପାଇଁ ବିଏମ୍ସିକୁ ଚିଠି ଆସିଛି। କିନ୍ତୁ ସର୍ଭେ ବେଳେ ଦେଖାଯାଇଛି କି ଏଠାରେ ନୂଆ ବସ୍ତି ଗଢ଼ି ଉଠିଛି। ଯେଉଁମାନଙ୍କୁ ହଟାଯିବାକୁ ଥିଲା ସେମାନଙ୍କୁ ରାଜୀବ ଆବାସ ଯୋଜନା(ରେ’)ରେ ସାମିଲ୍ କରାଯାଇଥିଲା। ସେମାନଙ୍କ ଘର ସାମ୍ନାରେ ରେ’ ସଂଖ୍ୟା ଲେଖାଯାଇଥିଲା। ଏବେ ହିତାଧିକାରୀଙ୍କ ସଂଖ୍ୟା ୩ ଗୁଣ ବଢ଼ିଗଲାଣି। କିଛି ହିତାଧିକାରୀଙ୍କ ଦେହାନ୍ତ ପରେ ମଧ୍ୟ ତାଙ୍କ ନାମରେ ପରିବାର ଲୋକ ରହିଛନ୍ତି। ଗୋଟିଏ ପରେ ଗୋଟିଏ ଘର ବଢ଼ିବଢ଼ି ଚାଲିଛି।
ସମ୍ପ୍ରସାରିତ ହୋଇପାରୁନି ବିମାନବନ୍ଦର
୧୧ ପରିବାର ହଟାଇବା ପାଇଁ ଚିଠି
ସୁରକ୍ଷା ଦେଇପାରିଲେନି, ପୁଣି ଜବରଦଖଲ
ବିଏମ୍ସିର ଅକଲ ଗୁଡ଼ୁମ୍
ପ୍ରଥମେ ଯେତେବେଳେ ଉଚ୍ଛେଦ ହୋଇଥିଲା ସେତେବେଳେ ୨୭ ପରିବାରରୁ ୧୬ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ୧୧ ପରିବାର ରହିଯାଇଥିଲେ। ଉଚ୍ଛେଦ ହୋଇଥିବା ଓ ରହିଯାଇଥିବା ବାସିନ୍ଦାଙ୍କୁ ରେ’, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୋଜନାରେ ଯୋଗ୍ୟତା ଅନୁସାରେ ସାମିଲ କରାଯାଇଥିଲା। କିନ୍ତୁ ସେମାନଙ୍କୁ ଘର ମିଳିଲା ନାହିଁ। ଫଳରେ ଘର ପରେ ଘର ବଢ଼ିବଢ଼ି ଚାଲିଲା। ଫଳରେ କାଗଜପତ୍ରରେ ଯେଉଁଠି ପରିବାର ସଂଖ୍ୟା ୧୧, ଏବେ ସେଠାରେ ୨ଶହରୁ ଊର୍ଦ୍ଧ୍ବ ପରିବାର ରହୁଛନ୍ତି। ବଡ଼କଥା ହେଉଛି ଉଚ୍ଛେଦ ହୋଇ ନଥିବା ଏହି ୧୧ଟି ପରିବାର ମଧ୍ୟରୁ ୩ ପରିବାରର ମୂଳ ବାସିନ୍ଦାଙ୍କର ମୃତ୍ୟୁ ହୋଇଗଲାଣି। ଏବେ ତାଙ୍କ ଘରେ ତାଙ୍କ ଭାଇଙ୍କ ସହ ଅନ୍ୟ ସଦସ୍ୟ ରହୁଛନ୍ତି। ସେମାନେ ଏବେ ରେ’ ଯୋଜନାରେ ସାମିଲ ହେବାକୁ ଦାବି କଲେଣି। ମଝିରେ ମଝିରେ ବିଏମ୍ସି କେବଳ ସର୍ଭେ କରୁଛି। ବେଳେବେଳେ ଆଧାରକାର୍ଡ ଯାଞ୍ଚ କରୁଛି। କେବେ ଜମି ମାପଚୁପ କରୁଛି। ନା ଜବରଦଖଲ ହଟୁଛି ନା ହିତାଧିକାରୀଙ୍କୁ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା ହେଉଛି। ଏ ନେଇ ହିତାଧିକାରୀଙ୍କ ପରିବାର ଲୋକଙ୍କ କହିବା କଥା, ମାସେ ୨ ମାସରେ ଥରେ ବିଭିନ୍ନ ବିଭାଗରୁ ଲୋକ ଆସି ଘର ଭଙ୍ଗାଯିବ କହୁଛନ୍ତି। ମାପଚୁପ କରୁଛନ୍ତି। ହେଲେ କ’ଣ ହେବ? କେବେ ହେବ? ଆମକୁ ସ୍ଥାନାନ୍ତରଣ କେବେ କରାଯିବ ତା’ର ଉତ୍ତର କାହା ପାଖରେ ନାହିଁ। ସ୍ଥାନୀୟ କର୍ପୋରେଟର ରାମ ରଣସିଂହଙ୍କ କହିବା କଥା, ବିମାନବନ୍ଦର ସମ୍ପ୍ରସାରଣ ପାଇଁ ୧୧ ପରିବାର ତାଲିକା ବିଏମ୍ସିରୁ ମଗାଯାଇଥିଲା ସେମାନଙ୍କର ଆଧାରକାର୍ଡ ସମେତ ବିଭିନ୍ନ ଆବଶ୍ୟକ କାଗଜପତ୍ର ଅଣାଯାଇ ଯାଞ୍ଚ କରାଯାଉଛି। ତେବେ ଉଚ୍ଛେଦ ନେଇ ନିଷ୍ପତ୍ତି ନିଆଯାଇ ନାହିଁ।