ଭୁବନେଶ୍ବର : ‘ମୋ ବସ୍’ ସେବା ପାଇଁ ଦେଶର ଶ୍ରେଷ୍ଠ ସ୍ମାର୍ଟ ବିଶେଷ ପ୍ରୟୋଜନ ମାଧ୍ୟମ ସଂସ୍ଥା ବିବେଚିତ ହୋଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ସ୍ମାର୍ଟ ସିଟିଜ୍ ଇଣ୍ଡିଆ ଆୱାର୍ଡସ୍-୨୦୨୧ ହାତେଇଛି। ଭାରତ ବ୍ୟାପାର ସମ୍ବର୍ଧନ ସଂଗଠନ ପକ୍ଷରୁ ଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ଅନୁଷ୍ଠିତ ଷଷ୍ଠ ସ୍ମାର୍ଟ ସିଟିଜ୍ ଇଣ୍ଡିଆ ଆୱାର୍ଡସ୍ କାର୍ଯ୍ୟକ୍ରମରେ କ୍ରୁଟ୍ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଏହି ଅବସରରେ କ୍ରୁଟ୍ କିଭଳି ଆଞ୍ଚଳିକ ପରିବହନ କ୍ଷେତ୍ରରେ ଗତ ୨ବର୍ଷ ମଧ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି, ସେ ସଂପର୍କରେ ଆଲୋଚନା ହୋଇଥିଲା। କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଏହି ଅଭୂତପୂର୍ବ ସଫଳତା ପାଇଁ ସମସ୍ତ ଗାଇଡ୍ ଓ କ୍ୟାପେଟନ୍ ସହ ପୂରା ଅପରେସନ୍ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଭଳି ସମ୍ମାନ ଆମକୁ ଆହୁରି ଭଲ କାମ କରିବା ପାଇଁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଦୈନିକ ୧ଲକ୍ଷରୁ ଊର୍ଧ୍ବ ଯାତ୍ରୀଙ୍କୁ ବସ୍ ସେବା ଯୋଗାଉଥିବା ‘ମୋ ବସ୍’ ଯାତ୍ରୀମାନଙ୍କ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଛି। କରୋନା ସମୟରେ ମଧ୍ୟ ମୋ ବସ୍ର ଉଲ୍ଲେଖନୀୟ ସେବା ପାଇଁ କ୍ରୁଟ୍କୁ ଶ୍ରେଷ୍ଠ ସ୍ମାର୍ଟ ପରିବହନ ଯୋଜନା ଭାବେ ୟୁଏମ୍ଆଇ ପୁରସ୍କାର ମିଳିଥିଲା।