ରାଜଧାନୀରେ ବସ୍ତି ଏବେ କରୋନାମୁକ୍ତ

ବସ୍ତିରୁ ବାହାରିଥିଲେ ୧୭୮୧ ଆକ୍ରାନ୍ତ, ଏବେ ଅଣବସ୍ତିରେ ଅଛନ୍ତି ୫୧୭ ଆକ୍ରାନ୍ତ

ଭୁବନେଶ୍ୱର : ରାଜଧାନୀରେ ଶନିବାର ରାତି ସୁଦ୍ଧା ୩୦୪୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୫୧୭ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଖୁସିର ବିଷୟ ଯେ ରାଜଧାନୀର କୌଣସି ବସ୍ତିରେ ବି ଜଣେ କରୋନା ଆକ୍ରାନ୍ତ ନାହାନ୍ତି। ଏହା ବିଏମ୍‌ସିର ରିଅଲଟାଇମ୍‌ କୋଭିଡ୍‌ ଡାସ୍‌ବୋର୍ଡ ତଥା ଡିଜି ହେଲ୍‌ଥରୁ ଜାଣିବାକୁ ମିଳିଛି।

ରାଜଧାନୀରେ ୪୩୬ଟି ବସ୍ତିରେ ୧୦୦୮୭୦ଟି ଘରେ ୪,୨୬,୭୮୦ଜଣ ବାସ କରୁଛନ୍ତି। ରାଜଧାନୀର ମୋଟ୍‌ ଜନସଂଖ୍ୟାର ୪୦.୧୭% ଲୋକ ଏହିଠାରେ ରହୁଛନ୍ତି। ହେଲେ ଏବେ ଜଣେ ବି ସକ୍ରିୟ କରୋନା ଆକ୍ରାନ୍ତ ନରହିବା ରାଜଧାନୀ ପାଇଁ ଖୁସି ଖବର ଆଣିଛି। ରାଜଧାନୀରେ ଜୁଲାଇରୁ ସେ‌ପ୍ଟେମ୍ବର ମଧ୍ୟରେ ଯେତେବେଳେ କରୋନା ଆକ୍ରାନ୍ତ ହୁ’ ହୁ’ ହୋଇ ବଢ଼ୁଥିଲା, ସେତେବେଳେ ବସ୍ତିରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ସ୍ଥିତି ଏପରି ହେଲା ଯେ ରାଜଧାନୀବାସୀ ଘରକୁ କାମ କରିବାକୁ ଆସୁଥିବା ଲୋକଙ୍କ ଉପରେ ରୋକ୍‌ ଲଗାଇଦେଲେ। ବିଏମ୍‌ସି ୫ଟି ହଟସ୍ପଟ୍‌ ଜିଲ୍ଲାରୁ ବସ୍ତିକୁ ଆସୁଥିବା ଲୋକଙ୍କୁ ବାଧ୍ୟତାମୂଳକ ସଙ୍ଗରୋଧରେ ପଠାଇଲା। ସାଲିଆସାହି, ତ୍ରିନାଥ ବସ୍ତି, ସୁବାସ ନଗର ବସ୍ତି ଭଳି ଅଞ୍ଚଳରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଲା। ଏକସଙ୍ଗେ ୪୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ରାଜଧାନୀ ପାଇଁ ଚିନ୍ତା ପାଲଟି ଯାଇଥିଲା। ହେଲେ ବିଏମ୍‌ସି ପକ୍ଷରୁ ବସ୍ତିଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିବା ଏବଂ ବିଭିନ୍ନ ସଚେତନତାମୂଳକ କାମ କରିବା ଦ୍ବାରା ରାଜଧାନୀର ବସ୍ତି ଏବେ କରୋନା ଆକ୍ରାନ୍ତମୁକ୍ତ ହୋଇଛି। ଆଜି ରାତି ସୁଦ୍ଧା ୫୧୭ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ଏଥିରେ ପୁରୁଷ ୩୧୪ଜଣ, ମହିଳା ୨୦୩ଜଣ ଅଛନ୍ତି। ମୋଟ୍‌ ୫୧୭ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୪୮୯ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୧୪ଜଣ ରାଜ୍ୟ ବାହାରୁ ଆସିଛନ୍ତି, ୧୩ଜଣ ହଟସ୍ପଟ୍‌ ଜିଲ୍ଲାରୁ ଆସିଥିବା କୁହାଯାଇଛି।

ରାଜଧାନୀରେ ମୋଟ୍‌ ୩୦,୪୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରୁ ୨୯୫୩୭ଜଣ ସୁସ୍ଥ ହୋଇଛନ୍ତି। ଏଥିରେ ୧୯୦୪୮ଜଣ ପୁରୁଷ ଥିବାବେଳେ ୧୦୨୬୯ଜଣ ମହିଳା ଏବଂ ୩ଜଣ କିନ୍ନର ଅଛନ୍ତି। ଏହି ସୁସ୍ଥ ତାଲିକାରେ ବସ୍ତିର ୧୭୮୧ ଜଣ ଅଛନ୍ତି। ଅର୍ଥାତ୍‌ ବର୍ତ୍ତମାନ ସୁଦ୍ଧା ରାଜଧାନୀର ୪୩୬ଟି ବସ୍ତିରୁ ୧୭୮୧ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ବସ୍ତି ବାହାରୁ ୨୭୫୧୦ଜଣ ଏବଂ ବିଏମ୍‌ସି ଅଞ୍ଚଳ ବାହାରୁ ୨୫ଜଣ ଆକ୍ରାନ୍ତ ଭୁବନେଶ୍ବରରେ ଚିହ୍ନଟ ହୋଇଥିଲେ।

ସାଲିଆସାହିରେ ୧୭୮, ତ୍ରିନାଥ ବସ୍ତିରେ ୬୮ ଥିଲେ
ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଓ ବିଏମ୍‌ସିର ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଥିବା ଏହି ଡିଜି ହେଲ୍‌ଥର ସୂଚନା ଅନୁଯାୟୀ, ରାଜଧାନୀର ସବୁ ବସ୍ତିରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିରେ ସାଲିଆସାହିରୁ ସର୍ବାଧିକ ୧୭୮ଜଣ ବୋଲି ଲେଖାଯାଇଛି। ଅସଲରେ ଏହି ବସ୍ତିରୁ ୨୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ସାଲିଆସାହିକୁ ବିଭିନ୍ନ ସାହି ଅନୁଯାୟୀ ବିଭକ୍ତ କରାଯାଇଥିବାରୁ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭୮ ଦେଖାଉଛି।

ଓସିସି ବସ୍ତିରୁ ୧୨ଜଣ, ଶ୍ରୀରାମ ନଗରରୁ ୨୭, ବରମୁଣ୍ଡା ମହାବୀର ବସ୍ତିରୁ ୧୧, କାରଗିଲ ବସ୍ତିରୁ ୧୩, ଜଳେଶ୍ବର କଲୋନି ପାଇକନଗରରୁ ୧୨, ଶାନ୍ତିପଲ୍ଲୀ ସହିଦନଗରରୁ ୧୨, ସୀତାପୁର ବସ୍ତିରୁ ୩୬, ପଣ୍ଡା ପାର୍କ (ନୀଳାଦ୍ରିବିହାରରୁ) ୨୩, ନୂଆପଲ୍ଲୀ ବେହେରାସାହିରୁ ୧୫, ବେହେରାସାହିରୁ ୧୩, ୟୁନିଟ-୧ ତାଟି ବସ୍ତିରୁ ୧୬, ହଳଦୀପଡ଼ିଆ ବସ୍ତିରୁ ୧୩, ସାଇନ୍ସ ପାର୍କ ବସ୍ତିରୁ ୧୩, ଝରଣା ସାହି-ଏରୁ ୧୧, ଶୁକ ବିହାରରୁ ୧୫, ରଘୁନାଥ ନଗରରୁ ୨୨, କଲ୍ୟାଣୀ କୃଷ୍ଣ ନଗର ନୂଆପଲ୍ଲୀ ନୂଆସାହିରୁ ୧୪, ବିଶେଶ୍ବର ବସ୍ତିରୁ ୩୩, ଶବରସାହିରୁ ୧୮, ତାରିଣୀନଗର ସାଲିଆସାହିରୁ ୧୬, ଆଦିବାସୀ ଗାଁରୁ ୧୫, ଖଣ୍ଡଗିରି ତପୋବନ ବସ୍ତିରୁ ୧୪, ମା’ ମଙ୍ଗଳା ବସ୍ତିରୁ ୧୨, ତାରିଣୀ ବସ୍ତିରୁ ୧୫, ଆଖଣ୍ଡଳମଣି ବସ୍ତିରୁ ୧୦, ଶିଖରଚଣ୍ଡୀ କ୍ଲଷ୍ଟର-୧ରୁ ୧୬, ସୁଭାଷ ବୋଷ ନଗର ବସ୍ତରୁ ୧୭, ଗଣପତି ନଗରରୁ ୧୯, ବେହେରା ବସ୍ତିରୁ ୧୧, ହରିନଗର ମହିଷାଖାଲରୁ ୧୬, ରାଧାକୃଷ୍ଣ ବସ୍ତିରୁ ୨୨ଜଣ ଆକ୍ରାନ୍ତ ହୋଇଥିଲେ।

ସେହିପରି ପିଚୁ ବସ୍ତିରୁ ୧୦ଜଣ, କେଳା ବସ୍ତିରୁ ୨୩, ରିକ୍ସା କଲୋନି (ନୀଳାଦ୍ରିବିହାର)ରୁ ୨୧, ପ୍ରଶାନ୍ତିବିହାର ଚିରାଗଲଟୋଲାରୁ ୧୪, ବାଲିଆପଟାରୁ ୧୭, ପଥରବନ୍ଧ ଉତ୍ତରରୁ ୧୨, ପଥରବନ୍ଧ ବେହେରା ସାହିରୁ ୨୧, ଗୋପବନ୍ଧୁ ଲେପ୍ରସି କଲୋନିରୁ ୧୧, ସିରିପୁର କନ୍ଧ ସାହିରୁ ୧୯, ହରେକୃଷ୍ଣ ନଗର ନୀଳାଦ୍ରିବିହାରରୁ ୧୩, ମେ’ ଫେୟାର ନଗରରୁ ୧୨, ତ୍ରିନାଥ ବସ୍ତିରୁ ୬୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍‌ ରାଜଧାନୀର ଅନ୍ୟ ବସ୍ତିରୁ ୧୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର