ସାମ୍ପୁ ଡବାରେ ଫସିଗଲା ଢମଣା

ଭୁବନେଶ୍ବର : ସାମ୍ପୁ ଡବାରେ ଫସିଛି ସାଢ଼େ ୫ଫୁଟର ଏକ ଢମଣା। ଘଟଣାଟି ଘଟିଛି, ବାଲେଶ୍ବର ଜିଲ୍ଲା ରେମୁଣା ଅଞ୍ଚଳରେ। ଆଜି ସକାଳେ ରେମୁଣାର ବାସିନ୍ଦା ଦିଲ୍ଲୀପ ମାନାଙ୍କ ଅଗଣାକୁ ଢମଣାଟି ପଶି ଆସିଥିଲା। ଦୁଇ ପାଖ କଟା ଯାଇଥିବା ସାମ୍ପୁ ଡବା ଭିତରେ ଢମଣାଟି ମୁଣ୍ଡ ପୂରାଇ ଦେବା ପରେ ଆଉ ବାହାରି ପାରି ନ ଥିଲା। ଡବା ଭିତରେ ତା’ର ଶରୀର ଚାପି ହୋଇ ରହିବାରୁ ସାପଟି ନିଃଶ୍ବାସ ପ୍ରଶ୍ବାସ ନେଇପାରୁ ନ ଥିଲା। ଏହା ଦେଖିବା ପରେ ସ୍ଥାନୀୟ ସ୍ନେକ ହେଲ୍‌ପଲାଇନକୁ ଦିଲ୍ଲୀପ ଖବର ଦେଇଥିଲେ। ସ୍ନେକ ହେଲ୍‌ପଲାଇନ ସଦସ୍ୟ ଶ୍ୟାମଳେନ୍ଦୁ ଆଦିତ୍ୟ ଘଟଣାସ୍ଥଳରେ ପହଞ୍ଚି ସାମ୍ପୁ ଡବାକୁ କଇଁଚିରେ କାଟି ସାପକୁ ମୁକୁଳାଇ ଥିଲେ। ଡବାଟି ଚାପି ହୋଇ ରହିଥିବା ସ୍ଥାନରେ ସାମାନ୍ୟ ଆଘାତ ଲାଗିଥିବାରୁ ସେଥିରେ ମଲମ ଲଗାଇ ସାପକୁ ପ୍ରାକୃତିକ ଆବାସସ୍ଥଳ‌ରେ ଛାଡ଼ି ଦେଇଥିଲେ। ଏନେଇ ସ୍ନେକ ହେଲ୍‌ପଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଯଦି ସାମ୍ପୁ ଡବାଟିକୁ କଢ଼ା ହୋଇ ନ ଥାନ୍ତା, ତେବେ ସେ ଖାଦ୍ୟ ଗ୍ରହଣ କରି ପାରି ନ ଥାନ୍ତା ଏବଂ ଠିକ୍‌ରେ ନିଃଶ୍ବାସ ନେଇ ନ ପାରି ସାପଟି ଅଳ୍ପଦିନରେ ମୃତ୍ୟୁବରଣ କରି ଥାଆନ୍ତା। ସାମ୍ପୁ ଡବାରୁ ସାପଟି ମୁକୁଳିବା ପରେ ତାହା ନିଶ୍ଚିତ ମୃତ୍ୟୁମୁଖରୁ ବର୍ତି ଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର