କଅଁଳ ମନରେ ଅସମ୍ଭବକୁ ସମ୍ଭବ କରିବାର ଝୁଙ୍କ

‘ହାଲ୍‌କା’ର ସ୍ୱତନ୍ତ୍ର ସ୍କ୍ରିନିଂ

ଭୁବନେଶ୍ୱର: ସହରର ଚାକଚକ୍ୟ ତଳେ ବସ୍ତିରେ ଭଙ୍ଗା ପ୍ଲାଷ୍ଟିକ୍‌ ମୂଲ କରି ଜିଉଁଥିବା ପିଲାଟିଏ ବି ସ୍ୱପ୍ନ ଦେଖିପାରେ। ହୁଏତ ତା’ର ସେ ସ୍ୱପ୍ନ ଅବାସ୍ତବ ହୋଇପାରେ। କିନ୍ତୁ ଅସମ୍ଭବ ନୁହେଁ। ଖୋଲାରେ ପ୍ୟାଣ୍ଟ୍‌ ଖୋଲି ଶୌଚ କରିବାକୁ ଅମଙ୍ଗ ହେଉଥିବା ‘ପିଚ୍‌କୁ’ ବି ପାଇଖାନା ଗଢ଼ିବାର ସଂକଳ୍ପ ନେଇପାରେ। କଅଁଳ ମନ ଭିତରେ ଅସମ୍ଭବକୁ ସମ୍ଭବ କରିବାର ଝୁଙ୍କ୍‌ ଏବଂ ଶିଶୁ ମନସ୍ତତ୍ତ୍ୱ ଆଧାରିତ ଏହିଭଳି ଏକ ରୋଚକ କାହାଣୀକୁ ନେଇ ମୁକ୍ତିଲାଭ କରିବାକୁ ଯାଉଛ ହିନ୍ଦୀ ଚଳଚ୍ଚିତ୍ର ‘ହାଲ୍‌କା’।

ଆଇ ଆମ୍‌ କାଲାମ, ଜଲ୍‌ ପରୀ, କଡ୍‌ବି ହାଓ୍ଵା ଭଳି ଚଳଚ୍ଚିତ୍ର ନିର୍ମାଣ କରି ଚର୍ଚାକୁ ଆସିଥିବା ନୀଳମାଧବ ପଣ୍ଡାଙ୍କ ରଚିତ ଓ ନିର୍ଦେଶିତ ଏହି କାହାଣୀରେ ‘ପିଚ୍‌କୁ’ ଚରିତ୍ରକୁ ଅନେକ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ‘ଗୋପୀ’ ଚରିତ୍ରରେ ଥିବା ଶିଶୁ କଳାକାରଙ୍କ ଅଭିନୟ ଚାତୁରୀ ଦର୍ଶକଙ୍କୁ ଚମତ୍କତ କରିଛି। ଏଥିରେ ନିର୍ଦେଶକ ସମସ୍ତ ଶ୍ରେୟ ପିଚ୍‌କୁ କୁ ଦେଇଛନ୍ତି। ବାସ୍ତବରେ କିନ୍ତୁ ଗୋପୀ ବିନା ପିଚ୍‌କୁ ଏତେ ବାଟ ଆଗେଇ ନପାରିବା ଭଳି ହୃଦବୋଧ ହେଉଛି। ଶେଷ ଦୃଶ୍ୟରେ ହଠାତ୍‌ ପିଚ୍‌କୁ ଏମିତି କିଛି କରୁଛି, ଫଳରେ ତା’ର ବାପା ଜେଲ୍‌ ଯିବାରୁ ବଞ୍ଚିତ ହେଉଛନ୍ତି। କିନ୍ତୁ ଘରଠୁ ଅନତି ଦୂରରେ ଏକ ପାଇଖାନା ପାଇଁ ସଂଘର୍ଷ କରୁଥିବା ପିଚ୍‌କୁ ଶେଷ ଦୃଶ୍ୟରେ ଏପରି କିଛି କରୁଛି ଯାହା ନିଶ୍ଚେ ଟିକେ ଅଡ଼ୁଆ ଅନୁଭବ ଦେବ। ପୁଣି ସ୍କୁଲ୍‌ରେ ଏକ ନାଟକ ଦୃଶ୍ୟରେ ହଠାତ୍‌ ପିଚ୍‌କୁ ଓ ଗୋପୀର ଆବିର୍ଭାବ ହେବାର ଦୃଶ୍ୟକୁ ବେଶ୍‌ ଚତୁରତାର ସହ ଯୋଡ଼ିଛନ୍ତି ନିର୍ଦେଶକ। କିନ୍ତୁ ସେଥିରେ ଶେଷକୁ ପିଚ୍‌କୁର ସାଙ୍ଗ ପିଚ୍‌କୁ ଓ ଗୋପୀ ବିଷୟରେ ଯେଉଁ କଥା ସମସ୍ତଙ୍କ ସାମ୍ନାରେ ମାଇକ୍‌ରେ ରଖୁଛି, ତାହା ଯଥେଷ୍ଟ ହୋଇନାହିଁ। ତେବେ ନୀଳମାଧବ ପଣ୍ଡାଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ର ପିଲାଙ୍କ ଭିତରେ ରୋମାଞ୍ଚ ଭରିବା ସହ, ପିଲାମାନଙ୍କ ମଧ୍ୟରେ ଦୟାଶୀଳ ଭାବ ଏବଂ ଇଚ୍ଛା ଥିଲେ ଜଣକ ପାଇଁ ଯେ କିଛି ବି ସମ୍ଭବ ନୁହେଁ ତାହା ନିଶ୍ଚେ ଶିଖାଇବ। ରୋସ୍‌ନି ନାଦର ମାଲହୋତ୍ରା ଏବଂ ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ଦିଲ୍ଲୀର ଏକ ବସ୍ତିର ଚିତ୍ରକୁ ଉପସ୍ଥାପନ କରାଯାଇଛି। ନିର୍ଦେଶକ ଶ୍ରୀ ପଣ୍ଡାଙ୍କ ସୂଚନା ମୁତାବକ, ଚଳଚ୍ଚିତ୍ରରେ ଶିଶୁ ଅଭିନେତା ତଥାସ୍ତୁ, ରଣବୀର ସୋରି ଓ ପାଓଲି ତାମ୍‌ ପ୍ରମୁଖ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି ଦୁଇଟି ଅନ୍ତର୍ଜାତିକ ଗ୍ରାଣ୍ଡ୍‌ ପିକ୍ସ ପୁରସ୍କାର ସମେତ ୧୮ଟି ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ପାଇସାରିଛି। ଆସନ୍ତାକାଲି ଏହା ସମଗ୍ର ଦେଶରେ ୩୦୦ରୁ ଊର୍ଧ୍ୱ ହଲ୍‌ରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର