ନାଚି ଗାଇ ମନ ଜିଣିଲେ କୁନି ପ୍ରତିଭା

‘ସମ୍ବାଦ’ ପକ୍ଷରୁ ‘ସ୍ମାର୍ଟ ଚାଇଲ୍‌ଡ ଅଫ୍‌ ସ୍ମାର୍ଟ ସିଟି’ ପ୍ରତିଯୋଗିତା

ଭୁବନେଶ୍ବର: ଶୀତୁଆ ସକାଳୁ କେଳାହଳମୟ ହୋଇ ଉଠିଥିଲା ଜୟଦେବ ଭବନ। ଦିନ ୯ଟା ବେଳକୁ ପଞ୍ଜୀକରଣ କାଉଣ୍ଟର୍‌ ଆଗରେ କୁନି କୁନି ପିଲାଙ୍କ ଭିଡ଼ ଜମି ଯାଇଥିଲା। କିଛି ସମୟ ମଧ୍ୟରେ ପୂରା ପ୍ରେକ୍ଷାଳୟ ପୂରି ଯାଇଥିଲା। ଉପସ୍ଥାପିକା ନାଁ ଡାକିବା ବେଳକୁ ମଞ୍ଚ ତଳେ ବସିଥିବା କୁନିକୁନି ପ୍ରତିଯୋଗୀଙ୍କ ମଧ୍ୟରେ ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। କିଏ ଗୁଣୁଗୁଣୁ ହୋଇ ଗୀତ ଗାଉଥିଲା ତ ଆଉ କିଏ ମଞ୍ଚ ନିକଟକୁ ଦଉଡ଼ି ଯାଇ ନାଚି ଉଠୁଥିଲା।

ମା’ଙ୍କ ଆକଟ ସତ୍ତ୍ବେ କୁନି କୁନି କଳାକାର ଚଉକି ଉପରେ ସ୍ଥିର ହୋଇ ବସି ପାରୁ ନଥିଲେ। ପରେ ମଞ୍ଚରେ କୌତୁକିଆ ପୋଷାକ ପିନ୍ଧି, ନାଚି ଗାଇ, ଗପ କହି ଦର୍ଶକଙ୍କୁ ବିଭୋର୍‌ କରିଥିଲେ। ଆଜି ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ସହଯୋଗରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଅନ୍ତଃବିଦ୍ୟାଳୟ ପ୍ରତିଭା ପ୍ରଦର୍ଶନ କାର୍ଯ୍ୟକ୍ରମ ‘ସ୍ମାର୍ଟ ଚାଇଲ୍‌ଡ ଅଫ୍‌ ସ୍ମାର୍ଟ ସିଟି’ରେ ଏମିତି ଥିଲା ପରିବେଶ।

କାର୍ଯ୍ୟକ୍ରମରେ ୧୩ରୁ ଊର୍ଦ୍ଧ୍ବ ସ୍କୁଲର ୩୦୦ରୁ ଅଧିକ ପ୍ରତିଯୋଗୀ ଗୀତ, ନୃତ୍ୟ, କୌତୁକ ପୋଷାକ ଓ ଗପକୁହା ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ, ସାହିତ୍ୟିକ ଦାଶ‌ ବେନହୁର, ‘ସମ୍ବାଦ’ ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ, ‘ଆମ ଓଡ଼ିଶା’ ସମ୍ପାଦକ ସ୍ବରାଜ ମିଶ୍ର, ‘ସମ୍ବାଦ ଡିଜିଟାଲ’ ମୁଖ୍ୟ ଧୃତିକାମ ମହାନ୍ତି ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ।
ପ୍ରଥମେ କୌତୁକ ପୋଷାକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

କୌତୁକିଆ ପୋଷାକ ପିନ୍ଧି ପ୍ରତିଯୋଗୀମାନେ ବିଭିନ୍ନ ଶିକ୍ଷଣୀୟ ବାର୍ତ୍ତା ଦେଇ ବିଚାରକଙ୍କ ମନ ଜିଣିଥିଲେ। ବେଟି ପଢ଼ାଓ ବେଟି ବଚାଓ, ବୃକ୍ଷରୋପଣ, ପରିବେଶ ସୁରକ୍ଷା, ଦେଶପ୍ରେମ, ଶିକ୍ଷାଦାନର ମହତ୍ବ, ସାମାଜିକ ଗଣମାଧ୍ୟମର ସୁବିନିଯୋଗ, ମୋବାଇଲ୍‌ର ଅପକାରିତା, ବସୁଧୈବ କୁଟୁମ୍ବକମ୍‌ ପରି ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ।

‘ଗପକୁହା’ ପ୍ରତିଯୋଗିତା ଥିଲା ପୂରା ନିଆରା। କୁନିକୁନି ପିଲା ଖନି ମାରିଯାଉଥିବା ପାଟିରେ ବୁଢ଼ୀ ମା’ ପରି ବୁଝାଇ ବୁଝାଇ ଗପ କହିଥିଲେ। ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭାଷାରେ ୫୦ରୁ ଅଧିକ ପ୍ରତିଯୋଗୀ ଦର୍ଶକଙ୍କୁ ଗପ ଶୁଣାଇଥିଲେ। ଏହାପରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ଗୀତ ଓ ନୃତ୍ୟ ପ୍ରତିଯୋଗିତା ଥିଲା ବେଶ୍‌ ଆକର୍ଷଣୀୟ। ଶେଷ ଶ୍ରାବଣ…, ଏ ମେରେ ବତନ୍‌ କେ ଲୋଗୋଁ…, ମେରା ମୁଲ୍‌କ ମେରା ଦେଶ…, ଏ ମାଲିକ୍‌ ତେରେ ବନ୍ଦେ ହମ୍‌…, ଝୁଲ୍‌ରେ ନିତାଇ ଝୁଲ୍‌…, କେଡ଼େ ସୁନ୍ଦର କାଳିଆର ନବକଳେବର… ପରି ମନଛୁଆଁ ଗୀତ ଗାଇ ଦର୍ଶକଙ୍କୁ ବିଭୋର୍‌ କରିଥିଲେ। ନୃତ୍ୟ ପ୍ରତିଯୋଗିତା ବେଳକୁ ପୂରା ପ୍ରେକ୍ଷାଳୟ ଏକ ଉତ୍ସବରେ ପରିଣତ ହୋଇଯାଇଥିଲା। ଜଣେ ପ୍ରତିଯୋଗୀ ନୃତ୍ୟ ପରିବେଷଣ କରୁଥିବା ବେଳେ ମଞ୍ଚ ତଳେ ବାଦ୍ୟର ତାଳେତାଳେ ଅନ୍ୟ ପ୍ରତିଯୋଗୀମାନେ ଝୁମି ଉଠିଥିଲେ।

କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କୁନିକୁନି ପିଲାଙ୍କ ପ୍ରତିଭାକୁ ପ୍ରଶଂସା କରିବା ସହ ଉତ୍ସାହିତ କରିଥିଲେ। ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ‌ନୈୟର ପଟ୍ଟନାୟକ, ସିଓଓ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ, ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ମହାପ୍ରବନ୍ଧକ(ବିଜ୍ଞାପନ) ସଂଜୟ ଗୌର, ‘ଆମ ଓଡ଼ିଶା’ ସମ୍ପାଦକ ସ୍ବରାଜ ମିଶ୍ର, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ, ସାହିତ୍ୟିକ ଦାଶ‌ ବେନହୁର ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସୋମା ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର