‘କଲ୍ଲୋଳ-୨୦୧୮’ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା: ‘ଗୁଡ୍ଡି’ ଶ୍ରେଷ୍ଠ ଚଳଚ୍ଚିତ୍ର

ଭୁବନେଶ୍ବର: ଶିଶୁ ଅଧିକାର ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ‘କଲ୍ଲୋଳ-୨୦୧୮’ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସଂଗ୍ରାମ କେଶରୀ ସାହୁଙ୍କ ‘ଗୁଡ୍ଡି’ ପ୍ରଥମ ପୁରସ୍କାର ହାସଲ କରିଛି। ‘ନିରାପଦ ଜଳ-ପ୍ରତ୍ୟେକ ଶିଶୁର ଅଧିକାର’ ଶୀର୍ଷକ ବିଷୟବସ୍ତୁକୁ ନେଇ ଏଥର ଚଳଚ୍ଚିତ୍ର ପ୍ରତିଯୋଗିତା ହୋଇଥିଲା। ସ୍ବେଚ୍ଛାସେବୀ ସଙ୍ଗଠନ ‘ଆଇନା’ ଓ ୟୁନିସେଫ୍‌ର ମିଳିତ ସହଯୋଗରେ ହୋଟେଲ ଏଚ୍‌ଏଚ୍‌ଆଇରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଶିଶୁ ସମ୍ପର୍କିତ ଚଳଚ୍ଚିତ୍ରକୁ ପ୍ରତିଟି ବ୍ୟକ୍ତି ଦେଖିବା ଉଚିତ୍‌। ନିରାପଦ ଜଳ ପାଇବା ପ୍ରତ୍ୟେକ ଶିଶୁର ଅଧିକାର। ଶିଶୁଙ୍କ ଜୀବନର ପ୍ରତିଟି କ୍ଷେତ୍ରରେ ଜଳର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ଉତ୍ସବରେ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଦିଲ୍ଲୀପ ତିର୍କି ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ପାଇଁ କଲ୍ଲୋଳ କେବଳ ଏକ ପ୍ଲାଟଫର୍ମ ନୁହେଁ ବରଂ ଶିଶୁଙ୍କ ଅଧିକାର ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ପାଇଁ ଏହା ଜ୍ଞାନର କେନ୍ଦ୍ର। ୟୁନିସେଫ୍‌ର ନ୍ୟୁଟ୍ରିସନ୍‌ ବିଶେଷଜ୍ଞ ସୌରଭ ଭଟ୍ଟଚାର୍ଯ୍ୟ, କ୍ରୀଡ଼ାବିତ୍‌ ଦୂତୀ ଚାନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁଙ୍କ ଅଧିକାର ଉପରେ ଆଲୋକପାତ କରିଥିଲେ। ‘ଆଇନା’ର ସମ୍ପାଦକ ସ୍ନେହ ମିଶ୍ର କହିଲେ, ଚଳିତବର୍ଷ ୫୩ଟି କ୍ଷୁଦ୍ର ଚଳଚ୍ଚିତ୍ର ବିଚାର ପାଇଁ ଆସିଥିଲା। ସେଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ ଶିଶୁ ଅଧିକାର ପ୍ରତି ବ୍ୟକ୍ତିବିଶେଷ ଓ ଚିତ୍ର ନିର୍ମାତାମାନେ ସଚେତନ ହେଲେଣି। ଏହା ଏକ ଶୁଭ ସଙ୍କେତ। ପ୍ରତିଯୋଗିତାରେ ଭାଗ ନେଇଥିବା ୫୩ଟି କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ‘ଗୁଡ୍ଡି’ ପ୍ରଥମ ପୁରସ୍କାର ପାଇଥିବା ବେଳେ ରିତ୍ବିକ ଦାସଙ୍କ ‘ଜଳ ଓ ଭବିଷ୍ୟତ’ ଦ୍ବିତୀୟ ପୁରସ୍କାର ଓ ଅବିନାଶ କୁମାର ପ୍ରଧାନଙ୍କ ‘ୱାଟର ବୟ’ ୩ୟ ପୁରସ୍କାର ହାସଲ କରିଛି। ଜୁରି ଚଏସ୍‌ ପୁରସ୍କାର ଲାଭ କରିଥିବା ପ୍ରଦୀପ କୁମାର ଜେନାଙ୍କ ‘ଚୁମ୍‌କୀ’ ଓ ଜୁରିମଣ୍ଡଳୀଙ୍କ ଦ୍ବାରା ରାମ ପଟ୍ଟନାୟକ, ଶତାବ୍ଦୀ ମହାନ୍ତି ଓ ଶ୍ବେତସ୍ବିନୀ ବେହେରାଙ୍କ ଦ୍ବାରା ନିର୍ମିତ ଚିତ୍ର ‘ଇଟ ଇଜ୍‌ ଆୱାର ରେସପନ୍‌ସିବିଲିଟି’ ଶିଶୁ ଜୁରି ପୁରସ୍କାର ହାସଲ କରିଛି। ସୂଚନାଯୋଗ୍ୟ ଯେ ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଜୁରି ମଣ୍ଡଳୀରେ ଚଳିତବର୍ଷ ପ୍ରତିଯୋଗିତାର ବିଚାରକମାନେ ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ, ଚନ୍ଦ୍ରଭାନୁ ପଟ୍ଟନାୟକ, ଇଲିଆନା ସିତାରିଷ୍ଟ, କପିଳାସ ଭୂୟାଁ, ଏସ୍‌ ଭି ରମଣ ଓ ଜଳ ବିଶେଷଜ୍ଞ ରଞ୍ଜନ ପଣ୍ଡା ପ୍ରମୁଖ ସମିଲ ହୋଇଥିଲେ।

ସମ୍ବନ୍ଧିତ ଖବର