ସ୍ମାର୍ଟ ଆପ୍‌ର ମାୟା

ବଦଳୁଛି ଜୀବନ ଜିଇଁବାର ପରିଭାଷା। ସହର ସ୍ମାର୍ଟ ପଥରେ ଯେତେ ଆଗଉଛି ରାଜଧାନୀବାସୀ ସେତେ ସେତେ ସ୍ମାର୍ଟ୍‌  କଥାକୁ ଆପଣାଉଛନ୍ତିି। ସ୍ମାର୍ଟ ଫୋନ୍‌ ଓ ସ୍ମାର୍ଟ ଆପ୍‌ ଏବେ ଯୁବପିଢ଼ିଙ୍କର ସବୁଠୁ ବିଶ୍ୱସ୍ତ ବନ୍ଧୁ। ସକାଳୁ ଆଖି ଖୋଲିବାଠୁ ନେଇ ରାତିରେ ନିଦ୍ରା ଯିବା ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତରେ ଆପ୍‌ ଉପରେ ଆଖି ବୁଲେଇ ନଆଣିଲେ ଦିନଟା ଯେମିତି ପାଣିଚିଆ ହେଇଯାଉଛି। ବିଶେଷ କରି ଭିନ୍ନଭିନ୍ନ ଆପ୍ଲିକେସନ ଜୀବନ ଜିଇଁବାର ମାନକୁ ସହଜ କରିଦେଇଛି। ଖବର ଘଟିବା ମାତ୍ରେ ମୋବାଇଲ୍‌ ଆପ୍‌ରେ ହଜାର ହଜାର କୋଷରୁ ଖବର କ୍ଷଣିକେ ମୋବାଇଲ୍‌ ପରଦା ଉପରେ ପହଞ୍ଚି ଯାଉଛି। ଯୁବପିଢ଼ିକୁ କବଳିତ କରି ରଖିଥିବା ଏମିତି କିଛି ଆପ୍ଲିକେସନ୍‌କୁ ନେଇ ପ୍ରଗତି ସାହୁଙ୍କ ସ୍ୱତନ୍ତ୍ର ଉପସ୍ଥାପନା।

ଡେଲିହଣ୍ଟ୍‌

ଯେକୌଣସି ଭାଷାରେ ଖବର ପଢ଼ିବାର ସୁଯୋଗ ଆଣି ଦେଇଛି ଡେଲିହଣ୍ଟ୍‌ ଆପ୍ଲିକେସନ। ଖବର ଅନେ୍ଵଷୀ ଲୋକଙ୍କୁ ଏହା ବେଶ୍‌ ସୁହାଉଛି। ସଂପ୍ରତି ଡେଲିହଣ୍ଟ୍‌ରେ ଇଂରାଜୀ ସହ ହିନ୍ଦୀ, ଓଡ଼ିଆ, ମାଲାୟଲମ୍‌, କନ୍ନଡ଼, ମରାଠୀ, ତାମିଲ୍‌, ତେଲୁଗୁ ଓ ପଞ୍ଜାବୀ ଆଦି ଭାଷାରେ ଦୈନଦିନ ଖବର ଉପଲବ୍ଧ ହେଉଛି। ଏନେଇ ୟୁ.ପ୍ରିୟଙ୍କା କହିଛନ୍ତି ଯେ ତାଙ୍କୁ ତେଲୁଗୁ ଖବର ପଢ଼ିବାକୁ ଭଲ ଲାଗେ। ତେବେ ଏଠାରେ ଏହି ଖବରକାଗଜ ମିଳୁ ନଥିବାରୁ ସେ ଡେଲିହଣ୍ଟ ମାଧ୍ୟମରେ ପଢ଼ନ୍ତି।

ବିଉଟି ପ୍ଲସ୍‌

ସବୁଠାରୁ ଶ୍ରେଷ୍ଠ ଫଟୋ ଏଡିଟିଂ ଆପ୍‌ ମଧ୍ୟରେ ଅଛି ବିଉଟି ପ୍ଲସ୍‌। ଭୁବନେଶ୍ୱର ଯୁବପିଢ଼ି ବିଶେଷ କରି ଯୁବତୀମାନଙ୍କ ମଧ୍ୟରେ ଏହି ଆପ୍‌ ଏବେ ବହୁଳ ଲୋକପ୍ରିୟ ହୋଇଛି। ଏଥିରେ ଥିବା ଫଟୋ ଫିଲ୍ଟର, ମ୍ୟାଜିକ୍‌ ବ୍ରସ୍‌ ଏବଂ ମ୍ୟାଜିକ ଇଫେକ୍ଟ ଫଟୋକୁ ଆକର୍ଷଣୀୟ କରିବା ସହ ବିଭିନ୍ନ ପ୍ରକାର ମେକ୍‌ଅପ୍‌ ଟୁଲ୍‌ ଦ୍ୱାରା ମୁଁହରୁ ଦାଗ ଛଡ଼ାଇବା, ଆଖିକୁ ଆକର୍ଷଣୀୟ କରିବା, ଚେହେରାର ରଙ୍ଗ ସଫା କରିବାରେ ସହାୟକ ହେଉଛି।

ପେଟିଏମ୍‌

ମୋବାଇଲ ରିଚାର୍ଜ ହେଉ ଅବା କୌଣସି ଦୋକାନରେ ବିଲ୍‌ ପେମେଣ୍ଟ୍‌ କି ଅନ୍‌ଲାଇନ୍‌ ସପିଂ ପେମେଣ୍ଟ୍‌। ପେଟିଏମ୍‌ ଏକ ସରଳ ଦେୟ ପଇଠର ସୁବିଧା ସୃଷ୍ଟି କରିଛି। ହୋଟେଲ, ବସ୍‌  ଓ ବିମାନ ବନ୍ଦର ଟିକେଟ ମଧ୍ୟ ବୁକ୍‌ କରିହେଉଛି। ଅଟୋ ଭଡ଼ା, ପେଟ୍ରୋଲ ଓ ରେସ୍ତୋଁରା ବିଲ୍‌ ମଧ୍ୟ ପେଟିଏମ୍‌ ଜରିଆରେ ପଇଠ କରି ହେଉଛି। ସିଦ୍ଧାର୍ଥ ସାହୁ କୁହନ୍ତି, ପେଟିଏମ୍‌ରେ ଦେୟ ଦେଉଥିବାରୁ ପାଖରେ ଅଧିକ ଟଙ୍କା ଧରି ଆଉ ଚୋରକୁ  ଡରିବାକୁ ପଡ଼ୁନାହିଁ।

ଇନ୍‌ଷ୍ଟାଗ୍ରାମ

ବର୍ତ୍ତମାନ ସବୁଠାରୁ ଲୋକପ୍ରିୟ ଆପ୍‌ ମଧ୍ୟରେ ଶୀର୍ଷରେ ରହିଛି ଇନ୍‌ଷ୍ଟାଗ୍ରାମ। ଫଟୋ କିମ୍ବା ଭିଡିଓ ସେୟାରିଂ ହେଉ କି ଏଡିଟିଂ ଭଳି ସୁବିଧା ଏହି ଆପ୍‌ରେ ଉପଲବ୍ଧ। ଏହି ଆପ୍‌ରେ ଆକର୍ଷଣୀୟ ସେଲଫି ଓ ଏଡିଟିଂର ସୁବିଧା ଥିବା ଯୋଗୁଁ ଅଧିକ ବ୍ୟବହାର ହେଉଛି। ଏଥିରେ ଥିବା ପ୍ରାଇଭେସି ଅପସନ୍‌ ଫଟୋକୁ ସୁରକ୍ଷିତ ରଖୁଛି। ଆଣ୍ଡ୍ରଏଡ୍‌, ଆଇଫୋନ ଏବଂ ଓ୍ଵିଣ୍ଡୋଜ୍‌ ଫୋନରେ ଡାଉନଲୋଡ କରି ବ୍ୟବହାର କରି ହେଉଛି। ଏହା ଜରିଆରେ ଫଟୋକୁ ଲୋକପ୍ରିୟ ସୋସିଆଲ ସାଇଟ୍‌ରେ ମଧ୍ୟ ସେୟାର କରି ହେଉଛି।

ଆଇଏମ୍‌ଓ

ଆଇଏମ୍‌ଓ ବା ଇମୋ ଆପ୍‌ ଭିଡିଓ କଲିଂ, ଅଡିିଓ କଲିଂ ଏବଂ ମେସେଜ ଚାଟ୍‌ ପାଇଁ ଏବେ ବହୁତ ଲୋକପ୍ରିୟ ହୋଇପାରିଛି। ଭିଡିଓ କଲିଂ, ଅଡିଓ କଲିଂ ପାଇଁ ବହୁ ଆପ୍‌ ରହିଥିଲେ ସୁଦ୍ଧା ଏହି ଆପ୍‌ ତା’ର ବିଶେଷ ଗୁଣ ପାଇଁ ଚାହିଦାରେ ରହିଛି। ଚାଟିଂ ସମୟରେ ମେସେଜ୍‌ ପଠାଉଥିବା ଲୋକ ସେଣ୍ଡ୍‌ ବଟମ ନ ଚିପିଲେ ବି ସେ ଯାହା ଲେଖୁଥାଏ ତାକୁ ଅନ୍ୟଜଣେ ପଢ଼ିପାରେ। ସେହିପରି ଫଟୋ କିମ୍ବା ଭିଡିଓ ପଠାଇଲେ ତାହା ସିଧାସଳଖ ଆଏମ୍‌ଓର ଷ୍ଟୋରବକ୍ସରେ ରୁହେ। ଏବଂ ମେମୋରି ମଧ୍ୟ ସେଭ୍‌ ରୁହେ।

ସମ୍ବନ୍ଧିତ ଖବର