କେଉଁ ସ୍ମାର୍ଟ ସିଟି ହେବ ସବୁଠୁ ଅଧିକ ବାସୋପଯୋଗୀ, ଭୁବନେଶ୍ବରକୁ ଆଗରେ ରଖିବାକୁ ବିଏମ୍‌ସିର ଆହ୍ବାନ

ଭୁବନେଶ୍ବର: ଦେଶରେ ଥିବା ୯୮ଟି ସ୍ମାର୍ଟ ସିଟି ମଧ୍ୟରୁ କେଉଁ ସ୍ମାର୍ଟ ସିଟିରେ ଲୋକ ରହିବାକୁ ଅଧିକ ପସନ୍ଦ କରୁଛନ୍ତି ବା ସବୁଠୁ ଅଧିକ ବାସୋପଯୋଗୀ ସହର କିଏ ତାହା ବାଛିବା ପାଇଁ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ସର୍ଭେ ଆରମ୍ଭ ହୋଇଛି। ଫେବ୍ରୁଆରି ୧ରୁ ୨୯ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ସର୍ଭେରେ ଭୁବନେଶ୍ବର ଥିବାରୁ ଭୁବନେଶ୍ବରକୁ ସବୁଠୁ ଅଧିକ ବାସୋପଯୋଗୀ ସହର ଭାବେ ଭୋଟିଂ ଦେବାକୁ ବିଏମ୍‌ସି ପକ୍ଷରୁ ଆହ୍ବାନ ଦିଆଯାଇଛି।

ଆଜି ବିଏମ୍‌ସି କମିସନର ତଥା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ସିଇଓ ‌େପ୍ରମଚନ୍ଦ୍ର ଚୌଧରୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ, ମନ୍ଦିରମାଳିନୀ ସହର ଭୁବନେଶ୍ବର‌େର ଲୋକମାନଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ମିଳୁଛି। ତେଣୁ ଏହି ସର୍ଭେରେ ରାଜଧାନୀବାସୀ ଭାଗ ନେଇ ବାହାର ରାଜ୍ୟର ଲୋକଙ୍କୁ ଆକୃଷ୍ଟ କରନ୍ତୁ। ଏହି ସର୍ବେକ୍ଷଣରେ ୨୧ଟି ପ୍ରଶ୍ନର ଉତ୍ତର ଦେବାକୁ ହେବ। ଏଥିରେ ରାଜଧାନୀରେ ମିଳୁଥିବା ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ବର୍ଜ୍ୟସଂଗ୍ରହ, ପାନୀୟ ଜଳ ବ୍ୟବସ୍ଥା, ଜଳବନ୍ଦୀ, ଭଡ଼ଶ ଘର, ଯୋଗାଯୋଗ, ମହିଳା ସୁରକ୍ଷା, ଜରୁରୀକାଳୀନ ସେବା, ରୋଜଗାର ସୁଯୋଗ, ଆମୋଦପ୍ରମୋଦ ଓ ଚିତ୍ତ ବିନୋଦନ, ବସବାସର ଖର୍ଚ୍ଚ, ଆର୍ଥିକ ସେବା, ବାୟୁମଣ୍ଡଳର ମାନ, ବିସ୍ତୃତ ସବୁଜିମା ଓ ବିଦ୍ୟୁତ ଯୋଗାଣ ଇତ୍ୟାଦିକୁ ନେଇ ସେମାନଙ୍କ ମତାମତ ଦେବେ। ଏଥିପାଇଁ ଅନ୍‌ଲାଇନରେ http://eol2019.org/citizenfeedback କୁ ଯାଇ ସେମାନଙ୍କର ମତାମତ ଦେଇପାରିବେ।

ସୂଚନାଯୋଗ୍ୟ ଯେ, ସ୍ମାର୍ଟ ସିଟି ଭୁବନେଶ୍ବରରେ ମିଳୁଥିବା ସୁବିଧା ସୁଯୋଗ ନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟକୁ ତଥ୍ୟ ‌ଦିଆଯାଇଛି। ସେହି ତଥ୍ୟ ସହ ଲୋକଙ୍କ ମତାମତକୁ ନେଇ ମନ୍ତ୍ରଣାଳୟ ପକ୍ଷରୁ ବାସୋପଯୋଗୀ ସ୍ମାର୍ଟ ସିଟି ରୢାଙ୍କ ପ୍ରସ୍ତୁତ ହେବ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଏମ୍‌ସି ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର