ସ୍ମାର୍ଟ ସିଟି ପ୍ରକଳ୍ପ : କେବେ ସରିବ କହିହେବନି, ପ୍ରବାସୀ ଶ୍ରମିକଙ୍କ ଉପରେ ପ୍ରକଳ୍ପ ଭାଗ୍ୟ, କୁଶଳୀ ଶ୍ରମିକ ଆସୁନାହାନ୍ତି

୧୦ ଶ୍ରମିକ କରୋନା ଆକ୍ରାନ୍ତ, ସ୍ମାର୍ଟ ଜନପଥ କାମ ବନ୍ଦ

ଭୁବନେଶ୍ୱର : ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌)ର ପ୍ରାୟ ୭ଟି ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। କରୋନା କଟକଣା ଯୋଗୁଁ ଏହି ସବୁ ପ୍ରକଳ୍ପ କେବେ ସରିବ ତାହା କାହାକୁ ଜଣାନାହିଁ। ବିଏସ୍‌ସିଏଲ୍‌ର ସମସ୍ତ ଅଧପନ୍ତରା ପ୍ରକଳ୍ପକୁ ଯେକୌଣସି ମତେ ମାର୍ଚ୍ଚ ୨୦୨୧ ସୁଦ୍ଧା ଶେଷ କରିବାକୁ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଯୋଜନା କରିଥିଲେ ହେଁ ପ୍ରବାସୀ ଶ୍ରମିକଙ୍କ ଅଭାବ ଯୋଗୁଁ ଏହା ଧାର୍ଯ୍ୟ ସମୟରେ ଶେଷ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

ବିଭିନ୍ନ ପ୍ରକାରର ସମସ୍ୟା ଯୋଗୁଁ ରାଜଧାନୀରେ ସ୍ମାର୍ଟ ସିଟି ପ୍ରକଳ୍ପଗୁଡ଼ିକ ଧିମେଇ ଯାଇଥିଲା। ଏହା‌ପରେ କରୋନା ଜନିତ ଲକ୍‌ଡାଉନ୍ ପାଇଁ କାମ ବନ୍ଦ ହେବାରୁ ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରି ଯାଇଛନ୍ତି। ଏବେ ଶ୍ରମିକ ଆସୁନାହାନ୍ତି କି ସେମାନଙ୍କୁ ଅଣାଯାଇପାରୁନି।

ବିଏସ୍‌ସିଏଲ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୦୧୯ରେ ବାତ୍ୟା ଫନି, ସାଧାରଣ ନିର୍ବାଚନ, ଠିକାଦାରଙ୍କ ମାସିକିଆ ବିକ୍ଷୋଭ ପରେ ଚଳିତବର୍ଷ ମାର୍ଚ୍ଚ ମାସରୁ କରୋନା ଜନିତ ଲକ୍‌ଡାଉନ୍ ଯୋଗୁଁ ୫୯ଦିନ କାମ ବନ୍ଦ ରହିଲା। ସବୁ କାମ ଧାର୍ଯ୍ୟ ସମୟ ଠାରୁ ବିଳମ୍ବରେ ଚାଲିଥିଲା। ତେଣୁ ଗତ ଜୁନ୍‌ ୨୫ ତାରିଖରେ ବସିଥିବା ବିଏସ୍‌ସିଏଲ୍‌ର ବୋର୍ଡ ବୈଠକରେ ନିଷ୍ପତ୍ତି ହେଲା ଯେ, ସବୁ ପ୍ରକଳ୍ପ ଅବଧି ତିନି ମାସ ଲେଖାଏ ବଢ଼ାଯିବ। ଯେଉଁ ପ୍ରକଳ୍ପ ଯେବେ ଶେଷ ହେବ ବୋଲି ଧାର୍ଯ୍ୟ ହୋଇଥିଲା ତା’ଠାରୁ ଅଧିକ ତିନି ମାସ ପରେ ଏହାକୁ ସାରିବାକୁ ନିଷ୍ପତ୍ତି ହୋଇଥିଲା। ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଶେଷ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ଡେଡ୍‌ଲାଇନ୍ ଯଥାକ୍ରମେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ଏହାସହ ସମସ୍ତ ନିର୍ମାଣାଧୀନ ପ୍ରକଳ୍ପକୁ ଚଳିତ ଆର୍ଥିକ ବର୍ଷରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଏବେବି ଶ୍ରମିକ ଆସିପାରୁନାହାନ୍ତି, ଠିକାଦାର ଶ୍ରମିକଙ୍କୁ ଆସିବାକୁ କହିଲେ ସେମାନେ ମୋଟା ଅଙ୍କର ଅଗ୍ରୀମ ମାଗୁଛନ୍ତି। କେବଳ ଏତିକି ନୁହେଁ ବିଭିନ୍ନ ରାଜ୍ୟରେ ଲୋକଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଉଥିବାରୁ ସେମାନେ କହୁଛନ୍ତି ଯେ, ଆମେ କାମ କରିବାକୁ ପଳାଇଲେ ଆମ ପରିବାର ଲୋକ ସରକାରୀ ସୁବିଧା ସୁଯୋଗ ପାଇପାରିବେନି। ତେଣୁ କରୋନା ପ୍ରଭାବ କମିଲେ ଆମେ ଯିବୁ।

ଏହାବାଦ୍‌ ଏବେ ଭୁବନେଶ୍ବର କରୋନା ହଟସ୍ପଟ୍‌ ପାଲଟିଯାଇଥିବାରୁ ବାହାର ଜିଲ୍ଲାରୁ ବି ଶ୍ରମିକ ଆସିବାକୁ ଡରୁଛନ୍ତି। ଏପରିକି ରାଜ୍ୟ ବାହାରୁ ଏବଂ ଗଞ୍ଜାମ, ଗଜପତି, କଟକ, ବାଲେଶ୍ବର, ଯାଜପୁର ଜିଲ୍ଲାରୁ ଆସୁଥିବା ଶ୍ରମିକଙ୍କ ପାଇଁ ରାଜଧାନୀରେ ୧୪ଦିନିଆ ସଙ୍ଗରୋଧ ରହିବା ବାଧ୍ୟତାମୂଳକ କରାଯାଇଛି। ତେଣୁ ଶ୍ରମିକ ଆସିଲେ ବିନା ମଜୁରିରେ ୧୪ଦିନ ସଙ୍ଗରୋଧ ରହିବାକୁ ଚାହୁଁନାହାନ୍ତି କି ଠିକାସଂସ୍ଥା ୧୪ଦିନ ମାଗଣାରେ ରଖି ଖାଇବା, ପିଇବାକୁ ଦେବା ସମ୍ଭବ ନୁହେଁ ବୋଲି କହୁଛନ୍ତି। ବର୍ତ୍ତମାନର ‌ସ୍ଥିତି ଯାହା ବୋର୍ଡ ବୈଠକରେ ଯେଉଁ ଡେଡଲାଇନ୍ ଧାର୍ଯ୍ୟ ହୋଇଛି ସେଥିରେ କାମ ସରିବା ସମ୍ଭବ ନୁହେଁ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସ୍ମାର୍ଟ ସିଟି ପ୍ରକଳ୍ପରେ କୁଶଳୀ ଶ୍ରମିକ ଅଭାବ ଦେଖାଦେଇଛି। ମୁଖ୍ୟତଃ ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗରୁ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନେ ଆସି କାମ କରୁଥିବାବେଳେ ସେମାନେ ପଳାଇଥିବାରୁ କାମ କରିବା କଷ୍ଟକର ହୋଇପଡ଼ିଛି। ଅଣକୁଶଳୀ ଶ୍ରମିକ ଯେଉଁଠୁ ଯୋଗାଡ଼ କରିହେବ ହେଲେ କୁଶଳୀ ଶ୍ରମିକ ନଥିବାରୁ କାମ ଆଗଉନି। ସବୁଠୁ ଅଧିକ ଶ୍ରମିକ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର ହୋଇଥିବାବେଳେ ଏହି ତିନି ରାଜ୍ୟରୁ ଲୋକ ଆସିବା ଉପରେ ଏକରକମ ରୋକ୍‌ ଲାଗିଯାଇଛି। ତେଣୁ କାମ ହୋଇପାରୁନି।

୧୦ ଶ୍ରମିକ କରୋନା ଆକ୍ରାନ୍ତ, ସ୍ମାର୍ଟ ଜନପଥ କାମ ବନ୍ଦ
ଭୁବନେଶ୍ବର : ସ୍ମାର୍ଟ ଜନପଥ କାମକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଏହି ପ୍ରକଳ୍ପ କାମ କରୁଥିବା ଆର୍‌କେଡିର ୧୦ଜଣ ଶ୍ରମିକଙ୍କର କରୋନା ପଜିଟିଭ୍ ବାହାରିବା ପରେ ବିଏମ୍‌ସି ପକ୍ଷରୁ ସ୍ମାର୍ଟ ଜନପଥ କାମ ବନ୍ଦ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ମାର୍ଟ ଜନପଥ କାମ କରୁଥିବା ଶ୍ରମିକମାନେ ରାଜମହଲ ଓଭରବ୍ରିଜ୍‌ ନିକଟରେ ରହୁଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କର ଦୁଇ ଦିନ ତଳେ କରୋନା ପଜିଟିଭ୍ ବାହାରିଥିଲା। ଏହାପରେ ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇ ସ୍ବାବ୍ ସଂଗ୍ରହ କରାଯାଇଥିଲା। ଆଜି ୯ଜଣ ଶ୍ରମିକଙ୍କର କରୋନା ପିଜିଟିଭ୍ ରିପୋର୍ଟ ଆସିଛି। ଏହାପରେ ସମସ୍ତ ଶ୍ରମିକଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଶ୍ରମିକ। ଏବେ କରୋନା କଟକଣା ଯୋଗୁଁ ପ୍ରବାସୀ ଶ୍ରମିକ ଆସୁନଥିବାବେଳେ ସ୍ଥାନୀୟ ଶ୍ରମିକଙ୍କୁ ନେଇ କାମ ହେଉଥିଲା। କିନ୍ତୁ ସେମାନେ କରୋନା ଆକ୍ରାନ୍ତ ହେବା ପରେ କାମ ପୂରା ଠପ୍ ହୋଇଯାଇଛି।

ସମ୍ବନ୍ଧିତ ଖବର