ସ୍ମାର୍ଟ ସିଟିରେ ସ୍ମାର୍ଟ ସୁବିଧା ପ୍ରହସନ, ଖତ ଖାଉଛି ସ୍ମାର୍ଟ କିଓସ୍କ

ସବୁ ସ୍ମାର୍ଟ ସେବା ଚୁଲିରେ, କେବଳ ଯୋଜନାରେ ୫୦୦ କୋଟିର ପ୍ରକଳ୍ପ

ଭୁବନେଶ୍ବର: ଭୁବନେଶ୍ବରକୁ ସ୍ମାର୍ଟ ସିଟି ଘୋଷଣା ହେବାର ୪ବର୍ଷ ବିତିଗଲାଣି। ହେଲେ ରାଜଧାନୀବାସୀ ଭୁବନେଶ୍ବର କେମିତିକା ସ୍ମାର୍ଟ ସହର ହୋଇଛି ତାହା ଆଜି ପର୍ଯ୍ୟନ୍ତ ଅନୁଭବ କରିପାରିଲେନି। ଆଖିଦୃଶିଆ ଭିତ୍ତିଭୂମି ନିର୍ମାଣ କରି କାର୍ଯ୍ୟକାରୀ କରିବା ଦୂର କଥା, ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ଲୋକଙ୍କୁ ସେବା ଯୋଗାଇବା ବି ଆଜି ପର୍ଯ୍ୟନ୍ତ ‌ହୋଇପାରିଲାନି। ସ୍ଥିତି ଏମିତି ହେଲାଣି ଯେ, ରାଜଧାନୀବାସୀଙ୍କୁ ସ୍ମାର୍ଟ ସିଟିରେ ରହୁଛୁ ବୋଲି କହିବାକୁ ଲାଜ ଲାଗୁଛି। ସ୍ମାର୍ଟ ଜନପଥରୁ ଆରମ୍ଭ କରି, ମାଗଣା ୱାଇଫାଇ ସେବା, ଲେକ୍‌ ଜୋନ୍‌, ସ୍ମାର୍ଟ ପାର୍କିଂ ବ୍ୟବସ୍ଥା ସବୁ ଅଧପନ୍ତରା। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଲୋକଙ୍କୁ ହାତପାହନ୍ତାରେ ସ୍ମାର୍ଟ ସୁବିଧା ଯୋଗା‌ଇଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ମାର୍ଟ କିଓସ୍କମାନ ବସିଲା। ପ୍ରାୟ ଦେଢ଼ ବର୍ଷ ହେଲା ଏହି ସ୍ମାର୍ଟ କିଓସ୍କ ରାଜଧାନୀର ବିଭିନ୍ନ ସ୍ଥାନରେ ବସିଛି। କିନ୍ତୁ ଏହାର କାମ କ’ଣ ନା ଲୋକ ଜାଣିଛନ୍ତି ନା ଏହା କାମ କରୁଛି। ବରଂ ରକ୍ଷଣାବେକ୍ଷଣ ଅଭାବରୁ ଏହା ଭାଙ୍ଗିରୁଜି ଗଲାଣି। ସରକାରୀ ଟଙ୍କାକୁ କିପରି ଅପବ୍ୟୟ କରାଯାଏ ତାହା ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଦେଖାଇ ଦେଇଛନ୍ତି। କୌଣସି ଗୋଟିଏ ବି ପ୍ରକଳ୍ପକୁ ସଂପୂର୍ଣ୍ଣ କରି ପାରିନଥିବା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ‌୍ କର୍ତ୍ତୃପକ୍ଷ ରାଜଧାନୀବାସୀଙ୍କୁ ସ୍ମାର୍ଟ ସଲ୍ୟୁସନ୍ ଦେବାରେ ବିଫଳ ହୋଇଛନ୍ତି।

ଲୋକଙ୍କୁ ଉନ୍ନତ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ‌ସେବା ଯୋଗାଇବା ପାଇଁ ପ୍ରାୟ ୫୦୦କୋଟିର ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପ ହୋଇଛି। ସବୁ ବ୍ୟବସ୍ଥା ଅନଲାଇନ୍‌ରେ ଓ ହାତପାହାନ୍ତାରେ ଯୋଗ‌ାଇଦେବା ଏହି ଯୋଜନାର ଲକ୍ଷ୍ୟ। କିନ୍ତୁ ଏହି କାମ ନେଇଥିବା ସଂସ୍ଥା ଏବଂ ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ଅପାରଗତା ଯୋଗୁଁ ଆଜି ସୁଦ୍ଧା ରାଜଧାନୀବାସୀ ସ୍ମାର୍ଟ କିଓସ୍କର ସୁବିଧା ପାଇପାରିଲେନି। ଏହି ସ୍ମାର୍ଟ କିଓସ୍କ କେମିତି କାମ କରୁଛି, ଏହା କିଭଳି ସ୍ଥିତିରେ ଅଛି ତାହା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ସିଇଓ ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ ବିଡିଏ ଅଫିସ ପରିସରରେ ଲାଗିଥିବା କିଓସ୍କକୁ ଦେଖିଲେ ଜାଣିପାରିବେ। ନା ଏଥିରେ ବୋର୍ଡ ଅଛି ନା ଲାଇଟ୍ ଜଳୁଛି। ସବୁ ଭାଙ୍ଗିରୁଜି ଗଲାଣି। ବିଡିଏ ଅଫିସ ପରିସରରେ ଯେଉଁ କିଓସ୍କର ଅବସ୍ଥା ଏପରି ହୋଇଛି ପୂରା ରାଜଧାନୀରେ ଏହାର ଅବସ୍ଥା କ’ଣ ହୋଇଥିବ ତାହା ସିଇଓ ଏଇଠୁ ଜାଣିପାରିବେ। ରାଜଧାନୀର ପାଲ୍‌ ହାଇଟ୍‌ସ ଛକ, ଏକାମ୍ର ହାଟ, ବିଡିଏ ଅଫିସ, ସହିଦନଗର ସମନ୍ବିତ ସେବା କେନ୍ଦ୍ର, ରାଜମହଲ ଛକ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସର ସମେତ ପ୍ରାୟ ୨୫ଟି ସ୍ଥାନରେ ଏହିଭଳି ସ୍ମାର୍ଟ କିଓସ୍କ ଲାଗିଛି।

କିଓସ୍କ ଲଗାଇବା ସମୟରେ କୁହାଯାଇଥିଲା ଯେ, ଏଥିରେ ୱାଇଫାଇ ଆକ୍‌ସେସ୍ ପଏଣ୍ଟ ରହିବ, ଜରୁରୀକାଳୀନ ନମ୍ବର ଯଥା (ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍ସ, ଭୁବନେଶ୍ବର ଅପରେସନ ସେଣ୍ଟର) ଆଦି ନମ୍ବରକୁ ମାଗଣାରେ ଫୋନ୍‌ କରିବାର ସୁବିଧା ରହିବ। ଏହାବାଦ୍‌ ଲୋକମାନେ ସେମାନଙ୍କର ପାଣି ବିଲ୍‌, ଫୋନ୍‌ ବିଲ୍‌, ବିଦ୍ୟୁତ୍‌ ବିଲ୍‌ ଆଦି ଏଠାରେ ଦେଇପାରିବେ। କମନ୍‌ ପେମେଣ୍ଟ କାର୍ଡ ରିଚାର୍ଜ କରିବା, ମୋ ବସ୍‌ ଟିକେଟ୍‌ କିଣିବା, ପ୍ରିଣ୍ଟ ଆଉଟ୍‌ କାଢ଼ିବା, ମୋବାଇଲ୍‌ ଚାର୍ଜିଂ ବ୍ୟବସ୍ଥା ଭଳି ସେବା ମିଳିଥାନ୍ତା। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏଠାରେ ନାଗରିକ ସେବା ମିଳିଥାନ୍ତା। ଲୋକମାନେ ଏଠାରେ ଅନଲାଇନ୍‌ରେ ଆବେଦନ କରିବା ଠାରୁ ଆରମ୍ଭ କରି ଟ୍ରେଡ୍‌ ଲାଇସେନ୍ସ ଆବେଦନ ପର୍ଯ୍ୟନ୍ତ ସବୁ କରିପାରିଥାନ୍ତେ। ସେମାନଙ୍କର ବିଭିନ୍ନ ଅଭିଯୋଗ ଏଠାରେ ପଞ୍ଜୀକରଣ କରିପାରିଥାନ୍ତେ। କେବଳ ଏତିକି ନୁହେଁ ଭୁବନେଶ୍ବରକୁ ବୁଲିବାକୁ ଆସୁଥିବା ଲୋକ ଏଠାରେ ଭିଜିଟ୍ ଭୁବନେଶ୍ବର ୱେବସାଇଟ୍‌ ଖୋଲି ପାରିଥାନ୍ତେ। ଯେଉଁଥିରେ ଭୁବନେଶ୍ବରରେ ରହିବା, ଖାଇବା, ବୁଲିବା ସ୍ଥାନ ସମ୍ପର୍କରେ ଗୋଟିଏ କ୍ଲିକ୍‌ରେ ଜାଣିପାରିଥାନ୍ତେ। ଏହିଭଳି ଅନେକ ସ୍ବପ୍ନ ଦେଖାଇ ରାଜଧାନୀରେ ଦୁଇ ପ୍ରକାରର ସ୍ମାର୍ଟ କିଓସ୍କ ଯଥା ସମନ୍ବିତ ବହୁ ସେବା ଡିଜିଟାଲ କିଓସ୍କ ଏବଂ ବହୁସେବା ଡିଜିଟାଲ କିଓସ୍କ ବସାଇବା ଯୋଜନା ହୋଇଥିଲା। କିନ୍ତୁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କର ଅପାରଗତା ପାଇଁ ରାଜଧାନୀବାସୀ ସ୍ମାର୍ଟ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର