ଭୁବନେଶ୍ୱର ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ନୂଆ ଲୋଗୋ, େଓ୍ଵବସାଇଟ୍‌ ଏବଂ ପର୍ଯ୍ୟଟଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଭୁବନେଶ୍ୱର.ମି େଓ୍ଵବସାଇଟ୍‌ ଓ ଏହି ସମ୍ପର୍କିତ ଭିଡିଓକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପିତ କରିଛନ୍ତି।

Advertisment

ଆଜି ସଚିବାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟିର ପ୍ରକଳ୍ପଗୁଡ଼ିକୁ ଲୋକାର୍ପିତ କରି କହିଲେ ଯେ, ଆମର ସୁନ୍ଦର ସହର ଭୁବନେଶ୍ୱରର ଭିତ୍ତିଭୂମି ଉନ୍ନତି ପାଇଁ ଉଦ୍ୟମ ଜାରି ରହିଛି। ଲୋକଙ୍କୁ କିପରି ଗୁଣାତ୍ମକ ସେବା ମିଳିବ ଏବଂ ଜୀବନ ଜୀବିକା ସହଜ ହେବ ସେଥିପାଇଁ ଭୁବନେଶ୍ୱରରେ ସ୍ମାର୍ଟ ଟେକ୍ନୋଲୋଜିର ଯୁଗ ଆରମ୍ଭ ହୋଇଛି। ସ୍ମାର୍ଟ ସିଟିର ଲୋଗୋ ସହରର ବିଭିନ୍ନ ଦୃଷ୍ଟିକୋଣକୁ ନଜରରେ ରଖି ପ୍ରସ୍ତୁତ ହୋଇଛି। ସେହିପରି ଭୁବନେଶ୍ୱର.ମି େଓ୍ଵବସାଇଟ୍‌ଟି ପର୍ଯ୍ୟଟକଙ୍କୁ ଭୁବନେଶ୍ୱର ସମ୍ପର୍କରେ ଖୁବ୍‌ କମ୍‌ ସମୟରେ ସବିଶେଷ ସୂଚନା ଦେଇପାରିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି, ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପରିଚାଳନା ନିର୍ଦ୍ଦେଶକ କ୍ରିଷନ କୁମାର ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ମାର୍ଟ ସିଟି ଲୋଗୋରେ ବ୍ୟବହାର ହୋଇଥିବା ୫ଟି ରଙ୍ଗ ସ୍ମାର୍ଟସିଟିର ପ୍ରଜାପତି ସଦୃଶ ବିକାଶ, ଗତି ଏବଂ ଯୁବସୁଲଭ ଶକ୍ତିକୁ ସୂଚାଉଛି। ସ୍ମାର୍ଟ ସିଟି ଭୁବନେଶ୍ୱରର ୫ଟି ଭିଜନ ଯଥା ବାସ କରିବା ପାଇଁ ସବୁଠୁ ଅନୁକୂଳ ସହର, ଇକୋ ଫ୍ରେଣ୍ଡଲି ସହର, ଶିଶୁ ଉପଯୋଗୀ, ସ୍ଥାନାନ୍ତରିତ ଉପଯୋଗୀ ସହର ଏବଂ ଆଞ୍ଚଳିକ ଅର୍ଥନୈତିକ କେନ୍ଦ୍ରକୁ ବିଭିନ୍ନ ରଙ୍ଗ ଓ ଚିହ୍ନ ମାଧ୍ୟମରେ ସ୍ଥାନିତ କରାଯାଇଛି। କଳା ରଙ୍ଗର ବୃତ୍ତାକାର ଚିହ୍ନ ଏବଂ ଅକ୍ଷର ଶକ୍ତି ଓ ସାମର୍ଥ୍ୟକୁ ସୂଚାଉଛି। ବର୍ଗାକାର ଚିହ୍ନଗୁଡ଼ିକ ଶକ୍ତି, ଏକତା, ଉଦ୍ଦେଶ୍ୟ, ସମରୂପତା, ବ୍ୟବସାୟିକତା, ଦକ୍ଷତାକୁ ବୁଝାଉଛି। ବର୍ଗାକାର ଚିହ୍ନକୁ ଛାୟାଙ୍କିତ ରଙ୍ଗ ଦେବା ଏବଂ ଓ୍ଵାଇଫାଇ ଚିହ୍ନ ରଖିବାର ଉଦ୍ଦେଶ୍ୟ ହେଲା ପ୍ରଯୁକ୍ତିବିଦ୍ୟାର ତତ୍ତ୍ୱକୁ ସୂଚାଇବା। ସେହିପରି ଭୁବନେଶ୍ୱର.ମି େଓ୍ଵବସାଇଟ୍‌ରେ ସପିଂ ମଲ୍‌ ଠାରୁ ଆରମ୍ଭ କରି ସିନେମା ହଲ୍‌, ହୋଟେଲ, ରେଷ୍ଟୁରାଣ୍ଟ, ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ପାର୍କ, ସଂଗ୍ରହାଳୟ ଠାରୁ ଆରମ୍ଭ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ମିଳିବ।