କ‌ରୋନା ଦୂର କର ବିଘ୍ନରାଜ, ଘରେ ଘରେ କୁନି ଗଣେଶ

ଭୁବନେଶ୍ବର: ଚାକଚକ୍ୟର ଆଡ଼ମ୍ବର ନଥିଲା କି ସୁଦୃଶ୍ୟ ତୋରଣର ପ୍ରତିଯୋଗିତା ହେଉନଥିଲା। ଆଲୁଅମାଳା ଶୋଭା ବଢ଼ାଉନଥିଲା କି ସାଂସ୍କୃତିକ କାର୍ଯ୍ୟକ୍ରମର ଅବସର ଜମୁନଥିଲା। ରାଜଧାନୀରେ ସଟ୍‌ଡାଉନ ମଧ୍ୟରେ ଅଗ୍ରପୂଜ୍ୟଙ୍କୁ ଆବାହନ କରାଯାଇଥିଲା। ନିରାଡ଼ାମ୍ବର ଭାବେ ପୂଜା ଅନୁଷ୍ଠିତ ହେଉଥିଲା। ପ୍ରମୁଖ ପୂଜା ମଣ୍ଡପଗୁଡ଼ିକରେ ଏଥର ପୂଜା ହେଉନଥିଲେ ହେଁ ଗଳିକନ୍ଦିରେ କିଛି ଜାଗାରେ ଛୋଟ ପୂଜା ମଣ୍ଡପରେ ନିଆରା ସାଜସଜା ଦେଖିବାକୁ ମିଳିଥିଲା। କେଉଁଠି ‌ତୋରଣକୁ କୋଭିଡ୍‌ ହସ୍ପିଟାଲ୍‌ର ରୂପ ‌ଦିଆଯାଇଥିଲା ତ କେଉଁଠି ପାରମ୍ପରିକ ଟେରାକୋଟା ଶୈଳୀରେ ମୂର୍ତି ପ୍ରସ୍ତୁତ କରି ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଭୁଙ୍କୁ ଆବାହନ ସହ ସବୁଠି କରୋନାରୁ ମୁକ୍ତି ଦେବାକୁ ପ୍ରାର୍ଥନା କରାଯାଇଥିଲା।

ଧଉଳିରେ ଟେରାକୋଟା ଗଣେଶ
ଧଉଳି ଚାରୁକଳା ମହାବିଦ୍ୟାଳୟରେ ପ୍ରତିବର୍ଷ ଛାତ୍ରଛାତ୍ରୀମାନେ ମୂର୍ତି ଗଢ଼ି ପୂଜା କରିବାର ବିଧି ରହି ଆସିଛି। ଏହି ପରିପ୍ରେକ୍ଷୀରେ ଏଥର ଆଡ଼ମ୍ବର ନଥିଲେ ମଧ୍ୟ ଛାତ୍ର ପଙ୍କଜ କୁମାର ବେହେରା ପାରମ୍ପରିକ ଟେରାକୋଟା ଶୈଳୀରେ ଗଣେଶଙ୍କ ମୂର୍ତି ଗଢ଼ିଥିଲେ। ମାତ୍ର ୨ ଘଣ୍ଟା ମଧ୍ୟରେ ସେ ମୂର୍ତି ତିଆରି କରିଥିଲେ। ୨ ଫୁଟ ଉଚ୍ଚର ଟେରାକୋଟା ମୂର୍ତିରେ କେବଳ ହାଲ୍‌କା ରଙ୍ଗ ପ୍ରୟୋଗ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ସହ ୨ ଅଧ୍ୟାପକଙ୍କ ଉପସ୍ଥିତିରେ ଗଣେଶଙ୍କ ପୂଜା ହୋଇଥିଲା। କରୋନାରୁ ମୁକୁଳିବା ନେଇ ପ୍ରାର୍ଥନା କରାଯାଇଥିଲା। ସେହିଭଳି ନୂଆପଲ୍ଲୀ ଶ୍ରୀ ବିନାୟକ ୟୁଥ୍‌ ଆସୋସିଏସନ ପକ୍ଷରୁ ପ୍ରଭୁ ଶିବଙ୍କ କୋଳରେ ବସିଥିବା ଗଣେଶଙ୍କୁ ପୂଜା କରାଯାଇଥିଲା। ଦେବବ୍ରତ ମହାନ୍ତିଙ୍କ ତତ୍ତ୍ବାବଧାନରେ ଦିଲ୍ଲୀପ, ଗଣେଶ, ବିଶ୍ବଜିତ, ବିକାଶ, କୁନା ପ୍ରମୁଖ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ।

କୋଭିଡ୍ ହସ୍ପିଟାଲ୍‌ରେ କରୋନା ଆକ୍ରାନ୍ତ ମୂଷା
କରୋନା ‌ମାନବ ସମାଜର ନିଦ ହଜାଇ ଦେଇଛି। ଏଭଳି ସ୍ଥଳେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କୋଭିଡ୍‌ ହସ୍ପିଟାଲ୍‌ ଖୋଲିଛି। ସାଂପ୍ରତିକ ପରିସ୍ଥିତିକୁ ନେଇ ରାଜଧାନୀରେ କିଛି କ୍ଲବ୍‌ ତୋରଣ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି। ୟୁନିଟ୍‌-୩ ଶାନ୍ତି ନଗର ବସ୍ତିରେ ତୁଳସୀ ସାଥୀ ସଂଘ କ୍ଲବ୍‌ ପକ୍ଷରୁ ନିର୍ମିତ ତୋରଣର ନାଁ ରହିଛି କୋଭିଡ୍‌-୧୯ ହସ୍ପିଟାଲ୍‌। ଏହା ମଧ୍ୟରେ ବିରାଜମାନ କରିଥିବା ପ୍ରଭୁ ଶ୍ରୀଗଣେଶ ଡାକ୍ତର ବେଶରେ ବସିଥିବା ବେଳେ କରୋନା ଆକ୍ରାନ୍ତ ହୋଇଥିବା ପ୍ରତୀକ ମୂଷା ଦେହରେ ଷ୍ଟେଥୋ ଲଗାଇ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଯଦିଓ ବିନା ପିପିଇ ଉପକରଣରେ ଡାକ୍ତର କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁନାହାନ୍ତି, ତେବେ କ୍ଲବ୍‌ ସଦସ୍ୟଙ୍କ ବରାଦ ମୁତାବକ ଏପରି ଏକ ପ୍ରତୀକାତ୍ମକ ମୂର୍ତି ପ୍ରସ୍ତୁତ କରି ଭେଟି ଦେଇଛନ୍ତି ଶିଳ୍ପୀ ଅରୁଣ କୁମାର ମହାପାତ୍ର।

ଘରେ ଘରେ କୁନି ଗଣେଶ
କରୋନା ଯୋଗୁଁ ପୂଜା ମଣ୍ଡପ ଓ ଶିକ୍ଷାନୁଷ୍ଠାନରେ ଏଥର ଗଣେଶ ପୂଜା ଅନୁଷ୍ଠିତ ହୋଇନଥିଲା। ମନ୍ଦିର ପ୍ରବେଶ ଉପରେ ମଧ୍ୟ କଟକଣା ରହିଥିଲା। ତେଣୁ ଆଜି ଅନେକ ନିଜ ଘରେ ହିଁ କୁନି ଗଣେଶଙ୍କୁ ଆଣି ପୂଜାର୍ଚ୍ଚନା କରିଥିଲେ। ଗଣେଶଙ୍କ ନିକଟରେ ପୁଷ୍ପାଞ୍ଜଳି ଦେବା ପରେ ଛାତ୍ରଛାତ୍ରୀମାନେ ଖାଦ୍ୟ ଓ ପାନୀୟ ଗ୍ରହଣ କରିବାର ବିଶ୍ବାସ ରହି ଆସୁଥିବାରୁ ମନ୍ଦିର ଓ ଶିକ୍ଷାନୁଷ୍ଠାନ‌ରେ ପୁଷ୍ପାଞ୍ଜଳି ଦେବା ସମ୍ଭବ ହୋଇନଥିଲା। ତେଣୁ ବାଧ୍ୟ ହୋଇ ଅନେକ ଘରେ ନୂଆକରି ପୂଜାର୍ଚ୍ଚନା କରିଥିଲେ। ମଣ୍ଡପ, ଶିକ୍ଷାନୁଷ୍ଠାନରେ ସିନା ପୂଜା ହୋଇନଥିଲା କିନ୍ତୁ ପୂଜା ସଂଖ୍ୟା ବଢ଼ିଯାଇଥିବାରୁ ପୂଜକ ମିଳିବା କଷ୍ଟ ହୋଇଯାଇଥିଲା।

ବଡ଼ ଗଣେଶ ପାଇଁ ବଇନା ଦେଲେ, ଛୋଟ କିଣିଲେ
କରୋନା ଦାଉ କମିନଥିଲେ ହେଁ ବହୁ ପୂଜା କମିଟି ପୂଜା ଆୟୋଜନ କରିବା ନେଇ ମନସ୍ଥ କରି ଦେଇଥିଲେ। କରୋନା ସ୍ଥିତି ଟଳିଯିବ ବୋଲି ଆଶା କରି ଅନେକ ପୂଜାନୁଷ୍ଠାନ ଗଣେଶ ମୂର୍ତି ପାଇଁ ବରାଦ ଦେଇଥିଲେ। କିନ୍ତୁ ଗଣେଶ ପୂଜା ୭ଦିନ ଥାଇ ପ୍ରଶାସନ ପୂଜା ମଣ୍ଡପ‌ରେ ପୂଜା ନକରିବାକୁ ନିର୍ଦେଶ ଦେବାରୁ ବିଭିନ୍ନ କ୍ଲବ୍‌ ଓ ଅନୁଷ୍ଠାନ ମୂର୍ତି ବରାଦ ଦେଇ ବଇନା ଦେଇଥିଲେ ମଧ୍ୟ କିଣିନଥିଲେ। କିଛି ପୂଜା କମିଟି ବଡ଼ ମୂର୍ତି ବରାଦ ଦେଇଥିଲେ ହେଁ ଛୋଟ ମୂର୍ତି କିଣିଥିଲେ ବୋଲି କହିଛନ୍ତି ମୂର୍ତି କାରିଗର ଅରୁଣ କୁମାର ମହାପାତ୍ର। ସେ କହିଛନ୍ତି, ପ୍ରତିବର୍ଷ ଆମେ ୩୫୦ ମୂର୍ତି ତିଆରି କରୁଥିଲେ ହେଁ ଏଥର ୬୦ଟି ମୂର୍ତି ତିଆରି କରିଥିଲୁ।

ସମ୍ବନ୍ଧିତ ଖବର