ମୁକୁଳା ଡ୍ରେନ୍‌ ଯନ୍ତ୍ରଣାରୁ ମୁକୁଳିପାରୁନି ସ୍ମାର୍ଟ ସିଟି, ଗୋଡ଼େଗୋଡ଼େ ବିପଦ

ଭୁବନେଶ୍ବର: ଗତବର୍ଷ ବରମୁଣ୍ଡାରେ ମୁକୁଳା ଡ୍ରେନ୍‌ରେ ଭାସି ଜଣେ ଛାତ୍ରର ଜୀବନଦୀପ ଲିଭିଗଲା। ଏହା ପୂର୍ବରୁ ନୂଆପଲ୍ଲୀରେ ବି ଜଣେ ଛାତ୍ର ମୁକୁଳା ଡ୍ରେନ୍‌ରେ ଭାସି ପ୍ରାଣ ହରାଇଥିଲେ। ଏମିତି ହିସାବ କଲେ ଗତ ୭ ବର୍ଷ ଭିତରେ ରାଜଧାନୀର ମୁକୁଳା ଡ୍ରେନ୍‌ ୭ରୁ ଅଧିକ ମୁଣ୍ଡ ନେଇସାରିଲାଣି। ଆହତଙ୍କ ହିସାବ କିଏ ବା ରଖୁଛି! ଗତ ଦୁଇ ଦିନ ତଳେ ଏକ ଷଣ୍ଢ ମୁକୁଳା ଡ୍ରେନ୍‌ରେ ପଡ଼ି ମଲା। ଏହି ସମସ୍ୟାକୁ ନେଇ ପୂର୍ବରୁ ବହୁ ତୁମ୍ବିତୋଫାନ ହୋଇଛି। ଅଘଟଣ ବେଳେ ରାଜଧାନୀ ପଡ଼ିଛି ଉଠିଛି। ରାଜନୈତିକ ଆନ୍ଦୋଳନ ଯାଏ କଥା ଯାଇଛି। ସମସ୍ୟାର ଆଶୁ ସମାଧାନ ନେଇ ପ୍ରଶାସନ ପକ୍ଷରୁ ବହୁ ସୁନେଲି ସ୍ବପ୍ନ ଦେଖାଯାଇଛି। ମାତ୍ର ସ୍ଥିତିରେ ସୁଧାର ଆସିପାରିନାହିଁ। ମୁକୁଳା ଡ୍ରେନ୍‌ ଯନ୍ତ୍ରଣାରୁ ମୁକୁଳିପାରିନି ସ୍ମାର୍ଟ ସିଟି ଭୁବନେଶ୍ବର।

ରାଜଧାନୀରେ ଏବେ ବି ବହୁ ସ୍ଥାନରେ ମୁକୁଳା ଡ୍ରେନ୍‌ ରହିଛି। ରାଜଧାନୀର ପ୍ରମୁଖ ୧୦ଟି ବଡ଼ ଡ୍ରେନ୍‌ କଥା ଭିନ୍ନ ହୋଇପାରେ। କିନ୍ତୁ ଏବେ ବି ବହୁ ଗଳିକନ୍ଦି ଓ ରାଜପଥ କଡ଼ର ଛୋଟ ବଡ଼ ଡ୍ରେନ୍‌ ମୁକୁଳା ପଡ଼ିଛି। ଜିଜିପି କଲୋନି ଓ ପାୱାର ହାଉସ୍‌ ଛକ ନିକଟ ଡ୍ରେନ୍‌କୁ ଉଦାହରଣ ଭାବେ ନିଆଯାଇପାରେ। ଦୁଇ ଦିନ ତଳେ ବିଏମ୍‌ସି ୧୮ନମ୍ବର ୱାର୍ଡ ଅନ୍ତର୍ଗତ ପ୍ରାଚୀ ବିହାରର ମୁକୁଳା ଡ୍ରେନ୍‌ରେ ଗଳି ପଡ଼ି ଏକ ଷଣ୍ଢର ଜୀବନ ଯାଇଛି। ବର୍ଷା ଜଳରେ ଭର୍ତ୍ତି ୧୦ ଫୁଟ୍‌ ଗଭୀର ଡ୍ରେନ୍‌ରେ ଷଣ୍ଢଟି ଗଳିପଡ଼ିବା ପରେ ଅଗ୍ନିଶମ କର୍ମଚାରୀ ତାକୁ ଉଦ୍ଧାର କରିଥିଲେ ହେଁ ତାକୁ ବଞ୍ଚାଇବା ସମ୍ଭବ ହୋଇନଥିଲା।

ତେଣୁ ସେଠାରେ ଡ୍ରେନ୍‌ରେ ସ୍ଲାବ୍‌ ପକାଇବା ପାଇଁ ପ୍ରାଚୀବିହାର ବାସିନ୍ଦାମାନେ ଦାବି କରିଛନ୍ତି। ପ୍ରାଚୀବିହାର ଘଟଣା ଏକ ଉଦାହରଣ ମାତ୍ର। ପ୍ରତିଦିନ ମୁକୁଳା ଡ୍ରେନ୍‌ରେ ପଡ଼ି ବୁଲା ଗୋରୁଗାଈ, କୁକୁର ଆଦି ନୀରିହ ପଶୁଙ୍କ ଜୀବନ ଯାଉଛି। ସେହିଭଳି ପାୱାର ହାଉସ୍‌ ଛକ ନିକଟର ଏକ ମୁକୁଳା ଡ୍ରେନ୍‌ ସ୍ଥିତି ମଧ୍ୟ ବିପଜ୍ଜନକ ଅବସ୍ଥାରେ ରହିଛି। ଏହି ମୁକୁଳା ଡ୍ରେନ୍‌ ନିକଟରେ ଅତ୍ୟନ୍ତ ବିପଦସଙ୍କୁଳ ଭାବରେ ଛାତ୍ରଛାତ୍ରୀମାନେ ଯାଉଛନ୍ତି। ସୌଭାଗ୍ୟକୁ ସେଠାରେ କିଛି ଅଘଟଣ ଘଟିନାହିଁ। କିନ୍ତୁ ଛୋଟ ପିଲାମାନେ ଯେମିତି ସେହି ବାଟ ଦେଇ ଯା’ଆସ କରୁଛନ୍ତି, ସେମାନଙ୍କ ଗୋଡ଼େଗୋଡ଼େ ବିପଦ ରହିଛି। ଏମିତି ରାଜଧାନୀର ବହୁ ଅଞ୍ଚଳ ରହିଛି।

ସେହିପରି ସମ୍ପ୍ରତି ରାଜଧାନୀର ରାସ୍ତା ଅବସ୍ଥା ବଡ଼ କଦର୍ଯ୍ୟ। ବହୁ ରାସ୍ତାରେ ସ୍ବେରେଜ୍‌ କାମ ଚାଲିଥିବାରୁ ଖୋଳିତାଡ଼ି ପକାଇ ଦିଆଯାଇଛି। ସେମିତି ରାସ୍ତାରେ ଖାଲଖମା ଭର୍ତ୍ତି ହୋଇ ରହିଛି ଓ ବର୍ଷା ପାଣି ଜମି ଭୟଙ୍କର ପରିସ୍ଥିତି ଉପୁଜିଛି। ଆଜି ଜୟଦେବବିହାର ବିଜୁ ପଟ୍ଟନାୟକ କଲେଜ ସମ୍ମୁଖ ରାସ୍ତାରେ ଏକ ଯାତ୍ରୀବାହୀ ଅଟୋ ରାସ୍ତା କଡ଼ରେ ଗଳି ପଡ଼ିଥିଲା। ରାସ୍ତା ଦବି ଯିବାରୁ ଅଟୋର ଆଗ ଚକ ଖାଲରେ ଗଳି ପଡ଼ିଥିଲା।

ସୌଭାଗ୍ୟକୁ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଲାଗି ଅଟୋଟି ଓଲଟି ପଡ଼ିନଥିଲା। ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥି‌ଲେ। ଟଙ୍କପାଣିରୁ ରବିଟକିଜ୍‌ ରାସ୍ତା ଭଳି ରାଜଧାନୀ‌ରେ ବିଏମ୍‌ସି, ପୂର୍ତ୍ତ ବିଭାଗର ଅନେକ ରାସ୍ତା ଖରାପ ହୋଇଯାଇଛି। ଏମିତି ସ୍ଥିତି ଏବେ ସ୍ମାର୍ଟ ସିଟିର ବହୁ ଅଞ୍ଚଳରେ ଦେଖିବାକୁ ମିଳୁଛି। ପଙ୍କ କାଦୁଆ ରାସ୍ତାରେ ଯାତାୟାତ କରୁଥିବା ଲୋକେ ନର୍କ ଯନ୍ତ୍ରଣା ଭୋଗ କରୁଥିବା ଅଭିଯୋଗ କରୁଛନ୍ତି। ମହାନଗର ନିଗମ ଓ ପୌରାଚଂଳ ଅଧୀନରେ ଥିବା ରାସ୍ତାକୁ ତୁରନ୍ତ ମରାମତି କରିବାକୁ ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନନ ନିର୍ଦ୍ଦେଶନାମା ଜାରି କରିଥିଲେ। ହେଲେ ବର୍ତ୍ତମାନ ବାସ୍ତବ ସ୍ଥିତି ଓ ଚିତ୍ର ଯାହା କହୁଛି, ସଚିବଙ୍କ ନିର୍ଦ୍ଦେଶ ପାଣିର ଗାର।

ସମ୍ବନ୍ଧିତ ଖବର